• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସେଲିବ୍ରିଟି ଦମ୍ପତି ଅନୁଭବ-ବର୍ଷାଙ୍କୁ ହାଇକୋର୍ଟଙ୍କ ତାଗିଦ । କେହି କାହା ବିରୋଧରେ କୌଣସି ମନ୍ତବ୍ୟ ଦେଇପାରିବେନି । ମିଡିଆ ଓ ସୋସିଆଲ ମିଡିଆରେ ଆପତ୍ତିଜନକ ଆକ୍ଷେପ ବି ମନା । ସୋସିଆଲ ମିଡିଆରେ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ତିନି ତିନିଟି ଭିଡିଓ ପୋଷ୍ଟ ପରେ ହାଇକୋର୍ଟରେ ଆବେଦନ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ନିଜ ଆବେଦନରେ ବର୍ଷା ଦର୍ଶାଇଥିଲେ ଯେ, ଅନୁଭବଙ୍କ ଏଭଳି ଭିଡିଓ ପୋଷ୍ଟ ଯୋଗୁଁ ତାଙ୍କ ମର୍ଯ୍ୟାଦା ହାନୀ ହେଉଛି । ଯାହାକି ସମ୍ବିଧାନର ଅନୁଚ୍ଛେଦ-୨୧କୁ ଉଲ୍ଲଂଘନ କରୁଛି । ତେଣୁ ଏହା ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଅନ୍ତୁ ହାଇକୋର୍ଟ । ବର୍ଷା ନିଜ ଆବେଦନରେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଥିଲେ । ବର୍ଷାଙ୍କ ଏହି ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରି ଉଭୟ ପକ୍ଷଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିଛନ୍ତି କୋର୍ଟ । ସୋସିଆଲ ମିଡିଆରେ ଭିଡିଓ କରି ପତ୍ନୀ ବର୍ଷାଙ୍କ ବିରୋଧରେ ତିନି ତିନି ଥର ବର୍ଷିଥିବା ଅନୁଭବଙ୍କୁ ଏଭଳି ଆଉ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପଟେ ଆଜି ସକାଳୁ ସାମ୍ନାକୁ ଆସିଥିଲା ଅନୁଭବଙ୍କ ଆଉ ଏକ ଭିଡିଓ । ଭିଡିଓ ନମ୍ବର ଫୋର୍, ଯେଉଁଥିରେ ସମର୍ଥନ ପାଇଁ ନିଜ ଫ୍ୟାନଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଭବ । କହିଥିଲେ, ଏବେ ତାଙ୍କୁ ଆଉ ରାତିରେ ସହଜରେ ନିଦ ହେଉନି ଏବଂ କେବେ ସକାଳୁ ଉଠିପାରୁନଥିବା ଅନୁଭବ ଏବେ ସକାଳୁ ଉଠୁଛନ୍ତି । ଏହି ଭିଡିଓରେ ଅନୁଭବ ସିଧାସଳଖ ବର୍ଷାଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇନଥିଲେ ମଧ୍ୟ ବାପା-ମାଆଙ୍କୁ ଭଲ ପାଇବାକୁ ଏବଂ ସେମାନଙ୍କ କଥା ଶୁଣିବାକୁ ଫ୍ୟାନଙ୍କୁ ପରାମର୍ଶ ଦେଇଥିଲେ ।