• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାଁ ଭାଁ ଛାଡିଦେଲେ ଆମେ ସମସ୍ତେ ଚା ପିଅନ୍ତି । ଆଉ ଶୀତ ଦିନ ଆସିଗଲେ ଏହାର ଚାହିଦା ବି ବଢିଯାଏ । ନିଜ ନିଜ ପସନ୍ଦ ଅନୁସାରେ କିଏ କ୍ଷୀର ଚା, ଲେମନ ଚା ତ ଆଉ କିଏ ଗ୍ରୀନ ଟି ଓ ହରବାଲ୍‌ ଟି ପିଅନ୍ତି । ଆଉ କିଏ କିଏ କୋଲ୍ଡ ଟି ବି ପିଅନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ମାଣ୍ଡିଆ ଚା ? ହଁ ସତରେ ଆପଣ ନିଜେ ନ ଦେଖିଲେ କିମ୍ବା ନିଜେ ନ ପିଇଲେ ଜାଣି ପାରିବେନି ଯେ ମାଣ୍ଡିଆ ଚା ବି ଅଛି । ଆଉ ଏଇ ଚା ବୋଧ ହୁଏ କେବଳ ଗୋଟିଏ ଜାଗାରେ ମିଳୁଛି । ଯାହାକି କୋରାପୁଟ ଜିଲ୍ଲା ଜୟପୁର ସହରର ଜଗନ୍ନାଥ ମିଲେଟ ହବ୍‌ରେ ।

ଏହି ଦୋକାନରେ ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ସାମଗ୍ରୀ । ଆଉ ମାଣ୍ଡିଆ ସାମଗ୍ରୀ ନେବା ପାଇଁ ଲୋକଙ୍କର ଲାଗିଥାଏ ଲମ୍ବା ଲାଇନ୍‌ । ହେଲେ ଦୋକାନରେ ସବୁଠୁ ଅଧିକ ଚାହିଦା ରହିଛି ମାଣ୍ଡିଆ ଚା’ର । କିଏ କିଏ ସକାଳେ କିମ୍ବା ସଂଧ୍ୟାରେ ଚା’ ପିଅନ୍ତି ହେଲେ ମାଣ୍ଡିଆ ଚା’କୁ ଗ୍ରାହକ ଦିନ ଦ୍ୱିପ୍ରହରରେ ବି ପିଉଥିବା ଦେଖିବାକୁ ମିଳୁଛି ।

ଗତ ତିନି ମାସ ହେଲା ମାଣ୍ଡିଆ ଚା ପ୍ରସ୍ତୁତ କରି ଲୋକଲୋଚନକୁ ଆସିଛନ୍ତି ଏହି ଦୋକାନର ମାଲିକ ଜାଗନ୍ନାଥ ଚିନାରୀ । ତାଙ୍କର ପ୍ରସ୍ତୁତ ମାଣ୍ଡିଆ ଚା’ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କ ମୁହଁରେ ମାଣ୍ଡିଆ ଚା’ର ପ୍ରଶଂସା ବି ଶୁଣିବାକୁ ମିଳୁଛି । ଖାଲି ଚା’ କାହିଁକି ? ମାଣ୍ଡିଆରେ ମିକ୍ସଚରଠାରୁ ଆରମ୍ଭ କରି ବିଭିନ୍ନ କିଷମର ଚଟପଟି ଖାଦ୍ୟ ଯାହାକି ମାଣ୍ଡିଆ ମୁଡୁକି, ନିମକି, ଚକଲେଟ, କେକ୍‌, ବିସ୍କୁଟ, ମାଣ୍ଡିଆ ସୁପ ସହ ମାଣ୍ଡିଆ ଇଡଲି ଆଦି ଭଳିକି ଭଳି ଚଟପଟି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ଜଗନ୍ନାଥ । ତେବେ ଏଭଳି ଭଳି କି ଭଳି ସାମଗ୍ରୀ ତିଆରି କରିବାରେ ତାଙ୍କୁ ତାଙ୍କ ସ୍ତ୍ରୀ ପୂରା ସାହାଯ୍ୟ କରୁଥିବା କହିଛନ୍ତି ଜଗନ୍ନାଥ ।

ବର୍ତ୍ତମାନ ସମୟରେ ବାହାର ଖାଦ୍ୟ ଖାଇ ଅନେକ ଲୋକ ରୋଗରେ ପଡୁଛନ୍ତି । ସେଇଥିପାଇଁ କିଛି ଭିନ୍ନ କରିବାର ଇଚ୍ଛାକୁ ନେଇ ପୂରା ଦେଶୀ ମାଣ୍ଡିଆରେ ଚଟପଟି ସ୍ୱାଦ ଦେବାକୁ ଚିନ୍ତା କରିଥିଲେ ଜଗନ୍ନାଥ । ଏଥିପାଇଁ ଚେନ୍ନାଇ ଓ ବାଙ୍ଗାଲୁରୁରୁ ନେଇଥିଲେ ସ୍ୱତନ୍ତ୍ର ଟ୍ରେନିଂ । ଆଉ ତାଲିମ ପରେ କୋରାପୁଟ୍‌ରେ ଦୋକାନ କରି ଏବେ ପୂରା ରାଜ୍ୟରେ ଚର୍ଚ୍ଚାରେ ଅଛନ୍ତି ଜଗନ୍ନାଥ ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଷୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ପାଇଁ ଏବେ ଅଣ୍ଟା ଭିଡିଛି ରାଜ୍ୟ କୃଷି ବିଭାଗ । ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆରୁ ପ୍ରସ୍ତୁତ ସ୍ନାକ୍ସ ଓ ଟିଫିନ୍ ଦିଆଯିବା ନେଇ ସବୁ ବିଭାଗକୁ ଚିଠି କରିଛନ୍ତି ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢାଇବା ସହ ଓଡିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ଏହି ଉଦ୍ୟମ । ସେପଟେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱଗତ କରିଛନ୍ତି ବ୍ୟବସାୟୀ । ତେବେ ସରକାରୀ ବାବୁମାନେ ଏବେ ମାଣ୍ଡିଆ ସ୍ନାକ୍ସ ଖାଇବା କଥାକୁ ଅନେକ ମହଲରେ ସ୍ୱାଗତ କରାଯାଇଛି ।

 

(ରିପୋର୍ଟ- ଟି.ଗୌରୀ ଶଙ୍କର, ଜୟପୁର)