• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆହାର କେନ୍ଦ୍ରରେ ମିଳୁନି ଆହାର । ଅନେକ ସମୟରେ ଭୋକ ଉପାସରେ ଫେରୁଛନ୍ତି ଶହଶହ ଲୋକ । ଇଏ ଦିନେ କି ଦୁଇଦିନର କଥା ନୁହେଁ ବରଂ ନିତିଦିନିଆ କଥା । ସରକାର ଗରିବଙ୍କୁ ପାଞ୍ଚ ଟଙ୍କାରେ ଖାଦ୍ୟ ଯୋଗାଇବା ପାଇଁ ଆହାର ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଯେଉଁମାନଙ୍କ ପାଇଁ ଏ ଯୋଜନା କରାଯାଇଛି ସେମାନେ ଖାଦ୍ୟ ପାଉନଥିବା ଅଭିଯୋଗ କରିଛନ୍ତି l ପାଞ୍ଚ ଟଙ୍କାରେ ଖାଦ୍ୟ ଯୋଗାଉଥିବା ନେଇ ସରକାର ଡିଣ୍ଡିମ ପିଟି ବାହାବହା ନେଉଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ବ୍ୟାସନଗର ପୌରାଞ୍ଚଳ ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ । ଏହି ଆହାର କେନ୍ଦ୍ରରୁ ନିଇତି ଖାଇବା ନପାଇ ଶହଶହ ଲୋକ ଭୋକିଲା ଫେରୁଛନ୍ତି ।

୫ ଟଙ୍କାରେ ଗରିବ ଲୋକଙ୍କୁ ଭାତ ଡାଲମା ଦେବା ପାଇଁ ସରକାର ଆହାର ଯୋଜନା ଆରମ୍ଭ କରିଥିଲେ । ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ହିତାଧିକାରୀ ପାଉନାହାନ୍ତି ଖାଦ୍ୟ । ଆହାର କେନ୍ଦ୍ର ବନ୍ଦ ହେବାର ଏକ ନିର୍ଦ୍ଧାରିତ ସମୟ ରହିଛି । କିନ୍ତୁ ଏହାର ବହୁ ପୂର୍ବରୁ ପଡ଼ିଯାଉଛି ସଟର । କୁହାଯାଉଛି ସରିଗଲାଣି ଖାଦ୍ୟ । ଯାହାଫଳରେ ଖାଇବାକୁ ନପାଇ ନିରାଶ ହୋଇ ଫେରୁଛନ୍ତି ଅନେକ ଲୋକ ।

ଅଧିକ ପଢ଼ନ୍ତୁ: ଆହାର କେନ୍ଦ୍ରର ନୂଆ ଯୋଜନା; ମଣିଷ ଖାଇବେ ଯୋଉଠି, ଗାଈ ଖାଇବେ ସେଇଠି

ଅସହାୟ ବୃଦ୍ଧ, ଦିନ ମଜୁରିଆ, ଗରିବ ଖଟିଖିଆ ସଟର ବନ୍ଦ ଥିବା ଦେଖି ନିରାଶ ହେଉଛନ୍ତି । ହେଲେ ସେଠାରେ ପହଞ୍ଚିବା ପରେ  ଯେଉଁ କିଛି ସମୟ ରହୁଛନ୍ତି, ଭୋକ ବିକଳରେ ସଟର ଖଟ ଖଟ କରି ଆହାର କେନ୍ଦ୍ର କର୍ମଚାରୀଙ୍କୁ ଡାକିବାକୁ ଚେଷ୍ଟା କରୁଛନ୍ତି । କାଳେ କିଛି ଖାଇବା ବଳିଥିବ କି ? କାଳେ କିଛି ଖାଇବାକୁ ମିଳିବ କି ? କାରଣ ଅନେକ ଆଶା ରଖି ଆହାର କେନ୍ଦ୍ରକୁ ଆସିଥିବା ଏହି ଅମାନିଆ ମନ ଏତେ ସହଜରେ ବୁଝୁନି । ହେଲେ କ’ଣ ହେବ ଆହାର କେନ୍ଦ୍ର ସଟର ଯେତେ ବାଡ଼େଇଲେ ବି କେହି ଶୁଣୁ ନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା.. ଏହି କେନ୍ଦ୍ରରେ କେବଳ ଖାଇବାର ବ୍ୟବସ୍ଥା ହୋଇଥିଲେ ବି ଶହଶହ ପାର୍ସଲ କାଳେ ଏଇଠୁ ଯାଉଥିବା ଲୋକେ ଦେଖୁଛନ୍ତି । ଏନେଇ ସଙ୍ଗୀନ ଅଭିଯୋଗ ଆସିଛି । ଆଶ୍ଚର୍ଯ୍ୟର କଥା ପ୍ରଶାସନର ନାକ ତଳେ ଏମିତି ଆହାର କେନ୍ଦ୍ରରେ ଏତେ ବଡ ଘୋଟାଲା ହେଉଛି କିନ୍ତୁ ସବୁ ଚୁପ୍ । ସେପଟେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ସଫେଇ ଦେଇ କହିଛନ୍ତି ଲିମିଟେଡ୍ ମିଲ୍ ବ୍ୟବସ୍ଥା ଥିବାରୁ ଏମିତି ଅସୁବିଧା ହେଉଛି । ଅଧିକ ସଂଖ୍ୟାରେ ମିଲ୍ ଦେବାକୁ ସରକାରଙ୍କୁ ଅନୁରୋଧ କରିବୁ ।

ଗୋଟିଏ ପଟେ କୌଣସି ଗରିବ ଲୋକ ଯେମିତି ଭୋକ ଉପାସରେ ନରୁହେ ସେଇଥିପାଇଁ ମାତ୍ର ୫ ଟଙ୍କାରେ ଆହାର ଯୋଜନା କରିଛନ୍ତି ସରକାର । ହେଲେ ଆହାର କେଦ୍ରରେ କେମିତି ବାଟମରଣା ହେଉଛି ଖାଦ୍ୟ ତାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନବାଚୀ ।

(ରିପୋର୍ଟ- ଜନ୍ମେଜୟ ଦାସ୍‌, ଯାଜପୁର ରୋଡ)