• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖଟ ଉପରେ ବେଶ୍‌ ଖୁସିରେ ଖେଳୁଛି କୁନି ପୁଅ । କେତେବେଳେ ମୋବାଇଲ ଧରି ଭିଡିଓ ଦେଖି ହସୁଛି ତ ଆଉ କେତେବେଳେ ଖଟ ଉପରେ ଖେଳନା ଧରି ଗଡି ଯାଉଛି ଗଡି ଆସୁଛି । ପୁଣି କେତେବେଳେ ବ୍ୟାଟେରୀ ଚାଳିତ ଗାଡିରେ ବସି ଘର ଭିତରେ ବୁଲୁଛି । ଏତେ ସବୁ ଜାଣିବା ପରେ ଆପଣ ଭାବୁଥିବେ ପିଲାଟି ଭାରି ଖୁସି ଅଛି । ଆଉ ଖୁସିରେ ବୁଲୁଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କଥା କଣ ?

ଆଜ୍ଞା ହଁ ଏଥିରେ ଆଶ୍ଚର୍ଯ୍ୟ ହେବାର ହିଁ ଅଛି । କାରଣ ବାହାରୁ ଯିଏ ଏହା ଦେଖିବ ସେ ଭାବିବ ନିଶ୍ଚୟ ଯେ, କୁନି ପିଲାଟି ଭାରି ଖୁସି । କିନ୍ତୁ ବାସ୍ତବରେ ସେ ପିଲା ଭିତରେ ଯେଉଁ ଯନ୍ତ୍ରଣା ଭରି ହୋଇ ରହିଛି, ତାହା ଜାଣିବା ପରେ ଆପଣ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ହଁ, ସେ କୁନି ପୁଅର ନାଁ ହେଉଛି ସ୍ୱରୂପ ମିଶ୍ର । ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ଏମିତି ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଯେ ତାର କଷ୍ଟକୁ ସେ ବୁଝିପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି ? ଆଉ ସେହି କଷ୍ଟ ଭିତରେ ବି ଖେଳରେ ମାତିଛି ସ୍ୱରୂପ ।

ଜନ୍ମ ହେବା ପରେ ପରିବାରରେ ଖେଳିଯାଇଥିଲା ଖୁସିର ଲହରୀ । ପୁଅ ହୋଇଥିବାରୁ ସମସ୍ତେ ଖୁସି ବି ଥିଲେ । ହେଲେ ସ୍ୱରୂପ ଜନ୍ମ ହେବାର ମାତ୍ର ୬ ମାସ ପରେ ସବୁ ଖୁସିରେ ପଡିଥିଲା ଯବନିକା । କାରଣ ଜଣାପଡିଥିଲା ସ୍ୱରୂପ ଥାଲେସେମିଆ ରୋଗରେ ପୀଡିତ । ଆଉ ପୁଅର ରୋଗ ସମ୍ପର୍କରେ ଜାଣି ସ୍ତବ୍ଧ ହୋଇଯାଇଥିଲା ପରିବାର । କେମିତି ପୁଅ ଭଲ ହେବ ସେଇ ଚିନ୍ତାରେ ଏବେ ବାପା ରଶ୍ମିରଂଜନ ଓ ମାଆ ପୂଜା ।

ଦିନ ଯେତିକି ଯେତିକି ବଢୁଛି ପୁଅର କଷ୍ଟ ବି ସେତିକି ସେତିକି ବଢୁଛି । ଆଉ ପୁଅକୁ ଭଲ କରିବାକୁ ହେଲେ ମାତ୍ର ୪୦ ଦିନ ଭିତରେ ଦରକାର ୪୦ ଲକ୍ଷରୁ ଅଧିକ ଟଙ୍କା । ରଶ୍ମିରଂଜନ ବିଦ୍ୟୁତ ବିଭାଗରେ ଜଣେ ସାଧାରଣ କର୍ମଚାରୀ । ଯେତିକି ରୋଜଗାର କରନ୍ତି ସେତିକିରେ ବେଶ୍‌ କଷ୍ଟରେ ପରିବାର ଚଳେ । ହେଲେ ୪୦ ଲକ୍ଷ ଟଙ୍କା ତାଙ୍କ ପାଇଁ ନିଶ୍ଚୟ ସ୍ୱପ୍ନ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ବଂଚାଇବାକୁ ପରିବାର ଲୋକ ନବରଙ୍ଗପୁରଠୁ ଆରମ୍ଭ କରି କୋରାପୁଟ ଭୁବନେଶ୍ୱର ଏମ୍‌ସ ପର୍ଯ୍ୟନ୍ତ ସବୁଠି ଡାକ୍ତର ଦେଖାଇଛନ୍ତି । ହେଲେ ପୁଅ ଭଲ ହୋଇନି । ଶେଷରେ ସ୍ୱରୂପ ଏବେ ବେଙ୍ଗାଲୁରୁର ନାରାୟଣୀ ମେଡିକାଲରେ ଚିକିତ୍ସିତ ହେଉଛି । ଡାକ୍ତର କହୁଛନ୍ତି ବୋନ୍‌ ଟ୍ରାନ୍ସପ୍ଲାଣ୍ଟ ହେଲେ ସ୍ୱରୂପ ଭଲ ହେବ । ଆଉ ଏଥିପାଇଁ ଦରକାର ୪୦ ଲକ୍ଷରୁ ଅଧିକ ଟଙ୍କା ।

ପୁଅକୁ ଭଲ କରିଦେବା ପାଇଁ ରଶ୍ମିରଂଜନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟ୍ୱିଟ୍‌ କରି ସାହାଯ୍ୟ ମାଗିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ମିଳିପାରିନି ସାହାଯ୍ୟ । ଶେଷରେ ନିଜ ପୁଅକୁ ବଂଚାଇବା ପାଇଁ ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି ବାପା-ମାଆ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ କହିଛନ୍ତି ସ୍ୱରୂପଙ୍କୁ RBSK ଯୋଜନାରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ।

ତେବେ ଆପଣ ଯଦି ସ୍ୱରୂପଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ.. Account Holder Name- ପୂଜା ପଣ୍ଡା Account No-625102010009436 IFSC CODE- UBIN0562513 Mobile No-9437868227 ରେ ଯୋଗାଯୋଗ କରିବା ସହ ସାହାଯ୍ୟ କରିବେ ପାରିବେ ।

(ରିପୋର୍ଟ- ନବରଙ୍ଗପୁର ନବଘନ ବିଷୋୟୀ)