• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଉତ୍ସବକୁ କେଉଁ କେଉଁ ଅତିଥିଙ୍କୁ ଡକାଯିବ, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ତାହା ସ୍ଥିର ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇ ନଥିଲାବେଳେ ପ୍ରତିଷ୍ଠା ପାଇଁ ତରବିଆ ତାରିଖ ଘୋଷଣାକୁ ନେଇ ପ୍ରଶ୍ନ ଉଠିଛି ।

ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି । ନିଷ୍ପତ୍ତି ଅନୁଯାୟୀ ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ୧୫ ତାରିଖରୁ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ଚାରି ଦ୍ୱାରରେ ଚାରିବେଦକୁ ନେଇ ପାରାୟଣ କରାଯିବ । ଶ୍ରୀମନ୍ଦିର ଚାରିପଟେ ଅହରହ ସଂକୀର୍ତ୍ତନ ପାଇଁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ପୁରୀ ଆସିବାକୁ ଆମନ୍ତ୍ରଣ କରାଯିବ ।

ସେହିପରି ଲୋକାର୍ପଣ ଉତ୍ସବକୁ କେଉଁ କେଉଁ ଅତିଥିବୃନ୍ଦଙ୍କୁ ଡକାଯିବ ସେନେଇ ରାଜ୍ୟ ସରକାରଙ୍କ ସହ ପରାମର୍ଶ ପରେ ତାଲିକା ପ୍ରସ୍ତୁତ ହେବ । ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ କମାଇବାକୁ ଜଗନ୍ନାଥ ବଲ୍ଲଭ ମଠରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଗ୍ରୀନ୍ କରିଡର ନିର୍ମାଣ ପାଇଁ ପରିଚଳନା କମଟି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଗଜପତି ମହାରାଜା ଦିବ୍ୟସିଂହ ଦେବ କାଲି ଐତିହ୍ୟ କରିଡର ବୁଲି ଦେଖିବା ପରେ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ବାବଦରେ ସୂଚନା ଦେଇଥିଲେ । ପରେ ସଂଧ୍ୟାରେ ବସିଥିବା ନୀତି ସବକମିଟି ବୈଠକରେ ଲୋକାର୍ପଣ ଉତ୍ସବର ରୂପରେଖ ପ୍ରସ୍ତୁତ ହୋଇଥିଲା । ହେଲେ ଏଠି ପ୍ରଶ୍ନ ସେହି ସମୟ ବେଳକୁ ପ୍ରକଳ୍ପ କାମ ସରିଥିବ ତ ? କାରଣ ଇଏ ହେଉଛି ଏବେକାର ଚିତ୍ର । କାମ ସବୁଠି ଅଧୁରା । ମାଳତୀପାଟପୁର ଠାରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଶ୍ରୀ ସେତୁ କାମ ଅଧା । ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ କାମ ସରିନି ।

ଶ୍ରୀମନ୍ଦିର ପୂର୍ବ ଦ୍ୱାରରେ ଏପର୍ଯ୍ୟନ୍ତ ଶୌଚାଳୟ, ଇନଫରେମେସନ୍ ସେଣ୍ଟରଠୁ ନେଇ କିଓସ୍କ ସେଣ୍ଟର, କ୍ଲୋକ୍ ରୁମ୍ ଆଦି ନିର୍ମାଣ ହୋଇନି । ସେହିପରି ପ୍ରକଳ୍ପ ପାଇଁ ଯେଉଁ ୧୮ଟି ମଠ ଭଙ୍ଗା ଯାଇଥିଲା, ତାର ବି ସୌନ୍ଦର୍ଯ୍ୟକରଣ କାମ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏପରି ସ୍ଥିତିରେ ନିର୍ଦ୍ଧାରିତ ସମୟ ପୂର୍ବରୁ କାମ କେମିତି ସରିବ, ଏବଂ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅର୍ଥାତ୍ ପୂର୍ଣ୍ଣାହୁତି ଦିନ ରାଜ୍ୟର ପୁରପଲ୍ଲୀରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ନିଆଯିବାକୁ କମିଟି ପରାମର୍ଶ ଦେଇଛି ।

  • Reported by:
  • PRADEEP MAHANTY , MADHUSUDAN MISHRA