• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଓଡ଼ିଶା ଡ୍ରାଇଭର ମହାସଂଘର ହଲ୍ଲାବୋଲ । ୧୧ ଦଫା ଦାବି ପୂରଣ ନେଇ ସରକାର ୩ ମାସ ସମୟ ମାଗିବା ପରେ ଧାରଣାରୁ ତ ହଟିଲେ ହେଲେ ଆସନ୍ତାକାଲି ଠାରୁ ଷ୍ଟିୟରିଂ ଛାଡ଼ ଡାକରା ଦେଇଛି ମହାସଂଘ । ତେବେ ୨ ଲକ୍ଷରୁ ଅଧିକ ଡ୍ରାଇଭର ରାଜଧାନୀରେ ପଶିବାରୁ ବେହାଲ ହୋଇଯାଇଥିଲା ଭୁବନେଶ୍ୱର ହାଲ୍ । ଟ୍ରାଫିକ ନିୟନ୍ତ୍ରଣରେ ନାକେଦମ୍ ହୋଇଥିଲା ପୋଲିସ । ଧାରଣା, ରାସ୍ତାରୋକ, ନାରାବାଜି, ପିକେଟିଂ ଯୋଗୁ ତ୍ରାହି ତ୍ରାହି ଡାକିଥିଲେ ରାଜଧାନୀ ଜନତା ।

ବାଣୀବିହାରରୁ ରାଜମହଲ, ଆଚାର୍ଯ୍ୟ ବିହାରରୁ ଏଜି ଛକ । ଯୁଆଡ଼େ ଚାହିଁବ ଖାଲି ଡ୍ରାଇଭର ଆଉ ଡ୍ରାଇଭର । ଆଜି ଦ୍ୱିତୀୟ ଥର ପାଇଁ ୧୦ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଧାରଣା ଡାକରା ଦେଇଥିଲା ମହାସଂଘ । ସୁରକ୍ଷା, ବୀମା, ପ୍ରତି ଶହେ କିଲୋମିଟରରେ ବିଶ୍ରାମ ଘର ଓ କାର୍ଯ୍ୟ ସମୟ ୮ ଘଣ୍ଟା ର୍ନିଦ୍ଧାରଣ ଭଳି ଦାବିରେ ଗତକାଲିଠୁ ରାଜଧାନୀମୁହାଁ ହୋଇଥିଲେ ୩୦ ଜିଲ୍ଲାର ପ୍ରାୟ ୨ ଲକ୍ଷ ଡ୍ରାଇଭର । ସକାଳ ହେବା କ୍ଷଣି ଆରମ୍ଭ ହୋଇ ଯାଇଥିଲା ରାଲି, ଧାରଣା ଆଉ ପ୍ରତିବାଦ ।

ଦୀର୍ଘ ୫ ଘଣ୍ଟା ଧାରଣା ପରେ ସରକାର ଆଲୋଚନାକୁ ନ ଆସିବାରୁ ଏଜି ଓ ଲୋୟର ପିଏମଜିରେ ରାସ୍ତାରୋକ କରିଥିଲେ ଆନ୍ଦୋଳନରତ ଗାଡ଼ି ଚାଳକ । ପରେ ପୋଲିସ ବୁଝାମଣା କରି ପାଞ୍ଚ ଜଣିଆ ପ୍ରତିନିଧି ଦଳ ଆଲୋଚନାକୁ ଯିବାରୁ ରାସ୍ତାରୋକ ହଟିଥିଲା । ହେଲେ ମାଷ୍ଟରକ୍ୟାଣ୍ଟିନ୍ ଛକରେ କିନ୍ତୁ ଧାରଣାରୁ ଓହରିବା ପର୍ଯ୍ୟନ୍ତ ଅର୍ଥାତ୍ ୫ ଘଣ୍ଟା ଧରି ଚାଲିଥିଲା ରାସ୍ତାରୋକ । ସେପଟେ ସରକାରଙ୍କ ସହ ଆଲୋଚନା ପରେ ଦେଖିବାକୁ ମିଳିଥିଲା ସଂଘରେ ଦ୍ୱିମତ । ଆନ୍ଦୋଳନ ସଫଳ ହୋଇଥିବା କହି ଧାରଣାରୁ ଓହରିଲୁ ବୋଲି ସଂଘ ସଭାପତି ଘୋଷଣା କରିଥିଲା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ କାଲିଠୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ହେବ ବୋଲି କହିଥିଲେ ସଂପାଦକ । ସରକାର ବି କହିଛନ୍ତି ଆଲୋଚନା ସଫଳ ହୋଇଛି, ତିନି ମାସ ମଧ୍ୟରେ ଦାବି ପୂରଣ ହେବ ।

ତେବେ ଭୁବନେଶ୍ୱରରେ ପ୍ରାୟ ୨ ଲକ୍ଷ ଡ୍ରାଇଭରଙ୍କ ସମାଗମରୁ ୫ ଘଣ୍ଟା ଧରି ଏକରକମ ଠପ୍ ହୋଇଯାଇଥିଲା ରାଜଧାନୀର ଜୀବନଯାତ୍ରା । ଜାମ୍‌ରେ ଭରିଯାଇଥିଲା ରାଜଧାନୀର ଗଳିକନ୍ଦି । ପୋଲିସ ତ ନାକେଦମ୍ ହୋଇଥିଲା, ରାସ୍ତରୋକ ପାଇଁ ନାହିଁ ନଥିବା ହଇରାଣ ହୋଇଥିଲେ ସାଧାରଣ ଲୋକ । ମାଷ୍ଟର କ୍ୟାଣ୍ଟିନ ଛକରେ ରାସ୍ତାରୋକ ସହ ଗଳିକନ୍ଦି ରାସ୍ତାକୁ ବି ବନ୍ଦ କରାଯାଇଥିଲା । କେଉଁଠି ବାଉଁଶ ତ କେଉଁଠି ଭଙ୍ଗା ଡାଳ ପତ୍ର ତ ଆଉ କେଉଁଠି କଂକ୍ରିଟ୍ ପାଇପ୍ ପକାଇ ବନ୍ଦ କରିଥିଲେ । ଫଳରେ ଷ୍ଟେସନକୁ ଯାଉଥିବା ଲୋକଙ୍କୁ ଚାଲି ଚାଲି ବ୍ୟାଗ୍ ମୁଣ୍ଡାଇ ଯିବାକୁ ପଡ଼ିଥିଲା । ଆଉ ଖରାରେ ବି ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିଥିଲା । କେବଳ ଭୁବନେଶ୍ୱର ନୁହେଁ, ରାଜଧାନୀରେ ଆନ୍ଦୋଳନ ପାଇଁ କଟକ ବାଦମବାଡ଼ିରେ ବସ୍ ନଥିବାରୁ ହନ୍ତସନ୍ତ ହୋଇଥିଲେ ଯାତ୍ରୀ ।

ସରକାରଙ୍କ ସହ ଆଲୋଚନା ପରେ ଆଜି ତ ଧାରଣା ହଟିଛି, ହେଲେ ଡ୍ରାଇଭର ସଂଘରେ ଫାଟରୁ ଆସନ୍ତାକାଲିଠୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ନେଇ ଏବେ ସରକାର କି ପଦକ୍ଷେପ ନେଉଛନ୍ତି । ଏବେ ତା ଉପରେ ନଜର ।