• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏମିତି ଏକ ସମସ୍ୟା, ବୋଧହୁଏ କେହି କେବେ ଶୁଣିନଥିବେ । ଅଭିଭାବକ ମାନେ ଆଜି ଯାହା ଭୋଗୁଛନ୍ତି ବୋଧହୁଏ ଆଉ କେହି କେବେ ଭୋଗିନଥିବେ । ଭଦ୍ରକ ଚାନ୍ଦବାଲି ବ୍ଲକ ଗାନ୍ଧିନଗରର ପୁର୍ଣ୍ଣଚନ୍ଦ୍ର ଦାସ । ତାଙ୍କର ୨୦୧୬ରେ ପୁଅ ଆଉ ୨୦୧୭ରେ ଝିଅଟିଏ ଚାନ୍ଦବାଲି ମେଡିକାଲରେ ଜନ୍ମ ହୋଇଥିଲା । ହେଲେ ଆଜିକୁ ୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି ।

ସେହିଭଳି ଆଉ ଜଣେ ହେଲେ ବାଲିଗାଁର ଭଗବାନ ସାହୁ । ୨୦୧୭ରେ ଏହି ଚାନ୍ଦବାଲି ମେଡ଼ିକାଲରେ ତାଙ୍କର ଝିଅ ଜନ୍ମ ହୋଇଛି । ହେଲେ ଝିଅକୁ ୬ବର୍ଷ ବୟସ ହୋଇଗଲାଣି ସିନା ଜନ୍ମପ୍ରମାଣ ପତ୍ରର ନାଁ ଗନ୍ଧ ନାହିଁ । କେବଳ ପୂର୍ଣ୍ଣଚନ୍ଦ୍ର କିମ୍ବା ଭଗବାନ ନୁହଁନ୍ତି । ଜାଣିଲେ ଆଶ୍ଚଯର୍ୟ ହେବେ ଏହି ବ୍ଲକର ହଜାର ହଜାର ପିଲାଙ୍କର ତିଆରି ହୋଇପାରିନି ଜନ୍ମ ପ୍ରମାଣପତ୍ର । ଫଳରେ ଅଭିଭାବକ ମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠୁ ଆରମ୍ଭ କରି ନାନା ସରକାରୀ ଅଫିସକୁ ଦୌଡ଼ି ନିରାଶ ହେବାକୁ ପଡୁଛି ।

ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ, ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ରୁ ୨୦୨୦ ଭିତରେ ଜନ୍ମିତ ପିଲାଙ୍କ ତଥ୍ୟ କୁଆଡ଼େ ଡିଲିଟ୍ ହୋଇଯାଇଛି । କିନ୍ତୁ କର୍ତ୍ତପକ୍ଷ କେବେ କହୁଛନ୍ତି ପଞ୍ଜିକରଣ ୱେବ୍‌ସାଇଟ୍ ଅଚଳ ତ କେବେ କହୁଛନ୍ତି ଅନଲାଇନ୍‌ରେ ଡାଟା ଆଉ ନାହିଁ । ତେଣେ ପ୍ରଶାସନର ସତମିଛ ଖେଳ ଭିତରେ ଛନ୍ଦି ହେଉଛନ୍ତି ନିରୀହ ଜନତା । ପ୍ରତିଦିନ ନିଜ ପିଲାଙ୍କ ଜନ୍ମ ପ୍ରମାଣପତ୍ର ଖଣ୍ଡିକ ପାଇଁ ୨୦-୩୦ କିଲୋମିଟର ଦୂରରୁ ଆସି ନିରାଶ ହୋଇ ଘରକୁ ଫେରୁଛନ୍ତି । ଫଳରେ ଜନ୍ମ ପ୍ରମାଣପତ୍ର ନଥିବାରୁ ସ୍କୁଲ ଆଡମିଶନ, ଆଧାର କାର୍ଡ, ସୁକନ୍ୟା ସମୃଦ୍ଧି ଯୋଜନାରେ ନାଁ ସାମିଲ ହୋଇପାରୁ ନାହିଁ ।

ବିଡ଼ମ୍ବନାର କଥା ହେଉଛି, ଏହି ସମସ୍ୟାକୁ ଆଜିକୁ ୫/୬ ବର୍ଷ ହୋଇଗଲାଣି । ସମସ୍ୟା ସମ୍ପର୍କରେ ପଚାରିଲେ ଦାୟିତ୍ୱହୀନ ମନ୍ତବ୍ୟ ଦେଇ କାମ ସାରିଦେଉଛନ୍ତି ସରକାରୀ ବାବୁ । ଚାନ୍ଦବାଲି ମେଡିକାଲ ଅଫିସର କହୁଛନ୍ତି, ଆବେଦନ ସଂଖ୍ୟା ବହୁତ । ୩ ହଜାରରୁ ଅଧିକ ପିଲାଙ୍କୁ ସାର୍ଟିଫିିକେଟ ଦିଆଯାଇପାରୁନି । ଉପରକୁ ବହୁବାର ଜଣାଇଛୁ କିନ୍ତୁ ସମାଧାନ ହେଉନି । ଭଦ୍ରକ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହୁଛନ୍ତି ଡାଟା ଅନଲାଇନରୁ ପଳେଇଛି । ଭୁବନେଶ୍ୱରରୁ ପୁଣି ଲୋଡ ହେଲେ ଯାଇ ଯାହା ହୋଇପାରିବ । ନଚେତ ସିଡିଏମଓ କିମ୍ବା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାକୁ କହି ନିଜେ ହାତ ଟେକି ଦେଉଛନ୍ତି ଏଡିଏମ୍ଓ ।

ଗତ ୬ ବର୍ଷର ଏହି ସମସ୍ୟା ପାଇଁ ତାହେଲେ ଦାୟୀ କିଏ ? ଯଦି ଅନଲାଇନରେ ପିଲାଙ୍କ ତଥ୍ୟ ଉପଲବ୍ଧ ନାହିଁ, ମମତା କାର୍ଡରୁ ତଥ୍ୟ ନେଇ ଅପଲୋଡ଼ କରାଯାଉନି କାହିଁକି ? ଅନଲାଇନ୍‌ରୁ ଡାଟା ଗାୟବ ପଛରେ ରହିଛି କି କୌଣସି ଭିନ୍ନ ଉଦ୍ଦେଶ୍ୟ ? ଏବେ ଏଭଳି ନାନା ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି ।