• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ୍‌ ହେବ ତ ଏମିତି । ଆସିଲେନି ଗାଁ ଲୋକ କି ବନ୍ଧୁବାନ୍ଧବ । ହେଲେ ଆଗେଇ ଆସିଲେ ପୋଲିସ ASI । ଏମିତିକି ମହିଳାଙ୍କ ଶବକୁ କାନ୍ଧରେ ବୋହି ବୋହି ଶ୍ମଶାନକୁ ନେବା ସହ ଅନ୍ତିମ ସଂସ୍କାର ବି କଲେ । ଯାହାକୁ ନେଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ମହଲରୁ କରାଯାଉଛି ପ୍ରଶଂସା।

ଏଭଳି ଘଟଣା ବୌଦ୍ଧ ନୂଆସାହିରୁ ସାମ୍ନାକୁ ଆସିଛି । କୌଣସି କାରଣରୁ ସୁରୁବୁଢି ବେହେରା ନାମକ ଜଣେ ମହିଳା ନିଜ ଘର ଆଗରେ ଥିବା ପିଜୁଳି ଗଛରେ ଶାଢି ବାନ୍ଧି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ହେଲେ ତାଙ୍କର ମୃତ୍ୟୁ ହେବାର ୬ ଘଣ୍ଟା ପରେ ମଧ୍ୟ ତାଙ୍କର ବନ୍ଧୁବାନ୍ଧବ କେହି ସେଠାରେ ପହଞ୍ଚିନଥିଲେ । ଫଳରେ ମହିଳାଙ୍କ ଶବ ବହୁ ସମୟ ଧରି ଘରେ ପଡି ରହିଥିଲା ।

ଆଉ ମହିଳାଙ୍କ ଶବ ପଡିଥିବା ଖବର ସ୍ଥାନୀୟ ଲୋକେ ବୁଟୁପାଲି ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଂଗଠନକୁ ଜଣେଇ ଥିଲେ । ଖବର ପାଇ ମହିଳାଙ୍କ ଶବ ସତ୍କାର ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଥିଲା । ଏହାସହ ଖବରପାଇ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ସଂଗଠନର ସଦସ୍ୟ ଶବ ଶୋଭାଯାତ୍ରା ଲାଗି ଆରମ୍ଭ କରିଥିଲେ ପ୍ରସ୍ତୁତି । ହେଲେ ବିଡ଼ମ୍ବନାର ବିଷୟ ଯେ, ସ୍ଥାନୀୟ ଲୋକ କିମ୍ବା ଗାଁ ଲୋକ ମହିଳାଙ୍କ ଶବ କାନ୍ଧେଇବା ପାଇଁ ଆଗକୁ ଆସିନଥିଲେ । ଫଳରେ ବାଧ୍ୟ ହୋଇ ବୌଦ୍ଧ ଆଦର୍ଶ ଥାନାରେ କାର୍ଯ୍ୟରତ ଥିବା ପୋଲିସ ASI ମଦନ ମୋହନ ପ୍ରଧାନ ସ୍ୱେଚ୍ଛାସେମୀଙ୍କ ସହ ମିଶି ଶବ କାନ୍ଧେଇ ଶ୍ମଶାନକୁ ନେଇଥିଲେ ।

ତେବେ ମହିଳାଙ୍କ ଶବକୁ ବୌଦ୍ଧ ରାଜଘାଟରେ ସତ୍କାର କରାଯାଇଥିବା ବେଳେ ତାଙ୍କର ୧୨ ବର୍ଷର ପୁଅ ଯୋଗେଶ୍ୱର ମୁଖାଗ୍ନି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜିକା ସମୟରେ ଗାଁ ଲୋକ କି ପରିବାର ଯେଉଁଠି ଶବ ଛୁଇଁଲେନି କି ପାଖକୁ ଆସିଲେନି। ସେଇଠି ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

 

 

ରିପୋର୍ଟ -ଦୀପକ ମେହେର)