• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି କାଳ ହେଲା କଳିଙ୍ଗା । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଡେଥ୍ ଜୋନ୍ ସାବ୍ୟସ୍ତ ହେଲା ଗଂଜାମ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା । ମଙ୍ଗଳବାର ରାତି ପ୍ରାୟ ୧୨ଟା । ପଶ୍ଚିମବଙ୍ଗର ହାଓ୍ୱଡ଼ା ଅଞ୍ଚଳର ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗିବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ସାଗର ଓ ସମ୍ରାଟ୍ ନାମକ ବସ୍ । କଳିଙ୍ଗା ଘାଟିର ୮ କିଲୋମିଟର ରାସ୍ତା ପାର ହୋଇ ଘାଟି ଶେଷ ମୁଣ୍ଡରେ ଥିବା ଦୁର୍ଗାପ୍ରସାଦ ଛୁଇଁ ସାରିଥିଲା ବସ୍ । ତେବେ ଠିକ୍ ସେତିକି ବେଳକୁ ବସ୍‌ଟି ବ୍ରେକ୍ ଫ୍ରେଲ ହୋଇଥିଲା । ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା ବସ । ଦୁର୍ଘଟଣା ସମୟରେ ବସ୍‌ର ବେଗ ଅଧିକ ଥିବାରୁ ବାରମ୍ବାର ପଲଟି ମାରି ଚୂରମାର ହୋଇ ଯାଇଥିଲା । ଆଉ କ୍ଷଣିକ ଭିତରେ କାନ୍ଦ ବୋବାଳି ଓ ଆର୍ତ୍ତ ଚିତ୍କାରରେ ଫାଟି ପଡ଼ିଥିଲା ପରିବେଶ ।

ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ବସ୍ ତଳେ ଚାପି ହୋଇ ରହିଥିବା ୬ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଉଦ୍ଧାର ପୂର୍ବରୁ ଆଖି ବୁଜି ସାରିଥିଲେ । ଦୁର୍ଘଟଣାରେ ଆହତ ସମସ୍ତ ୪୫ ଜଣ ଯାତ୍ରୀଙ୍କୁ ତୁରନ୍ତ ସ୍ଥାନୀୟ ଭଞ୍ଜନଗର ମେଡିକାଲ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ ଗୁରୁତରଙ୍କୁ ପରେ ବ୍ରହ୍ମପୁର ବଡ଼ ମ଼େଡିକାଲ ଓ ଜଣେ ଅତି ଗୁରୁତରଙ୍କୁ କଟକ ପଠାଯାଇଛି । ଗଞ୍ଜାମ ଏସ୍‌ପି ଓ ସ୍ଥାନୀୟ ପ୍ରଶାସନ ମେଡିକାଲ ଯାଇ ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିବା ସହ ଆତ୍ମୀୟଙ୍କୁ ସବୁ ପ୍ରକାର ସହାୟତା ବ୍ୟବସ୍ଥାର ତଦାରଖ କରିଥିଲେ ।

 

ଦୁର୍ଘଟଣାରେ ସମସ୍ତ ୬ ମୃତକ ଓ ଆହତମାନେ ପଶ୍ଚିମବଙ୍ଗ ହାଓଡ଼ା ଜିଲ୍ଲାର ଉଦୟନାରାୟଣପୁର ଥାନା ସୁଲତାନପୁର ଗାଁର । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୃତାହତଙ୍କ ପରିବାର ଓ ଆତ୍ମୀୟଙ୍କ ମଧ୍ୟରେ ଖେଳି ଯାଇଛି ଶୋକର ଛାୟା । ସେପଟେ ଦୁର୍ଘଟଣାସ୍ଥଳକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ରେସ୍‌କ୍ୟୁ ଟିମ୍, ଆମ୍ବୁଲାନ୍ସ ଓ ଫସି ରହିଥିବା ଯାତ୍ରୀଙ୍କୁ ଫେରାଇ ନେବା ଲାଗି ଏକ ବସ ପଠାଯାଇଥିବା ପଶ୍ଚିମବଙ୍ଗ ପରିବହନ ମନ୍ତ୍ର କହିଛନ୍ତି ।

ଏଣେ କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ଯୋଗୁଁ, ସ୍ଥାନୀୟ ଲୋକେ ପ୍ରଶାସନର ଉଦାସୀନତାକୁ ହିଁ ଦାୟୀ କରିଛନ୍ତି । ଏହା ପୂର୍ବରୁ ମେ’ ୨୦୨୦ରେ କରୋନା ବେଳେ ଗୁଜରାଟରୁ କିଛି ପ୍ରବାସୀଙ୍କୁ ନେଇ ଫେରୁଥିବା ବେଳେ ଏକ ବସ୍ ଓଲଟି ପଡ଼ିଥିଲା ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ । ସେହିଭଳି ଜୁନ୍ ୨୦୨୦ରେ ଘାଟି ଉପରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରୁ ୬ ଜଣ ଆହତ ହୋଇଥିଲେ ।

ଗତକାଲିର କଳିଙ୍ଗା ଘାଟି ବସ୍ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପି ରାଷ୍ଟ୍ରୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବାହାର ରାଜ୍ୟର ଗାଡ଼ିକୁ କଳିଙ୍ଗା ଘାଟି ଦେଇ ଯିବା ଉପରେ କଟକଣା ଲାଗିଥିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି ବାହାର ରାଜ୍ୟରୁ ଆସୁଥିବା ଗାଡ଼ି ଦଶପଲ୍ଲା-ଲାଲସିଙ୍ଗା-ଭଞ୍ଜନଗର ଦେଇ ଯିବେ । ଯାହାକୁ ଜିଲ୍ଲା ପ୍ରଶାସନ ଗାଇଡ୍ କରିବ । ବାହାର ଗାଡ଼ି ଚାଳକଙ୍କ କଳିଙ୍ଗା ଘାଟି ନେଇ ଅନୁଭୂତି ନଥିବାରୁ ସେମାନଙ୍କୁ ଘାଟି ରାସ୍ତା ଦେଇ ଯିବାକୁ ବାରଣ କରାଯାଇଛି । ବାହାର ଗାଡ଼ି ଯେପରି କଳିଙ୍ଗା ଦେଇ ନଯାଏ ପୋଲିସ ତାହାର ତଦାରଖ କରିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ସେପଟେ ଦୁର୍ଘଟଣାସ୍ଥଳରେ ଆରଟିଓ ଓ ରାଜ୍ୟ ପରିବହନ ପ୍ରାଧିକରଣ ଏକ ବିଶେଷଜ୍ଞ କମିଟି ପହଞ୍ଚି ଦୁର୍ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାj କାରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।