/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649168879.jpg)
Puri Temple
କାହିଁକି ଶ୍ରୀମନ୍ଦିର ଚୌହଦିରେ ଖୋଳା ହେଲା ବଡ଼ ବଡ଼ ଗାତ ? କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ବିରାଟ ବିରାଟ ପିଲାର ? ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ବେଆଇନ ଖନନ ପ୍ରସଙ୍ଗକୁ ନେଇ ଥମୁନି ଅସନ୍ତୋଷ କି ଆରୋପ-ପ୍ରତ୍ୟାରୋପ । ଆମସାର ଆକ୍ଟର ଉଲ୍ଲଂଘନ, ଶ୍ରୀମନ୍ଦିର ପ୍ରତି ଘୋର ବିପଦ ସାଜିପାରେ ବୋଲି ଆଶଙ୍କା କଲେଣି ଉଭୟ ଜଗନ୍ନାଥ ପ୍ରେମୀ ଓ ଐତିହ୍ୟ ବିଶେଷଜ୍ଞ । ତେଣେ ଗତକାଲି ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି ।
କୋଟି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁ ଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରତି ଘୋର ବିପଦ ଶଙ୍କା ସୃଷ୍ଟି ହେବା ପରେ ଖନନ କାର୍ଯ୍ୟକୁ ନେଇ ତେଜୁଛି ବିରୋଧ ସାଙ୍ଗକୁ ଅସନ୍ତୋଷ । ତେବେ ପୁରା ପ୍ରସଙ୍ଗକୁ ଅଧିକ ରୋଚକ କରିଛି ଗତକାଲି ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍ । ଅପରାଜିତା ଏଏସ୍ଆଇର ଏକ ପୁରୁଣା ଚିଠି ପୋଷ୍ଟ କରିଥିଲେ, ଯେଉଁଥିରେ ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ବେଆଇନ୍ ନିର୍ମାଣ କମ ତୁରନ୍ତ ବନ୍ଦ ପାଇଁ ଗତ ଫେବ୍ରୁଆରୀ ୫ରୁ ଏଏସଆଇ କର୍ତ୍ତୃପକ୍ଷ ପୁରୀସ୍ଥିତ ଓବିସିସି ଡିଭିଜନ-୧ର ପ୍ରକଳ୍ପ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ତାସତ୍ତ୍ୱେ ବି କାମ ବନ୍ଦ ନହେବାରୁ ରାଜ୍ୟ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ଅପରାଜିତା । କହିଥିଲେ ଜଗନ୍ନାଥ ମନ୍ଦିରର ସୁରକ୍ଷା ପ୍ରତ୍ୟେକ ଓଡ଼ିଶାବାସୀଙ୍କ କର୍ତ୍ତବ୍ୟ । ଏହା ଆମ ସମସ୍ତଙ୍କ ଆସ୍ଥାର କେନ୍ଦ୍ର ।
ସନ୍ଧ୍ୟାରେ କରିଡ଼ର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ-ଏଏସଆଇ ସହ ସମନ୍ୱୟ ରଖି ପରିକ୍ରମା ପ୍ରକଳ୍ପ କାମ ଚାଲିଛି । ଏଥିଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ହେଲେ ତାସତ୍ତ୍ୱେ ବି ଥମୁନି ଅସନ୍ତୋଷ । ଜଗନ୍ନାଥ ଭକ୍ତ, ବୁଦ୍ଧିଜୀବୀ ଓ ଆଇନଜୀବୀ ସମସ୍ତଙ୍କ ପ୍ରଶ୍ନ-ମାସକ ତଳୁ କାମ ବନ୍ଦ ଲାଗି ଏଏସଆଇ ଚିଠି ଲେଖିଥିଲେ ବି ଏଯାଏଁ ତାହାର କାହିଁକି ହୋଇନି ଅନୁପାଳନ ?
ତେଣୁ ଇଏ କି ପ୍ରକାର ସମନ୍ୱୟ ବୋଲି ପ୍ରଶ୍ନ କରିବା ସହ ଆମସାର ଆକ୍ଟର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି । ତେଣେ ଐତିହ୍ୟ ଗବେଷକ ବି ଆଶଙ୍କା କଲେଣି ଏଭଳି ଖନନ ଶ୍ରୀମନ୍ଦିର ପାଇଁ ବିପଦ । ୩୦ରୁ ୪୦ ଫୁଟ ଗାତ ଖୋଳାଯିବାରୁ ଆଗକୁ ମନ୍ଦିର ପରିସରରେ ଦିନରାତି ପାଣି ଝରିବ ।
ଏଣେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବେଆଇନ ଖନନ ଅଭିଯୋଗ ପ୍ରସଙ୍ଗରେ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଟ୍ୱିଟ୍ କରି ବୈଜୟନ୍ତ ଲେଖିଛନ୍ତି-ରାଜ୍ୟ ସରକାର ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ । ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ।
ତେଣେ ଗତକାଲି ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ୱିଟ୍କୁ ଟାର୍ଗେଟ୍ କରି ନିଜ ମତ ରଖିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଟ୍ୱିଟ୍କୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା । ଏକ ଲମ୍ବା ଟ୍ୱିଟ୍ରେ ବର୍ଷା ଲେଖିଛନ୍ତି-ପୁରୀରେ ଠାକୁର ଦର୍ଶନ ପାଇଁ ଯିବାବେଳେ ମହିଳାଙ୍କ ପାଇଁ ଶୌଚାଳୟ ନଥିବା ସମ୍ପର୍କରେ ସେ ଅନେକ ମହିଳା ଭକ୍ତଙ୍କ ଅଭିଯୋଗ ପାଇଛନ୍ତି । ଯଦି ତୀର୍ଥଯାତ୍ରୀଙ୍କ ଲାଗି ରାଜ୍ୟ ସରକାର ଶୌଚାଳୟ ବ୍ୟବସ୍ଥା କରୁଛନ୍ତି ତାହାଲେ ଏଥିରେ ଆପଣଙ୍କ ଅସୁବିଧା କେଉଁଠି ?
ସେପଟେ ଆଜି ରାଜ୍ୟ ବିଜେପି କହିଛି-ଶୌଚାଳୟ ବାବାଦରେ ଗଭୀର ଖନନ କରାଯାଇ କଣ ଚାଲିଛି, ତାହା ବି ସନ୍ଦେହ ଘେରରେ । ଦଳ ବିକାଶରେ ବାଧା ଦେଉନାହିଁ କି ବିରୋଧ କରୁନାହିଁ । ହେଲେ ଏଏସ୍ଆଇର ଅନୁମତି ନେଇ ସବୁ ନିର୍ମାଣ ହେଉ, ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳାନଯାଉ । ସେପଟେ କଂଗ୍ରେସ କହିଛି ବେଆଇନ୍ ଖନନ ବିବାଦ ପ୍ରସଙ୍ଗରୁ ନଜର ହଟାଇବାକୁ ରାଜ୍ୟ ସରକାର ଚୁଲି ଭଙ୍ଗା ପାଲା ରଚିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)