• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଷା ସିନା ବୁଝି ହେଉନି, ହେଲେ ମୁହଁର ଭାବ କହୁୁଛି ମୁକ୍ତିର ଆନନ୍ଦ କେତେ । ଅନ୍ୟପଟେ ସେହି ସରଳ ମୁଖମଣ୍ଡଳ ବୟାନ କରୁଛି, ନିର୍ଦ୍ଦୋଷ ହୋଇ ବି ଦୀର୍ଘ ୬ ମାସ ଧରି ଜେଲ ଭିତରେ ପେଷି ହେବାର ଯାତନା ଓ ଯନ୍ତ୍ରଣା କେତେ । ଆମେ କହୁଛୁ ବଲାଙ୍ଗିର ଜେଲରୁ ଜାମିନରେ ମୁକୁଳିଥିବା ଯୁବକ ଏସ.ପାଇତି ରାଜୁଙ୍କ କଥା । ତାଙ୍କ ଘର ଆନ୍ଧ୍ରପ୍ରଦେଶର ଭାଇଜାଗରେ । ତେବେ ତାଙ୍କ ଜେଲ ଯିବା ପଛର କାହାଣୀ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ । ପୋଲିସର ତଦନ୍ତ ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିବ । ୨୦୨୨ ଜାନୁଆରୀ ୪ ତାରିଖ ବିଳମ୍ବିତ ରାତିରେ ବଲାଙ୍ଗିର ଆଦର୍ଶ ଥାନା ପୋଲିସ, ସହର ଭିତରେ ଥିବା ଏକ ଏଟିଏମ୍ ଭିତରୁ ତାଙ୍କୁ ଉଠାଇ ନେଇଥିଲା ।

ସେତେବେଳେ ଗୋଟେପଟେ ସହରରେ ଲୁଟ୍‌ପାଟ୍ ବଢୁଥିବା ବେଳେ ଅନ୍ୟପଟେ ପୋଲିସ ଖୋଜି ବୁଲୁଥିଲା ଅପରାଧୀଙ୍କୁ । ଠିକ୍ ସେହି ସମୟରେ ଏଟିଏମ୍ ଭିତରେ ସନ୍ଦେହଜନକ ଭାବେ ଶୋଇଥିବା ସେହି ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୋଗ ହେଉଛି ଯେ, ଯୁବକଙ୍କ ବେଷଭୂଷା, ଭାବଭଙ୍ଗୀ କି ତେଲୁଗୁ ଭାଷାକୁ ଆଦୌ ବୁଝିବାକୁ ଚେଷ୍ଟା କରିନଥିଲା ପୋଲିସ । ପରଦିନ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ତେବେ ଜେଲରେ ରହିବା ଭିତରେ ସେ ଜଣେ ମାନସିକ ବିକୃତ ରୋଗୀ ବୋଲି ଜାଣିବାକୁ ପାଇଥିଲେ ଜେଲ ସୁପରିଟେଣ୍ଡେଣ୍ଟ୍ । ପରେ ଅନ୍ୟ କିଛି ତେଲୁଗୁ କଏଦୀଙ୍କ ସାହାଯ୍ୟ ନେଇ ତାଙ୍କ ପରିଚୟ ଓ ଠିକଣା ଯୋଗାଡ଼ କରିବା ପରେ ତାଙ୍କ ଜାମିନର ବ୍ୟବସ୍ଥା କରିଥିଲେ ।

ଜେଲରୁ ଜାମିନରେ ମୁକୁଳିବା ପରେ ପରିବାର ଲୋକଙ୍କୁ ପାଖରେ ପାଇ ଏସ. ପାଇତି ବଖାଣିଛନ୍ତି, ୬ ମାସ ତଳେ ତାଙ୍କ ସହ ହୋଇଥିବା ଅନ୍ୟାୟ ଓ ଅତ୍ୟାଚାର କାହାଣୀ । କହିଛନ୍ତି, ପୋଲିସ ତାଙ୍କୁ ଏଟିଏମରୁ ଉଠାଇ ନେଇ ପିଟିବା ପରେ ସିଧା କୋର୍ଟ ଚାଲାଣ କରିଥିଲା । ସେପଟେ ତାଙ୍କ ପରିବାର ଲୋକ କହିଛନ୍ତି, ଗଲା କିଛି ବର୍ଷ ଧରି ଏସ. ପାଇତି ଭାଇଜାଗ୍ ସରକାରୀ ଡାକ୍ତରଖାନାରେ ମାନସିକ ରୋଗୀ ଭାବେ ଚିକିତ୍ସାଧୀନ ଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ସେ ହଠାତ ହସ୍ପିଟାଲରୁ ପଳାଇ ଆସି ଟ୍ରେନ୍‌ରେ ବଲାଙ୍ଗିର ପହଞ୍ଚିଥିଲେ । ବିଳମ୍ବତ ରାତିରେ ଶୋଇବାକୁ ସ୍ଥାନ ନପାଇ ଏଟିଏମ୍‌ରେ ଆଶ୍ରୟ ନେଇଥିଲେ । ତେବେ ପୋଲିସ ତଦନ୍ତ ବେଳେ କୌଣସି ଭାଷା ବିନିମୟକାରୀଙ୍କ ସହାୟତା ବିନା ତାଙ୍କୁ କେମିତି ଦୋଷୀ ସଜେଇ ଦେଲେ ଏବଂ ଜେଲରେ ଭର୍ତ୍ତି କଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ଓକିଲ ବି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତେବେ ଏ ପୁରା ଘଟଣାରେ କିନ୍ତୁ ବଲାଙ୍ଗିର ଆଦର୍ଶ ଥାନାର ତଦନ୍ତକାରୀ ଅଧିକାରୀ, ଆଇଆଇସି କିମ୍ବା ଏସଡିପିଓ, କେହି ବି ମୁହଁ ଖୋଲି ନାହାନ୍ତି ।