• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ହେଲା ରାସ୍ତା । ହେଲେ ସାମାନ୍ୟ ଭୁଲ ପାଇଁ ତାହା କାମରେ ଲାଗୁନି । ରାସ୍ତା ନିର୍ମାଣ ହୋଇଥିଲେ ବି, ଏହି ଟଙ୍କା କିନ୍ତୁ ପାଣିରେ ପଡ଼ିବା ଭଳି ହେଲା । କାରଣ ଲୋକମାନେ ଏହି ରାସ୍ତାରେ ନା ଯାଇ ପାରୁଛନ୍ତି ନା ଏହାକୁ କୌଣସି କାମରେ ବ୍ୟବହାର କରୁଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା କାହାଣୀ..। 

ଏମିତି ପାରିବା ପଣିଆ ସରକାରୀ ବାବୁ ଆପଣ କୋଉଠି ଦେଖିନଥିବେ । ସାଢେ ସାତ କିଲୋମିଟର ରାସ୍ତା ତିଆରି କଲେ, ହେଲେ ଆଉ ଦେଢ କିମି ରାସ୍ତା ନିର୍ମାଣ ପାଇଁ ଭୁଲି ଗଲେ । ଯେଉଁଥିପାଇଁ ପାଣିରେ ପଡିଲା ତିନି କୋଟି ଟଙ୍କା । ସେଢ଼େ ସାତ କିଲୋମିଟର ରାସ୍ତା ଚକାଚକ ଭାବେ  ତିଆରି ହେଲା । ହେଲେ କୌଣସି ଉପକାରରେ ଆସିଲା ନାହିଁ । କାରଣ ଚକାଚକ ଥିବା ରାସ୍ତାର, ଦେଢ କିମି ରାସ୍ତା ଅବସ୍ଥା ଏମିତି ଯେ ସେ ରାସ୍ତାରେ ଯିବା ସମ୍ଭବ ହେଉନି ।

କୋରାପୁଟ ଲଷ୍ମୀପୁର ବ୍ଲକର କେରିମିଟି, ମୁରଲାପୁଟ, ସାପାମ୍ବା ଓ ରୋହିଅମ୍ବା ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୩ କୋଟି ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଅଂଟା ଭିଡିଥିଲା। ଏମିତିକି ବ୍ୟୟବରାଦ ହୋଇଥିବା ରାସ୍ତା ବି ନିର୍ମାଣ ହେଲା କିନ୍ତୁ ପୂରା ହେଲାନି । ଯେଉଁଥି ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ସରିବା ପରେ ବ୍ୟବହାର ହୋଇପାରୁନି ସେହି ରାସ୍ତା ।

ନାରାୟଣପାଟଣା ବ୍ଲକ ସୀମାନ୍ତକୁ ଲାଗିଥିବା ଗାଁ ଗୁଡିକୁ ଯିବାକୁ ହେଲେ ପଟ୍ଟାମୁଣ୍ଡା ଦେଇ ଯିବାକୁ ପଡେ । ତେବେ ପଟ୍ଟାମୁଣ୍ଡାଠାରୁ ଦେଢ କିମି ପର୍ଯ୍ୟନ୍ତ ଘାଟି ରାସ୍ତା ଏବେସୁଦ୍ଧା ତିଆରି ନହେବା କାରଣରୁ ଚାରିଖଣ୍ଡ ଗାଁ ଲୋକ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ଅଂଚଳ ମାଓ ଅଧ୍ୟୁଷିତ ଥିବାରୁ ରାସ୍ତା ନିର୍ମାଣକୁ ଫୋକସ୍‌ କରିଥିଲା ପ୍ରଶାସନ । ହେଲେ ବେଫିକର ମନୋବୃତ୍ତି ପାଇଁ ଆଜି ପାଣିରେ ପଡିଛି ୩ କୋଟି।

ଭଲ ରାସ୍ତାଟିଏ ନଥିବା କାରଣରୁ ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା, ଚାଉଳ, ଗହମ ଭଳି ଅନେକ ମୌଳିକ ସୁବିଧା ପାଇବାରୁ ଏମାନେ ବଂଚିତ ହେଉଛନ୍ତି । ଏମିତିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏମାନେ ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ହୋଇପାରି ନାହିଁ । ସେଥିପାଇଁ ଗାଁ ଲୋକଙ୍କ ମନରେ ଅସନ୍ତୋଷ ତେଜୁଛି ।

 

(ରିପୋର୍ଟ- ପି ଗୋବିନ୍ଦ ରାଜ ସୁବୁଦ୍ଧି, ନାରାୟଣପାଟଣା)