• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନର୍ଦ୍ଦମା ପାଣିରେ ଯିବା ଆସିବା କରୁଛନ୍ତି ଲୋକେ । କୋଉଠି ଆଣ୍ଠୁଏ ତ କୋଉଠି ପେଟେ ପାଣି । ଘର ଭିତରେ ପାଣି ତ ପୁଣି ଘର ବାହାରେ ବି ପାଣି। ଯୁଆଡେ ଦେଖିବ ଖାଲି ପାଣି ହିଁ ପାଣି । ଆଉ ପାଣିର ମାତ୍ରା ଏତେ ଅଧିକ ଯେ ମଶା ଆଉ ଲାଙ୍ଗୁଡିଆ ଏଇଠି ଆଡ୍ଡା କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ବିକଶିତ ଜିଲ୍ଲା ଯାଜପୁର ବ୍ୟାସନଗର ୨୫ ନମ୍ବର ୱାର୍ଡରେ ।

ଏଠାରେ ସ୍ଥିତି ଏମିତି ହେଲାଣି ଯେ, ବ୍ୟାସନଗରରେ ଯିଏ ବୁଲିବ ସିଏ ହିଁ ଜାଣିପାରିବ ଏଠାରେ କେମିତି ହୋଇଛି ବିକାଶ । ନେତା ଓ ପ୍ରଶାସକ ସମସ୍ତେ ଏ ସମସ୍ୟା ସମ୍ପର୍କରେ ଜାଣିଛନ୍ତି । ହେଲେ କେହି ତୁଣ୍ଡ ଖୋଲିପାରୁ ନାହାନ୍ତି କି ହାତ ଚଲାଉନାହାନ୍ତି । ଯାହାଦ୍ୱାରା ବ୍ୟାସନଗର ପରି ସହର ନର୍ଦ୍ଦମା ପାଣିରେ ବୁଡି ରହୁଛି । ଆଉ ଏଠାକାର ଲେକେ ହନ୍ତସନ୍ତ ହେଉଛନ୍ତି । ଏମିତିକି କାହାର ଯଦି ଦେହ ଖରାପ ହୁଏ, ତେବେ ଏଠାକୁ ଆମ୍ବୁଲାନ୍ସ ବି ଆସିପାରିବନି । ଆଉ ସ୍କୁଲ-କଲେଜ୍‌ ପିଲାଙ୍କ କଥା ପଚାରେ କିଏ ?

ଆଣ୍ଠୁଏ ଉଚ୍ଚାରେ ପାଣି ଜମିଥିବାରୁ ଡେଙ୍ଗୁ ମଶା ଏଇଠି ଘର କଲେଣି । ପ୍ରତି ସପ୍ତାହରେ କାହାକୁ ନା କାହାକୁ ରୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କଳିଙ୍ଗନଗର ଶିଳ୍ପାଚଂଳରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର । ଇସ୍ପାତ ରାଜଧାନୀର ମାନ୍ୟତା ପାଇଥିବା କଳିଙ୍ଗନଗରର ମୁଖଶାଳା ହେଉଛି ବ୍ୟାସନଗର ସହର । ହେଲେ ଦୀପ ତଳ ଅନ୍ଧାର ଭଳି ବ୍ୟାସନଗରର ସହରର ବିକାଶ କରୁନାହାନ୍ତି ନେତା କି ପ୍ରଶାସକ । ଯାହାକୁ ନେଇ ଅସନ୍ତୋଷ ଜାହାର କରିଛନ୍ତି ସ୍ଥାନୀୟ ଲୋକେ 

୨ ବର୍ଷ ହେଲାଣି ସହର ମଧ୍ୟରେ ଏମିତି ପାଣି ଜମି ରହୁଛି । ହେଲେ ପାଣି କେମିତି ନିଷ୍କାସନ ହେବ ସେନେଇ କୌଣସି ବାଟ ଫିଟାଉନି ପୌର ପ୍ରଶାସନ। ଆଗାମୀ ଦିନରେ ଏ ସମସ୍ୟାର ସମାଧାନ ନେହେଲ ବଡ ଧରଣର ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ଲୋକେ । ସେପଟେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ସହରରେ ଡ୍ରେନେଜ ସମସ୍ୟା ବଡ଼ ଜଟିଳ ଅଛି ଏବଂ ତାହାର ଅନୁଧ୍ୟାନ ଚାଲିଛି । ଖୁବ ଶୀଘ୍ର ଡ୍ରେନେଜ ସମସ୍ୟାର ସମାଧାନ ହୋଇଯିବ ।

 

(ରିପୋର୍ଟ- ଜନ୍ମେଜୟ ଦାସ, ଯାଜପୁର ରୋଡ)