• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନଦୀରେ ଗାଧୋଇବା ହେଉଛି କାଳ । ପାଣିରେ ବୁଡି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ । ମହାନଦୀରେ ପୁଣି ଯାଇଛି ୨ ଜଣଙ୍କ ଜୀବନ । ପାରାଦୀପ ପଥୁରିଆର ୨ ଛାତ୍ର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଅକାଳରେ ପ୍ରାଣ ହରାଇଛନ୍ତି । କିଛି ଦିନ ତଳେ କଟକ ଯୋବ୍ରାରେ ୩ ଜଣ ଛାତ୍ର ମହାନଦୀରେ ବୁଡି ପ୍ରାଣ ହରାଇଥିଲେ । ତା’ପୂର୍ବରୁ ମାର୍ଚ୍ଚରେ ଯାଜପୁର ଖରସ୍ରୋତାରେ ବୁଡି ନିଶ୍ଚିହ୍ନ ହୋଇଯାଇଥିଲେ ଗୋଟିଏ କୁଟୁମ୍ବର ଛଅ ଛଅ ଜଣ । ପ୍ରଶ୍ନ ଉଠୁଛି, ଏଭଳି ଘଟଣାକୁ କେମିତି ରୋକିହେବ ? କଣ କଲେ ଅକାଳ ମୃତ୍ୟୁରୁ ବଂଚିପାରିବ ନିରିହ ଜୀବନ ?

ପାରାଦୀପ ପଥୁରିଆ ନିକଟ ମହାନଦୀ କୂଳରେ ଗାଧୋଇବାକୁ ସକାଳୁ ପହଁଚିଥିଲେ ପଥୁରିଆ ଗାଁର ଚାରି ଜଣ ଛାତ୍ର । ଦୁଇ ଜଣ ଉପରେ ଥିବା ବେଳେ ପାଣିକୁ ଓହ୍ଲାଇଥିଲେ ଦୁଇ ସମ୍ପର୍କୀୟ ଭାଇ ଅଭିଜିତ୍ ଏବଂ ରାଜୀବ ଲୋଚନ । ଗାଧୋଇବା ବେଳେ ଜୁଆର ଯୋଗୁଁ ହଠାତ୍ ଜଳସ୍ତର ବଢିଥିଲା । ଚାହୁଁ ଚାହୁଁ ଉଭୟେ ବୁଡ଼ିଯଇଥିଲେ । ଘଂଟାଏ କାଳ ଖୋଜାଖୋଜି ପରେ ନଦୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନା ଅଣିଥିଲେ ସ୍ଥାନୀୟ ଲୋକେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସମ୍ପର୍କୀୟ କହିଛନ୍ତି, ଦୁଇ ଭାଇ ପହଁରା ଜାଣିନଥିଲେ ।

ସେହିଭଳି ଏପ୍ରିଲ ୧୦, ରବିବାର । କଟକ ମହାନଦୀର ଯୋବ୍ରାରେ ଘଟିଥିଲା ସମାନ ଅଘଟଣ । ଘରେ ମିଛ କହି ଗାଧୋଇବାକୁ ଯାଇଥିଲେ କଟକ ଚାରିଘରିଆ ଅଂଚଳର ରାଜ୍, ସାହିଲ ଏବଂ ସାଦ୍ଦିକ୍ । ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ପ୍ରାଣ ହରାଇଥିଲେ ସମସ୍ତେ । ଓଡ୍ରାଫ, ଅଗ୍ନିଶମ ବାହିନୀ ଏବଂ ସ୍କୁବା ଡାଇଭରଙ୍କ ମିଳିତ ପରିଶ୍ରମ ପରେ ପାଣିରୁ ଉଦ୍ଧାର ହୋଇଥିଲା ମୃତଦେହ ।

ମାର୍ଚ୍ଚ ୧୮ ତାରିଖ ଯଜପୁର ବଡସୁଆର ନିକଟରେ ଘଟିଥିଲା ବଡ ଅଘଟଣ । ଗାଁରେ ଦୋଳ ପୂର୍ଣ୍ଣମୀ ସଂକୀର୍ତ୍ତନ ପରେ ଫଗୁ ଖେଳି ଖରସ୍ରୋତାକୁ ଗାଧୋଇବାକୁ ଯାଇଥିଲେ ୭ ଜଣ । ସମସ୍ତେ ସମ୍ପର୍କୀୟ । ହେଲେ ଗଣ୍ଡରେ ଗାଧୋଉଥିବା ବେଳେ ବୁଡି ଯାଇଥିଲେ । ଜଣେ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ନଦୀରୁ ମିଳିଥିଲା ଛଅ ଛଅଟି ମୃତଦେହ ।

ନଈରେ ବୁଡ଼ି ଅକାଳରେ ଝଡିପଡୁଛି ଗୋଟିଏ ପରେ ଗୋଟିଏ ଜୀବନ । ବାରମ୍ବାର ଏଭଳି ଅଘଟଣ ଘଟୁଛି । ହେଲେ ଏଥିପାଇଁ କାହାକୁ ଦାୟୀ କରାଯିବ ? ପହଁରା ଜାଣିନଥିବାରୁ ଅଧିକାଂଶ ସ୍ଥାନରେ ଘଟୁଛି ଏଭଳି ଅଘଟଣ । ପିଲାମାନେ ବାପା-ମାଆଙ୍କୁ ନକହି କିମ୍ବା ମିଛ କହି ନଦୀକୁ ଗାଧୋଇବାକୁ ଯାଉଛନ୍ତି । ଏଥିସହ ବିପଦ ରହିଥିବା ନଦୀ କୂଳରେ ପ୍ରଶାସନର ସୂଚନା ଓ ସଚେତନତାର ଅଭାବ ବି ରହିଛି ।