Advertisment

ଯାହା ଶଙ୍କା ଥିଲା, ତାହା ସତ ହେଲା ! ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଯୋଗୁଁ କ୍ଷତି ସହିଛି ଐତିହ୍ୟ କିର୍ତ୍ତୀରାଜି

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Srimandir

ଯାହା ଶଙ୍କା ଥିଲା ସେୟା ହେଲା, ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଚାଲିଥିବା ଗଭୀର ଖନନରେ ବହୁ କିର୍ତ୍ତୀରାଜୀ ବଳି ପଡ଼ିଥିବା କଥା ସତ ହେଲା । ଆଜି ଏମଆର ମଠ ପରିସରରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଭଙ୍ଗା ସିଂହମୂର୍ତ୍ତି ମିଳିବା ପରେ ସୃଷ୍ଟି ହୋଇଛି ସେବାୟତ, ବୁଦ୍ଧିଜୀବୀ ଓ ଐତିହ୍ୟ ଗବେଷକଙ୍କ ମନରେ ଗଭୀର ଆଲୋଡ଼ନ ।

Advertisment

ଭାଙ୍ଗିରୁଜି ହାମୁଡିଛି ଦିଗଡ଼ ସିଂହମୂର୍ତ୍ତି । ମାଟିରେ ଲୋଟୁଛି ପୁରାତନ କିର୍ତ୍ତୀରାଜି । ଯିଏ ସାଇତା ହୋଇ ପୂଜା ପାଇବା କଥା, ସିଏ ଜେସିବି ମାଡ଼ରେ ଖଣ୍ଡ ଖଣ୍ଡ । ପୁରୀ ଏମଆର ମଠ ପରିସରରେ ଶ୍ରୀଜଗନ୍ନାଥ ହେରିଟେଜ୍ ପ୍ରକଳ୍ପ ପାଇଁ ଚାଲିଥିବା ଖନନ ସ୍ଥଳରୁ ଖଣ୍ଡ ବିଖଣ୍ଡିତ ସିଂହମୂର୍ତ୍ତି ମିଳିବା ପରେ ଭକ୍ତ ଓ ଐତିହ୍ୟପ୍ରେମୀଙ୍କ ମନରେ ତୀବ୍ର ଆଲୋଡ଼ନ । ଖାଲି ସେତିକି ନୁହେଁ, କ୍ଷତାକ୍ତ ହୋଇଛି ଏମଆର ମଠ କାନ୍ଥରେ ଚିତ୍ରିତ ଦୁର୍ଲଭ ରାମାଭିଷେକ ମୂର୍ତ୍ତି ।

ଏସବୁ ଦେଖି ଅଭିଯୋଗ ହେଉଛି ପ୍ରକଳ୍ପ କାମ ଆରମ୍ଭରୁ ଯଦି ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ସିଷ୍ଟମ୍‌ ବା ଜିପିଆରଏସ୍ ସର୍ଭେ ହୋଇଥାନ୍ତା, ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା । ଏମିତିକି ଗତ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ, ଓବିସିସି ଓ ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଜଏଣ୍ଟ ଭେରିଫିକେସନ୍ ହୋଇଥିଲା । ଏହି ସମୟରେ ଏଏସ୍ଆଇ ହାସଲ କରିଥିବା ତଥ୍ୟକୁ ହାଇକୋର୍ଟରେ ସତ୍ୟପାଠ ଆକାରରେ ଦାଖଲ କରି ଆଶଙ୍କା କରିଥିଲା ଯେ, ଏଭଳି ଖନନ ଯୋଗୁଁ ବହୁ ପୁରାତନ କିର୍ତ୍ତୀରାଜି ନଷ୍ଟ ହୋଇଥାଇପାରେ । ଆଉ ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି ।

Advertisment

ସେପଟେ ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ । ନିଷିଦ୍ଧାଞ୍ଚଳରେ ଚାଲିଥିବା ପ୍ରକଳ୍ପ କାମରେ ଆମ୍‌ସାର୍‌ ଆକ୍ଟର ଖୋଲାଖୋଲି ଉଲ୍ଲଂଘନ ଓ ଏଥିଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟ ଯିବାକୁ ସଜବାଜ ହେଉଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଅଭିଯାନ ଦର୍ଶାଇଛି, ଏନେଇ ହାଇକୋର୍ଟରୁ ଆଶାନୁରୂପ ନ୍ୟାୟ ନମିଳିବା ପରେ ଏବେ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହେବୁ । ତୁରନ୍ତ ବେଆଇନ୍ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ପାଇଁ ନିବେଦନ କରିବୁ ।

ଏଣେ ପ୍ରକଳ୍ପ ବିରୋଧୀଙ୍କ ଆକ୍ସନକୁ ଦେଖି ଛାନିଆ ରାଜ୍ୟ ସରକାର । ମାମଲାକୁ ନେଇ ଗତ ୯ ତାରିଖରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କିଛି ବ୍ୟକ୍ତି ବା ଅନୁଷ୍ଠାନ ସୁପ୍ରିମକୋର୍ଟ ଯିବା ସମ୍ଭାବନା ଥିବାରୁ ଆଇନଜୀବୀ ଗୌରବ ଖାନ୍ନାଙ୍କୁ ଆଡଭୋକେଟ୍ ଅନ୍ ରେକର୍ଡ ଭାବେ ନିଯୁକ୍ତି ଦେବାକୁ ଗତ ୧୨ ତାରିଖରେ ଆଇନ ବିଭାଗକୁ ଚିଠି ଲଖିଛି ପୂର୍ତ୍ତ ବିଭାଗ । ପରେ ୧୩ ତାରିଖ ଦିନ ପୂର୍ତ୍ତ ବିଭାଗ, ଓବିସିସିକୁ ଚିଠି ଲେଖି ସୁପ୍ରିମକୋର୍ଟରେ କ୍ୟାଭେଟ୍ ଫାଇଲ୍ କରିବା ପାଇଁ ଜଣାଇଛି । ଏବେ ଦେଖିବାର କଥା, ପ୍ରତ୍ୟକ ଦିନ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଆଗକୁ କେଉଁ ମୋଡ଼ ନେଉଛି ?

Srimandir LordJagannath
Advertisment
Advertisment