• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁମ ସୁମ ବସିଛନ୍ତି ଦୁଇ ଝିଅ । ମନରେ କୋହ ଆଉ ଆଖିରେ ଲୁହ । ଏମାନଙ୍କ ସହ ଯାହା ହୋଇଛି ତାକୁ ଭାବିଲା ବେଳକୁ ଚାରିଦଗି ଅନ୍ଧକାର ମୟ ଲାଗୁଛି । କାରଣ ସୁଃଖ ଦୁଃଖ ବୁଝିବାକୁ ଏମାନଙ୍କ ପାଖରେ କେହି ନାହାନ୍ତି । ଯିଏ ଏଇ ଦୁଇ ଭଉଣୀଙ୍କୁ ସଂସାରକୁ ଆଣିଥିଲେ ସିଏ ଆଜି ଅଫେରା ରାଇଜରେ.. ବାପା-ମାଆଙ୍କୁ ଯେତେ ମନେ ପକାଇଲେ ବି ସେମାନେ ଆସିବେନି ତଥାପି ମନ ବୁଝୁନି ।

ଦୁଇ ଭଉଣୀ ହେଉଛନ୍ତି ସୁବର୍ଣ୍ଣପୁର ହରଡଖୋଲ ପଂଚାୟତ ସାନ ଫବସି ଗାଁର ପରମିତା ପୋଢ ଓ ଅସ୍ମିତା ପୋଢ । ୮ ବର୍ଷ ହେଲାଣି ବାପା ଚାଲିଗଲେଣି । ମାଆ ମୁହଁକୁ ଚାହିଁ ଏମାନେ କଷ୍ଚେ ମଷ୍ଟେ ଚଳିଯାଉଥିଲେ । ହେଲେ ଭଗବାନ ଏତେ ନିର୍ଦ୍ଦୟ ହେଲେ ଯେ, ପରମିତା ଓ ଅସ୍ମିତାଙ୍କ ପାଖରୁ ଏବେ ମାଆଙ୍କୁ ବି ଛଡାଇ ନେଲେ । ବାପା-ମାଆ ଚାଲିଯିବା ପରେ ଏବେ ଅନାଥ ହୋଇଗଲେ ଦୁଇ ଭଉଣୀ । ବାପା-ମାଆଙ୍କୁ ଝୁରିଝୁରି ଦିନ ସରୁଛି ସତ ହେଲେ ପରିବାର କେମିତି ଚଳିବ ସେନେଇ ମୁଣ୍ଡରେ କିଛି ବୁଦ୍ଧି ପଶୁନି ।

ଦୁଇ ଭଉଣୀଙ୍କ ଦୁଃଖ ଏତେ ଯେ ଏମାନଙ୍କୁ ଦେଖିଲେ ପଡୋଶୀଙ୍କ ଆଖିରେ ବି ଆସୁଛି ଲୁହ । କୋହ ଏତେ ଯେ କ୍ୟାମେରା ସାମ୍ନାରେ ବି ଭୋ ଭୋ କାନ୍ଦିପକାଉଛନ୍ତି ଗ୍ରାମବାସୀ । ସମସ୍ତଙ୍କ ମନରେ ଗୋଟିଏ କଥା ଏଇ ଦୁଇ ଝିଅଙ୍କୁ ଏବେ ଦରକାର ସରକାରୀ ସହାୟତା । 

ବାପା କରିଦେଇଥିବା ଘର ଏବେ ଭାଙ୍ଗିବା ଅବସ୍ଥାରେ । ଗୋଟିଏ ବଖରାରେ କଟୁଛି ଦିନ । ତେବେ ଏହି ଘରେ ସିନା ମୁଣ୍ଡ ଗୁଂଜି ଦେଉଛନ୍ତି ହେଲେ ଖାଇବେ କଣ ? ଆଉ ପାଠ ପଢିବେ କେମିତି ? ଦୁହିଁଙ୍କ ଭବିଷ୍ୟତ କଣ ହେବ ? ଏମିତି ଅନେକ ଆଶଙ୍କା ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ସରକାର ଏମାନଙ୍କ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । 

(ରିପୋର୍ଟ-ରବିନ୍ଦ୍ର ହୋତା, ସୁବର୍ଣ୍ଣପୁର)