Advertisment

ପୁଣି ଆଥଲେଟ୍‌ ଭଉଣୀଙ୍କ କଳି: ଶାଳୀନତାର ସବୁ ସୀମା ଡେଇଁଗଲେ ଦୂତି-ସରସ୍ୱତୀ

ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି।

author-image
Chandan Shishu
Sprinter Dutee Chand and sister Saraswati

Sprinter Dutee Chand and sister Saraswati

ପୁଣି ଚର୍ଚ୍ଚାରେ ଚାନ୍ଦ ଭଉଣୀଙ୍କ ଫେସବୁକ୍ କଳି। ସୋସିଆଲ୍ ମିଡିଆରେ ଦୂତି ବନାମ ସରସ୍ବତୀ ଲଢ଼େଇ। ଦୁଇ ଜଣ ଯାକ ଅନ୍ତର୍ଜାତୀୟ ଧାବିକା, ଜଣେ ଅଲିମ୍ପିଆନ୍, ଏସିଆନ୍ ଗେମ୍ସ ସିଲଭର ମେଡାଲିଷ୍ଚ (ଦୂତି) ଓ ଅନ୍ୟ ଜଣେ ଓ୍ୱାର୍ଲଡ ପୋଲିସ୍ ଗେମ୍ସର ପଦକ ବିଜେତା। ହେଲେ ସୋସିଆଲ୍ ମିଡିଆ ଭଳି ସାର୍ବଜନୀନ ପ୍ଲାଟଫର୍ମରେ ଦୁଇ ଆଥଲେଟ୍ ଭଉଣୀଙ୍କ ଏ ପୋଷ୍ଟ ଓ୍ୱାର୍ କିନ୍ତୁ ଶାଳୀନତାର ସବୁ ସୀମା ଡେଇଁଯାଇଛି ଲେଖା।

Advertisment

ତେବେ ଏଥର ସୋସିଆଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ଆସିଥିଲା ସରସ୍ବତୀ ଚାନ୍ଦଙ୍କର, ଯେଉଁଥିରେ ସେ ଦୂତିଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ଘରୋଇ ଶିକ୍ଷାନୁଷ୍ଠାନ କିଟ୍ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ପରବର୍ତ୍ତୀ ପୋଷ୍ଟରେ ଦୂତିଙ୍କ ଉଦ୍ଦେଶ୍ୟରେ- ତୁ ସାନ ଥିଲୁ ତୋତେ ଜିତେଇବାପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମାଙ୍କ ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ବତୀ।

ଏହାପରେ ପରେ ସେଇ ସମାନ ଢଙ୍ଗରେ ସୋସିଆଲ୍ ମିଡିଆରେ ସରସ୍ବତୀଙ୍କ ଚରିତ୍ରକୁ ଆକ୍ଷେପ କରି ଆସିଥିଲା ଦୂତିଙ୍କର ଏକ ଲମ୍ବା ପୋଷ୍ଟ, ଯେଉଁଥିରେ ସରସ୍ବତୀ ନିଜ ପୋଲିସ୍ ଅଧିକାରିଣୀ ପଦର ଦୁରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଗୁରୁତର ଅଭିଯୋଗ କରିଛନ୍ତି ଦୂତି। ଏଥିସହ ଯଦି ଖୁସିରେ ବଞ୍ଚିବାର ଅଛି ସୁଧୁରିଯା ନହେଲେ ମୁଁ କଣ କରିବି ତୁ ଭଲ ଭାବେ ଜାଣିଛୁ ବୋଲି ଲେଖିବାକୁ ବି ପଛାଇ ନାହାନ୍ତି ଦୂତିି।

Advertisment

ତେବେ ଦୂତିଙ୍କ ଏ ଅଭିଯୋଗ ନେଇ ସରସ୍ବତୀଙ୍କ ପ୍ରତିକ୍ରିୟା ଲାଗି ଉଦ୍ୟମ କରାଯାଇଥିଲେ ବି ଫୋନ୍ ସୁଇଚ୍ ଥିବା ଏବଂ ଘରେ ନଥିବାରୁ ତାହା ସମ୍ଭବ ହୋଇନାହିଁ। ଅପରପକ୍ଷେ ଫୋନ ଯୋଗେ ତାଙ୍କ ପ୍ରତିକ୍ରିୟାରେ ଦୂତି ସୋସିଆଲ୍ ମିଡିଆ ପୋଷ୍ଟରେ ସରସ୍ୱତୀଙ୍କ ଉପରେ ଲଗାଇଥିବା ଅଭିଯୋଗକୁ ଦୋହରାଇଛନ୍ତି। କେତେବେଳେ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗ, କେତେବେଳେ ପାରିବାରିକ ତ ପୁଣି କେତେବେଳେ ଟଙ୍କା ପାଇଁ ଝଗଡ଼ା। ସୋସିଆଲ୍ ମିଡିଆରେ ଦୁଇ ଜଣଙ୍କ ଏ ଲଢ଼େଇ କିଛି ନୂଆ ନୁହେଁ। ହେଲେ ଏଥରକ ପରସ୍ପରର ବିରୋଧରେ ଏଭଳି ଅତି ଅରୁଚିକର ଚରିତ୍ର ସଂହାର କିନ୍ତୁ ସବୁ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି। ତେବେ କିଟକୁ ନେଇ ସରସ୍ବତୀଙ୍କ ପୋଷ୍ଟ ସଂପର୍କରେ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

(ରିପୋର୍ଟ: ଯାଜପୁରରୁ ଗୁଲାମ ଗସ, ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ) 

Dutee Chand Social Media
Advertisment
Advertisment