• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଖିରେ ଆଖିଏ ଲୁହ ନେଇ, ପୁଅର ଫଟୋକୁ ପଣତରେ ପୋଛି ଦେଉଥାଏ ମାଆ । ବାପା ପାଖରେ ବସି କଣ କାଗଜ ପତ୍ର ଦେଖୁଥାନ୍ତି । ଏମିତି କିଛି ଦୃଶ୍ୟ ଦେଖିଲଷ ଆପଣ ବୁଝିଯିବେ ଯେ, ତାଙ୍କ ପୁଅ ଆଉ ନାହିଁ । ୨୨ ବର୍ଷର ଭେଣ୍ଡିଆ ପୁଅକୁ ହରାଇଛନ୍ତି ଏହି ବାପା ମାଆ । ଦେଶ ସେବା କରୁ କରୁ ଜୀବନ ହାରିଛି ତାଙ୍କ ପୁଅ ।

ସିଆରପିଏଫର ଫୋର୍ସ ନମ୍ବର – ୦୩୧୫୩୪୬୩୯, ବାଟାଲିୟନ ନମ୍ବର ୧୩ । ଝାଡଖଣ୍ଡର ଯବାନ ପ୍ରଭାସ କୁମାର ମହାନ୍ତି । ଗତ ୨୦୦୬ ମସିହା ଅପ୍ରେଲ ମାସରେ ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନ ଡ୍ୟୁଟିରେ ଯାଇଥିଲେ । ଅପ୍ରେଲ ୧୯ ତାରିଖରେ ଡ୍ୟୁଟିରୁ ଫେରି ଗାଧୋଇବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପରିବାରକୁ ସୁଚନା ଦିଆଗଲା ।

ସେହି ଦିନଠୁ ଆରମ୍ଭ ହେଲା ତାଙ୍କ ପରିବାର ଜୀବନର ଦୁଃଖ କାହାଣୀ । ଘଟଣା ଘଟିବାର ୧୬ ବର୍ଷ ବିତିଗଲାଣି, ହେଲେ ତାଙ୍କର ପେନସନ କିମ୍ବା ପରିବାରର ଜଣଙ୍କୁ ଚାକିରି ଦେବା କଥା ସରକାର ସମ୍ପୂର୍ଣ୍ଣ ଭୁଲିଗଲେଣି । ଏହି ଘଟଣାଟି ହେଉଛି କୋରାପୁଟ ବ୍ଲକ ଅନ୍ତର୍ଗତ କୋଲାବ ନଗରର । କୋଲାବ ଜଳ ବିଦ୍ୟୁତ୍ ଯୋଜନାରେ ଏକ ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ପ୍ରଫୁଲ୍ଲ ମହାନ୍ତି ଓ ତାଙ୍କ ପରିବାର କେମିତି ବଞ୍ଚୁଛନ୍ତି ତାହା ଦେଖିଲେ ଆପଣଙ୍କ ଆଖି ବି ଆପେ ଓଦା ହୋଇଯିବ ।

ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି । ତାକୁ ୩୨ ବର୍ଷ ହେବାରୁ ସେନାରେ ଚାକିରି ମିଳିବନି ବୋଲି ରୋକଠୋକ୍ ମନା କରାଯାଇଛି । ଘରକୁ ପ୍ରଫୁଲ୍ଲ ମହାନ୍ତିଙ୍କ ପେନ୍‌ସନ୍ ଆସୁଥିବାରୁ ସହିଦ୍ ପୁଅର ପେନସନ୍ ମିଳିପାରିବନି ବୋଲି ଜଣାଇଛନ୍ତି କର୍ତ୍ତୁପକ୍ଷ । ଏବେ କଣ କରିବେ ପରିବାର ତାକୁ ନେଇ ଚିନ୍ତା ।

ଦେଶ ମାତୃକା ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ୨୨ ବର୍ଷର ଭେଣ୍ଡିଆ ପୁଅ ପାଇଁ ଯେତିକି ଦୁଃଖ ଥିଲା, ତାଠାରୁ ବଳିଗଲା ଏଇ ପେନ୍‌ସନ୍‌ ଆଉ ଚାକିରି ଚିନ୍ତା । ସରକାରଙ୍କ ଚରମ ଅବହେଳା ପାଇଁ ଏହି ସୈନିକ ପରିବାର ଆଜି ଦୁର୍ଦିନରେ । ଏବେ ଦାନା ଓ କନା ପାଇଁ ବାର ଦୁଆର ବୁଲୁଛନ୍ତି ଯବାନଙ୍କ ବାପା ମା ଓ ଭାଇ ।

ଲକ୍ଷାଧିକ ଟଙ୍କା କାଗଜପତ୍ରରେ ଖର୍ଚ୍ଚ କରି ସାରିଥିବା ବେଳେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରି ସାରିଛନ୍ତି । ତଥାପି ମିଳିପାରିଲାନି ସହାୟତା । ଶେଷରେ ପେନସନ ପାଉଥିବାରୁ ଦିଆଯିବ ନାହିଁ କୌଣସି ସହାୟତା ବୋଲି ଲିଖିତ ଆକାରରେ ଜଣାଇଦେଲେ କର୍ତୁପକ୍ଷ ।