• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ଦୁର୍ନୀତି ପାଇଁ ନୁହେଁ ବରଂ ଦରଦାମ ବୃଦ୍ଧି ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିମ୍ନ ମାନର ମଧ୍ୟାହ୍ନ ଭୋଜନ । ମହଙ୍ଗା ମାଡ଼ ପଡିଛି ମିଡ୍‌ ଡେ ମିଲ୍ ଉପରେ । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଉ ଥିବା ବିଭିନ୍ନ ଏନ୍‌ଜିଓ ବି ନୟାନ୍ତ ହୋଇଗଲେଣି । ଏଭଳି ସ୍ଥିତିରେ ପିଲାଙ୍କୁ କିପରି ମିଳିବ ପୁଷ୍ଟିକର ଖାଦ୍ୟ ତାକୁ ନେଇ ଚିନ୍ତା । ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର, ପାଣିରେ ଭାସୁଛି ସୋୟା ବଡି । ତାକୁ ଲଗେଇ ଭାତ ଖାଉଛନ୍ତି ପିଲେ । ନିମ୍ନମାନର ଖାଦ୍ୟ ପରଷିବା ପଛର କାରଣ ଶୁଣିଲେ ମୁଣ୍ଡ ଚକ୍କର କାଟିବ ।

ଦରଦାମ ବୃଦ୍ଧି ଲାଗି ଏଭଳି ନିମ୍ନମାନର ଖାଦ୍ୟ ପାଉଛନ୍ତି ସ୍କୁଲ୍ ପିଲା । ବର୍ତ୍ତମାନ ତେଲ ଠାରୁ ଆରମ୍ଭ କରି ପନିପରିବା, ଡାଲିଜାତୀୟ ଶସ୍ୟ, ଗ୍ୟାସ୍ ସିଲିଣ୍ଡର, ଲେବର ଚାର୍ଜ ଆକାଶ ଛୁଆଁ । ହେଲେ ବର୍ଦ୍ଧିତ ବଜାରକୁ ଆଖି ଆଗରେ ରଖି ସରକାରଙ୍କ ଠାରୁ ସେହି ଅନୁପାତରେ ସହାୟତା ଆସୁନି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡ ପିଛା ୫ଟଙ୍କା ୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ମୁଣ୍ଡ ପିଛା ୮ଟଙ୍କା ୧୦ ପଇସା ହିସାବରେ ସରକାର ସ୍କୁଲ୍‌କୁ ଅର୍ଥ ଦେଉଛନ୍ତି ।

ମାତ୍ର ଭାତ, ଡାଲମା ବା ଅଣ୍ଡା ବା ସୋୟାବଡି ତରକାରୀ ପାଇଁ ମୁଣ୍ଡ ପିଛା ପ୍ରାୟ ୧୫ ଟଙ୍କା ଖର୍ଚ୍ଚ ହେଉଛି । ପୁରା ନିଅଣ୍ଟିଆ ବଜେଟରେ ପ୍ରସ୍ତୁତ ହେଉଛି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ଯାହାକୁ ନେଇ ପିଲା ଅସନ୍ତୋଷ, ସ୍କୁଲ କର୍ତ୍ତୃପକ୍ଷ ବି ନାଚାର । ସେପଟେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ସଂସ୍ଥା ଗୁଡିକ ବି ହାତଟେକି ଦେଲେଣି ।

ରାଜ୍ୟର ୫୧ ହଜାର ୧୪୬ ସ୍କୁଲ୍‌ର ୪୫ ଲକ୍ଷ ପିଲାଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ମହାମାରୀ ପାଇଁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବାରଣ କରାଯିବାରୁ ଉପସ୍ଥାନ କମୁଥିବା ସାମନାକୁ ଆସିଥିଲା । ଏହାପରେ ଉପସ୍ଥାନ ବଢାଇବା ଲାଗି ଗତ ଏପ୍ରିଲ୍ ୨ରୁ ମଧ୍ୟାହ୍ନ ଭୋଜନକୁ ପୁଣି ଥରେ ଆରମ୍ଭ କରାଯାଇଛି । ଏହାଦ୍ୱାରା ଉପସ୍ଥାନ ବଢିଛି ସତ ହେଲେ ପିଲାଙ୍କୁ ମିଳୁନି ପୌଷ୍ଟିକ ଆହାର । ମଧ୍ୟାହ୍ନ ଭୋଜନ ଲାଗି କେନ୍ଦ୍ରରୁ ଆସୁଛି ୬୦ ପ୍ରତିଶତ ଅର୍ଥ । ରାଜ୍ୟ ସରକାର ଦେଉଛନ୍ତି ବାକି ୪୦ ପ୍ରତିଶତ । ଏହାବାଦ ରାଜ୍ୟ ଚାଉଳ ଦେଉଛି ।

ପ୍ରାଥମିକ ଶ୍ରେଣୀରେ ୪୫ ପଇସା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଲାଗି ୬୫ ପଇସା ଅଧିକ ରାଜ୍ୟ ସରକାର ଦେଉଛନ୍ତି । ଦରଦାମ ବୃଦ୍ଧିକୁ ନଜରରେ ରଖି ଆର୍ଥିକ ସହାୟତା ବଢାନ୍ତୁ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ମଧ୍ୟାହ୍ନ ଭୋଜନ ଯୋଜନାର ଷ୍ଟେଟ ନୋଡାଲ୍ ଅଫିସର ।

ଦରଦାମ ବୃଦ୍ଧି ଭିତରେ ସନ୍ତୁଳି ହେଉଛନ୍ତି ସାଧାରଣ ଲୋକେ । ଏହାର ପ୍ରଭାବ ମଧ୍ୟାହ୍ନ ଭୋଜନ ଉପରେ ବି ପଡିଛି । ତେବେ ଉଭୟେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଶି ଏହି ସମସ୍ୟାର ସମାଧାନ ଶୀଘ୍ର କରିପାରିଲେ ଛାତ୍ରଛତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ମିଳିପାରନ୍ତା ।