• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି । ଏପଟେ ଇ-ଯାନ ଉପରେ ରାଜ୍ୟ ସରକାରଙ୍କ ସବ୍‌ସିଡି ସେମାନଙ୍କ ଆଗ୍ରହକୁ ଦୁଇଗୁଣିତ କଲାଣି ।ତେବେ ଏ ପରିବେଶ ଅନୁକୂଳ ଯାନକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ପରିବେଶବିତଙ୍କ ମତ ।

ତେଲ ଦର ଆକାଶଛୁଆଁ ହେବା ପରେ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି ଗ୍ରାହକ । ଲୋକଙ୍କ କହିବା କଥା, ତୈଳ ଦରବୃଦ୍ଧି ଆଉ ସମ୍ଭାଳି ହେବନି । ଥରେ ପଇସା ଖଟାଇବୁ ପଛେ, ତେଲ ପାଇଁ ଆଉ ନିଇତି ତଣ୍ଡ ଗଣିବୁନି । ତେଣୁ ଏବେ ବ୍ୟାଟେରୀ ଚାଳିତ ଯାନ ବା ଇ-ଭେହିିକଲ ମୁହାଁ ହେଲେଣି ଲୋକେ ।

ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍‌ସିଡି ବ୍ୟବସ୍ଥା । ତା ପୁଣି ପିଛିଲା ଭାବରେ, ଇ-ଯାନ ନୀତି ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଅର୍ଥାତ୍ ୨୦୨୧ ସେପ୍ଟେମ୍ବର ପହିଲାରୁ ସିଧାସଳଖ କ୍ରେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ରାଶି ଆସିବ । ଏଥିପାଇଁ ସ୍ୱତନ୍ତ୍ର ଇ-ଭେଇକିଲ ସବ୍‌ସିଡି ପୋର୍ଟାଲ- ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍ ଜିଓଭି ଡଟ୍ ଇନ୍‌ର ଶୁଭାରମ୍ଭ କରିଛି ପରିବହନ ବିଭାଗ । ଇ-ଯାନ କ୍ରେତା ଏହି ପୋର୍ଟାଲରେ ଲଗ୍ ଇନ୍ କରି ନିଜ ଇ-ଯାନ ନମ୍ବର ଓ ଗାଡ଼ିର ଚେସିସ୍ ନମ୍ବର ଦାଖଲ ସହ ଆବଶ୍ୟକୀୟ ତଥ୍ୟ ଦାଖଲ କଲେ ସବ୍‌ସିଡି ପାଇବାକୁ ଯୋଗ୍ୟ ହେବେ । ତଥ୍ୟ ଦାଖଲର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ଆସିଯିବ ।

ଓଡ଼ିଶା ଇ-ଯାନ ନୀତି-୨୦୨୧ ଅନ୍ତର୍ଗତ, ୪ ବର୍ଷ ଲାଗି ବଳବତ୍ତର ରହିବ ସବ୍‌ସିଡି ବ୍ୟବସ୍ଥା । ଦୁଇ ଚକିଆ ଯାନ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା ସବ୍‌ସିଡି ମିଳିବାକୁ ଥିବା ବେଳେ ତିନି ଚକିଆରେ ୧୦ ହଜାର, ଚାରି ଚକିଆ ପାଇଁ ୫୦ ହଜାର ଟଙ୍କା ଯାଏଁ ସବ୍‌ସିଡି ମିଳିବ । ତେବେ ଦୁଇ ଚକିଆ କ୍ଷେତ୍ରରେ କେବଳ ଫାଷ୍ଟର ଆଡପ୍‌ସନ୍ ଆଣ୍ଡ ମାନୁଫାକ୍ଚରିଂ ଅଫ୍ ଇଲେକ୍‌ଟ୍ରିକ୍ ଭେଇକିଲ ସ୍କିମ୍ ସର୍ତ୍ତ ପୂରଣ କରୁଥିବା ଇ-ଯାନକୁ ହିଁ ଦିଆଯିବ ସବ୍‌ସିଡି । ବାହାନ ଡ୍ୟାସ୍‌ବୋର୍ଡ ତଥ୍ୟ ଅନୁସାରେ, ୨୦୨୧ ସେପ୍ଟେମ୍ବରରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୯ ହଜାର ୪୬୨ଟି ଇ-ଭେହିକିଲ ପଞ୍ଜିକୃତ ହୋଇଛି, ଯାହାକି ସବ୍‌ସିଡି ପାଇବାକୁ ଯୋଗ୍ୟ । ସରକାରଙ୍କ ସବ୍‌ସିଡି ସ୍କିମ୍‌କୁ ଇ-ଯାନ ଡିଲର ସ୍ୱାଗତ କରିଥିବା ବେଳେ ପରିବେଶ ଅନୁକୂଳ ଇ-ଯାନ ପାଇଁ ଆବଶ୍ୟକ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ପରିବେଶବିତ୍ ।

ଗତ ୧୬ ଦିନ ଭିତରେ ରାଜ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପାଖାପାଖି ୧୧ ଟଙ୍କା ମହଙ୍ଗା ହୋଇ ଯଥାକ୍ରମେ ୧୧୨ ଟଙ୍କା ଓ ୧୦୨ ଟଙ୍କା ଟପିଛି । ଏହି କାରଣରୁ ଫେବ୍ରୁଆରୀରେ ରାଜ୍ୟରେ ୧ ହଜାର ୩୮୧ଟି ବ୍ୟାଟେରୀ ଚାଳିତ ଯାନ ବିକ୍ରି ହୋଇଥିବା ବେଳେ ମାର୍ଚ୍ଚରେ ଏ ସଂଖ୍ୟା ପ୍ରାୟ ଦୁଇଗୁଣିତ ହୋଇ ୨ ହଜାର ୬୦୭ରେ ପହଞ୍ଚିିଛି ।