• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କିଛି ନିଆରା ଚାଷ କରିବା ଲକ୍ଷ୍ୟରେ ହଳଦିଆ ତରଭୁଜ ଚାଷ ଆରମ୍ଭ କରିଥିଲେ କେନ୍ଦୁଝର ଜିଲ୍ଲାର ଚାଷୀ ପ୍ରମୋଦ ମହାନ୍ତ । ଆଉ ଆଜି ଏହି ତରଭୁଜ ଚାଷର ଚାହିଦା କାହିଁରେ କଣ । ଆଖପାଖ ଅଂଚଳ ସହ ରାଜ୍ୟ ବାହାରକୁ ରପ୍ତାନୀ ହୋଇ ବେଶ୍ ଭଲ ଉପାର୍ଜନ କରିପାରୁଛନ୍ତି ପ୍ରମୋଦ । ଏହି ସ୍ୱତନ୍ତ୍ର କିସମର ତରଭୁଜ ଚାଷ ତାଙ୍କୁ ଜଣେ ସଫଳ ଚାଷୀରେ ପରିଣତ କରିଛି । ସେଇଭଳି ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

ଖରାଦିନେ ଲାଲ୍ ଟକ୍ ଟକ୍ ତରଭୁଜ ସମସ୍ତଙ୍କ ପସନ୍ଦ । କିନ୍ତୁ ଆମେ ଯେଉଁ ତରଭୁଜ କଥା କହୁଛୁ, ତାହା କ୍ଷେତରେ ଚାଷ ହୁଏ ସତ ଏବଂ ଦେଖିବାକୁ ବି ସମାନ ତରଭୁଜ ଭଳି ସବୁଜ । କିନ୍ତୁ ଭିତରୁ ଲାଲ୍ ନୁହେଁ ବରଂ ହଳଦିଆ । ଆଉ ଏହି ହଳଦିଆ ତରଭୁଜର ଚାହିଦା କାହିଁରେ କଣ । କାରଣ ଖାଇବାକୁ ଯେତିକି ସୁଆଦିଆ ଓ ମିଠା, ଚାଷରେ ବି ସେତିକି ଲାଭ । ଆମେ କହୁଛୁ, କେନ୍ଦୁଝର ଜିଲ୍ଲା ଇଚିଣ୍ଡା ଗାଁର ଯୁବ ଚାଷୀ ପ୍ରମୋଦ ମହାନ୍ତଙ୍କ କଥା । କିଛି ନିଆରା ଚାଷ କରିବା ଲକ୍ଷ୍ୟରେ ୨୦୧୪ ମସିହାରେ ସେ ଆରମ୍ଭ କରିଥିଲେ ସ୍ୱତନ୍ତ୍ର କିସମର ହଳଦିଆ ତରଭୁଜ ଚାଷ । ଆଉ ଆଜି ତାରିଖରେ ପ୍ରମୋଦଙ୍କ ଏହି ତରଭୁଜର ପ୍ରବଳ ଡିମାଣ୍ଡ । ଯାହାଫଳରେ ରାଜ୍ୟ ତଥା ବାହାରକୁ ରପ୍ତାନୀ କରି ଭଲ ରୋଜଗାର କରିପାରୁଛନ୍ତି, ଆଉ ସଫଳ ଚାଷୀ ବନିପାରିଛନ୍ତି ପ୍ରମୋଦ ।

ସେପଟେ ରାୟଗଡା ଜିଲ୍ଲା ଅମଲାଭଟ୍ଟ ଗାଁର ଜଣେ ସଫଳ ଚାଷୀ ହେଉଛନ୍ତି ଡି.ଶ୍ରୀନିବାସ । ଲେମ୍ବୁ, ଆମ୍ବ, ପିଜୁଳି, ଅମୃତଭଣ୍ଡା, ସଜନା ଛୁଇଁ ଭଳି ନାନା ରକମର ଫଳ ଓ ପନିପରିବା ନିଜର ୪ ଏକର ଜମିରେ ଜୈବିକ ପଦ୍ଧତିରେ ସେ ଫଳାଉଛନ୍ତି । ଏହାସହ ୪୦ଟି ଗାଈ ରଖି ସେଥିରୁ ଦୁଗ୍ଧ, ଛେନା ବିକ୍ରି କରିବା ସହ ଗୋବର ଖତ ମଧ୍ୟ ପ୍ରସ୍ତୁତ କରୁଛନ୍ତି  ା ୨୦୧୪ ମସିହାରେ ରାଜ୍ୟସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇବାପରେ ଆଉ ପଛକୁ ଫେରି ଚାହିଁନଥିଲେ ଶ୍ରୀନିବାସ । ଏବେ ନିଜ ଚାଷ ଜମିରୁ ଉତ୍ପାଦିତ ସାମଗ୍ରୀ ରାୟଗଡା ବଜାରରେ ବିକ୍ରି କରି ବେଶ୍ ଉପାର୍ଜନ କରିପାରୁଛନ୍ତି । ଏହାସହ ଅଂଚଳର ପ୍ରାୟ ୫୦ ଜଣଙ୍କୁ ରୋଜଗାରକ୍ଷମ କରିପାରିଛନ୍ତି ଶ୍ରୀନିବାସ ।.