/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663916516.jpg)
Sarapancha Trainning
ପାଠ ପଢୁଛନ୍ତି ସରପଞ୍ଚ । ଆଶ୍ଚର୍ଯ୍ୟ ହୋଇଗଲେ କି ? ଜମାରୁ ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କାରଣ ନିଜର ପଂଚାୟତକୁ ସରସସୁନ୍ଦର କରି ଗଢି ତୋଳିବା ପାଇଁ ସରପଂଚକୁ ଦିଆଯାଉଛି ତାଲିମ୍ । ଆଉ ଏଇ ତାଲିମ୍ ପାଇବା ପରେ ପଂଚାୟତର ବିକାଶକୁ କେହି ଅଟକାଇ ପାରିବେନି । ତେଣୁ ପାଠ ପଢିବା ପାଇଁ ଏକାଠି ହୋଇଛନ୍ତି ୫୨ ଜଣ ସରପଂଚ । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା ।
ନିର୍ବାଚନ ସରିଲା, ଏବେ ପଂଚାୟତର ଉନ୍ନତି ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ପ୍ରତିଷ୍ଠାନ ଓ ଜିଲ୍ଲା ପରିଷଦର ମିଳିତ ସହଯୋଗରେ ସରପଂଚଙ୍କୁ ଏକାଠି କରି ଦିଆଯାଉଛି ତାଲିମ୍ । ଢେଙ୍କାନାଳର ସଦର ବ୍ଲକ୍ର ୩୦ଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ କାମାକ୍ଷାନଗର ବ୍ଲକର ୨୨ଟି ପଞ୍ଚାୟତର ସରପଞ୍ଚ ଏକାଠି ହୋଇ ନେଉଛନ୍ତି ତାଲିମ । ପଂଚାୟତର ଉନ୍ନୟନ ମୂଳକ କାମ ଯଥା ରୁରାଲ ପାର୍କ , କଲ୍ୟାଣ ମଣ୍ଡପ, ଆଦର୍ଶ ପୋଖରୀ 5T ଅନ୍ତର୍ଭୁକ୍ତ ହାଇସ୍କୁଲ ଗୁଡିକର କେମିତି ଉନ୍ନତିକରଣ କରାଯାଇପାରିବ ସେନେଇ ମାନସମନ୍ଥନ ହେଉଥିବା ଜଣାପଡିଛି ।
ସରପଂଚଙ୍କୁ ତାଲିମ ଦେବା ପାଇଁ ଦୁଇଜଣ ଅଭିଜ୍ଞ ଟ୍ରେନରଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ମୋଟ୍ ଉପରେ ଏବେ ପଂଚାୟତ ସ୍ତରର ଉନ୍ନତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ସେଇଥିପାଇଁ ତ ସରପଂଚଙ୍କ ପାଇଁ ଆରମ୍ଭ ହୋଇଛି ତାଲିମ୍ ବ୍ୟବସ୍ଥା ।
ତାଲିମ୍ ସରିବା ପରେ ସରପଂଚମାନେ ନିଜ ନିଜ ପଂଚାୟତକୁ କେମିତି ସରସସୁନ୍ଦର କରି ଗଢିବେ ସେନେଇ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ବି କୁହାଯାଉଛି । ତେବେ ତାଲିମ୍ ନେବା ପରେ କେତେ ବିକଶିତ ହେଉଛି ପଂଚାୟତ ତାହା ସମୟ କହିବ ।
(ରିପୋର୍ଟ- ରାଜଶ୍ରୀ ଶତପଥୀ,ଢେଙ୍କାନାଳ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)