• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି । ଏପଟେ ଆଜି କଟକ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ତରଫରୁ ଦାୟର ପାରିବାରିକ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ ଦାୟର ଦୁଇଟି ପିଟିସନର ଶୁଣାଣି ହୋଇଛି । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣି ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।

ବର୍ଷା ଘର ଛାଡ଼ନ୍ତୁ, ତାଙ୍କ ରହିବା ଲାଗି ଭଲ ବ୍ୟବସ୍ଥା କରିବୁ । ଭରଣ ପୋଷଣ ପାଇଁ ଇନକମ୍ ସାର୍ଟିଫିକେଟ୍ ଦିଅନ୍ତୁ । ପତ୍ନୀ ବର୍ଷାଙ୍କ ତରଫରୁ ଦାୟର ଘରୋଇ ହିଂସା ମାମଲାରେ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏହି ଦୁଇଟି ପିଟିସନ ଉପରେ ଆଜି ଶୁଣାଣି ହୋଇଛି । କଟକ ଏସଡିଜେଏମ୍ କୋର୍ଟରେ ଉଭୟ ପକ୍ଷ ସେମାନଙ୍କ ଯୁକ୍ତି ରଖିଛନ୍ତି । ବର୍ଷା ମୂଳ ଆବେଦନରେ ବିକଳ୍ପ ରହଣୀ ବ୍ୟବସ୍ଥା ଚାହିଁଥିଲେ, ଆମେ ସେଥିପାଇଁ ପ୍ରସ୍ତୁତ ବୋଲି ଅନୁଭବଙ୍କ ପକ୍ଷରୁ କୁହାଯାଇଛି । ଆମେ ରହୁଥିବା ଘର ଏକ ଜଏଣ୍ଟ ପ୍ରପର୍ଟି । ସେଥିରେ ମୋ ବାପା-ମାଆ, ଭାଇ-ଭାଉଜ ସମସ୍ତଙ୍କ ଅଧିକାର ଅଛି । ତେଣୁ ସେମାନଙ୍କୁ ଏହି ଘରେ ରହିବାକୁ ଅନୁମତି ଦିଆଯାଉ, ବର୍ଷାଙ୍କ ପାଇଁ ଆମେ ବିକଳ୍ପ ବ୍ୟବସ୍ଥା କରିବୁ ବୋଲି ଅନୁଭବଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ।

ସ୍ୱାମୀ-ସ୍ତ୍ରୀ ବିବାଦରେ ପରିବାର ସଦସ୍ୟଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଅନୁଭବଙ୍କ ତରଫରୁ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦିଆଯାଇଥିଲା । ସେପଟେ ବର୍ଷାଙ୍କ ଓକିଲ ପକ୍ଷ ରଖି କହିଥିଲେ ଯେ, ଯେହେତୁ ବର୍ଷା ଏବେ ଏକୁଟିଆ ତେଣୁ ସେ ବାହାରେ ରହିବା ଅସୁରକ୍ଷିତ । ସେ ଏକାକୀ ଅନ୍ୟ ଘରେ ରହିପାରିବେ ନାହିଁ । ତାଙ୍କୁ ସୁରକ୍ଷା ମଧ୍ୟ ଦରକାର । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । ଆଜି ଶୁଣାଣି ବେଳେ ଅନୁଭବ କୋର୍ଟରେ ଉପସ୍ଥିତ ଥିଲେ, ମାତ୍ର ବର୍ଷା ଆସିନଥିଲେ ।

ଏପଟେ ସାମ୍ନାକୁ ଆସିଛି ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏହି ଭିଡିଓରେ ସେ ବର୍ଷାଙ୍କ ଉପରେ ବର୍ଷିଛନ୍ତି । ଦରକାର ପଡିଲେ ସେ ସୁପ୍ରିମକୋର୍ଟ ଯିବେ ଏବଂ ବର୍ଷାଙ୍କ ସବୁ ସତ ପଦାକୁ ଆଣିବେ ବୋଲି ଧମକ ଦେଇଛନ୍ତି ଅନୁଭବ । ଏମିତିକି  ଫୋରେନସିକ, ଲାଏ ଡିଟେକ୍ସନ ଓ ମେଡିକାଲ ଟେଷ୍ଟ ପାଇଁ ବର୍ଷାକୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ।

ଏହାପୂର୍ବରୁ ବି ସୋସିଆଲ ମିଡିଆରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ ଅନୁଭବ । ତେବେ ଏଭଳି କରି ଅନୁଭବ ତାଙ୍କ ଚରିତ୍ର ସଂହାର କରିବା ସହ ମାନସିକ ନିର୍ଯାତନା ଦେଉଥିବା ଦର୍ଶାଇ ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ ।