• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ନୂଆ ବାଟାଲିୟନ ଶ୍ରୀମନ୍ଦିରର ସୁରକ୍ଷା ସହିତ ଭିଡ଼ ପରିଚାଳନା କରିବ । ତା ସହିତ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେହି ଦାୟିତ୍ବ ମଧ୍ୟ ତୁଳାଇବ ଏହି ନୂଆ ବାଟାଲିୟନ ।

ଏହି ବାଟାଲିୟନ ପୁରୀ ଏସପିଙ୍କ ଅଧୀନରେ କାମ କରିବ । ସମୟ ବଦଳିବା ସହ ବିପଦ ମଧ୍ୟ ବଢ଼ୁଛି । ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆସ୍ଥା ଓ ଗର୍ବ । ବିଶ୍ୱରେ ବର୍ତ୍ତମାନ ଆତଙ୍କବାଦୀଙ୍କର ହମଲା ବଢ଼ି ଚାଲିଛି । ଏଣୁ ସବୁକୁ ଧ୍ୟାନରେ ରଖି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଥିଲା ।

ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି ଫଳରେ ଭିଡ଼ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ରହିପାରେ । ଅନ୍ୟପଟେ ବୟସ୍କମାନଙ୍କ ପାଇଁ ଭିଡ଼ ସବୁବେଳେ ଅସୁବିଧା ହେଉଥିବାରୁ, ସେମାନଙ୍କ ପାଇଁ ଏହା ମଧ୍ୟ ସୁବିଧାଯୋଗ୍ୟ ହେବ ବୋଲି ଅନୁମାନ କରାଯାଇପାରେ । ଉଠା ଦୋକାନୀମାନେ ଯେପରି ପୁଣି ଥରେ ଆସି ବଡ଼ଦାଣ୍ତ ରାସ୍ତାକୁ ଜବରଦଖଲ ନକରି ପାରନ୍ତି, ସେ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ । ଉଠା ଦୋକାନୀ ରହିବା ଫଳରେ ଭକ୍ତଙ୍କର ଯାତାୟାତରେ ବହୁ ପ୍ରକାରେ ଅସୁବିଧା ହେଉଛି ।

ମୋଟ ଉପରେ ଭକ୍ତଙ୍କର ସୁବିଧା ପାଇଁ ସ୍ୱତନ୍ତ୍ର ବାଟାଲିୟନ ଗଠନ କରା ଯାଇଛି । ବାହାର, ଅଭ୍ୟନ୍ତରର ସୁରକ୍ଷା ଉପରେ ଏମାନଙ୍କର ଦୃଷ୍ଟି ରହିବ । ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଦର୍ଶନ ପାଇଁ ଏମାନେ କାର୍ଯ୍ୟ କରିବେ । ଶ୍ରୀମନ୍ଦିରର ସୁରକ୍ଷା ତଥା ଭକ୍ତଙ୍କ ସୁବିଧା ପାଇଁ ଏହି ବାଟାଲିୟନ କାର୍ଯ୍ୟ କରିବ । 5ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳି ସାରିଛି । 

କୋଭିଡ୍ ପରେ ଶ୍ରୀମନ୍ଦିରକୁ ଦୈନିକ ୫୦ ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବା ବେଳେ, ଛୁଟି ଦିନ ଓ ପର୍ବପର୍ବାଣୀରେ ଆହୁରି ୨ରୁ୩ ଗୁଣ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ବାଟାଲିୟନ ଗଠନ ପାଇଁ ନିଷ୍ପତ୍ତି ହୋଇଛି ଏବଂ ସେମାନଙ୍କୁ ଭିଡ଼ ନିୟନ୍ତ୍ରଣ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।