/odishatv-khabar/media/post_attachments/uploadimage/library/16_9/16_9_0/HC_Bench__1652972023.jpg)
HC Bench
ପୁଣି ଚର୍ଚ୍ଚାକୁ ଫେରିଲା ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗ । ଏଥର କିନ୍ତୁ ବେଂଚ ପ୍ରତିଷ୍ଠା କରିବାକୁ ଦାବି ନୁହେଁ ବରଂ ନକରିବାକୁ ଜୋର ଧରିଛି ଦାବି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଯେଉଁ ଦାବି ହୋଇଆସୁଛି ତାକୁ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଏନେଇ ସଂଘ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଛି, ଯେଉଁଥିରେ ବେଂଚ ପ୍ରତିଷ୍ଠା ପାଇଁ ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବାର୍ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଏଥିଲାଗି ଏକ ଆକ୍ସନ କମିଟି ଗଠନ ହେବ । ସଂଘର ଯୁକ୍ତି ହେଲା, ହାଇକୋର୍ଟଠାରୁ ୬୦୦ କିଲୋମିଟର ଭିତରେ କୌଣସି ସ୍ଥାୟୀ ବେଂଚ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ତେଣୁ ଏହାର ଆବଶ୍ୟକତା ନାହିଁ । ଏବେ ଅନେକ ମାମାଲାର ଶୁଣାଣି ଭର୍ଚୁଆଲ୍ ମୋଡ୍ରେ ହେଉଛି, ଅନ୍ଲାଇନ୍ରେ ବି ଅନେକ କାମ ହେଉଛି । ତେଣୁ ବେଂଚ ପ୍ରତିଷ୍ଠା ହେଲେ ବ୍ୟୟବହୁଳ ହେବ ବୋଲି ସଂଘ ଯୁକ୍ତି ରଖିଛି ।
ତାଛଡ଼ା ବିଭିନ୍ନ ସ୍ଥାନରେ ତଳ କୋର୍ଟ ଖୋଲିବା ଲାଗି ସରକାର ନିଷ୍ପତ୍ତି ନେଉଛନ୍ତି । ଏପରି ହେଲେ ଲୋକଙ୍କୁ ଡୋର୍ ଷ୍ଟେପ୍ରେ ନ୍ୟାୟ ମିଳିପାରିବ । ତେବେ ହାଇକୋର୍ଟ ବାରର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି ପଶ୍ଚିମ ଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ପୂର୍ବରୁ ବିରୋଧ କରୁନଥିଲେ, ଏବେ କାହିଁକି ବିରୋଧ ବୋଲି କମିଟି ପ୍ରଶ୍ନ କରିଛି । ବ୍ରହ୍ମପୁର ଓକିଲ ସଂଘ ମଧ୍ୟ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛି ।
ହାଇକୋର୍ଟ ନୂଆ ବେଂଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନ ମନ୍ତ୍ରୀ କରିଣ ରିଜିଜୁଙ୍କୁ ଏପ୍ରିଲ୍ ମାସରେ ଚିଠି ଲେଖିବା ପରେ ବେଂଚ ପ୍ରତିଷ୍ଠା ଆଶା ସଂଚାର ହୋଇଥିଲା । ହେଲେ ହୋଇକାର୍ଟ ବାର୍ ଆସୋସିଏସନ୍ର ନିଷ୍ପତ୍ତି ଏହାକୁ ଏକ ପ୍ରକାର ଧକ୍କା ଦେଇଛି । ସେପଟେ ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି । ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ବେଶ୍ କିଛି ଦିନ ହେଲା ଏକ ପ୍ରକାର ଶୁପ୍ତ ଅବସ୍ଥାରେ ରହିଥିଲା । ହେଲେ ହାଇକୋର୍ଟ ବାରର ବିରୋଧ ଆଭିମୁଖ୍ୟ ପରେ ବିବାଦ ତେଜିବ ବୋଲି ଆଶଙ୍କା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)