• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁର ଭୂତାପଡାର ୮ ଡିସିମିଲ୍ ଜାଗାରେ ଠିଆ ହୋଇଛି ୨ ମହଲା କୋଠା, ନାରାୟଣୀ ନିବାସ । ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ। ଘର ମାଲିକ, ସହରର ଜଣେ ଜଣାଶୁଣା ଡାକ୍ତର ୮୭ ବର୍ଷୀୟ ନାରାୟଣୀ ପଣ୍ଡା । ହେଲେ ଏବେ ଏହି ଘର ଆଉ ତାଙ୍କର ନାହିଁ । ପରିଣତ ବୟସରେ ନିଜେ ରହୁଥିବା ବାସଟିକୁ ଦାନ କରିଦେଇଛନ୍ତି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ । ଡାକ୍ତରଙ୍କ ଘର ପରିଣତ ହୋଇଛି ଛାତ୍ରୀ ନିବାସରେ । ଇଏ ସେହି ଗିଫ୍ଟ ଡିଡ୍ । କଲେଜକୁ ଯାଇ ଘର ଦାନ ସମ୍ପର୍କିତ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛନ୍ତି ଡାକ୍ତର ନାରାୟଣୀ ପଣ୍ଡା ।

ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ସୁବିଧା ନଥିବାରୁ ଡାକ୍ତର ପଣ୍ଡାଙ୍କର ଏହି ଘରଟିକୁ ୪-୫ ମାସ ହେଲା ବ୍ୟବହାର କରାଯାଉଛି । ଏବେ ଉପର ମହଲାରେ ୨୦ ଜଣ ଛାତ୍ରୀ ରହୁଛନ୍ତି । ଡାକ୍ତର ପଣ୍ଡା ରହୁଛନ୍ତି ତଳ ମହଲାରେ । ଛାତ୍ରୀମାନେ ଡାକ୍ତର ପଣ୍ଡାଙ୍କୁ ନିଜ ମା’ ଭଳି ମାନନ୍ତି, ଆଉ ସେ ବି ପିଲାଙ୍କ ସବୁ ସୁଖ ଦୁଃଖ ବୁଝନ୍ତି । ତାଙ୍କ ଯିବା ପରେ, ପୁରା କୋଠାଟି ପରିଣତ ହେବ ଛାତ୍ରୀ ନିବାସରେ ।

ନାରାୟଣୀଙ୍କୁ ଏବେ ୮୭ ବର୍ଷ । କଟକ ରେଭେନସା ବାଳିକା ବିଦ୍ୟାଳୟରୁ ମାଟ୍ରିକ ଓ SCBରେ ଡାକ୍ତରୀ ଶିକ୍ଷା ପରେ କିଛି ବର୍ଷ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଚାକିରି କରିଥିଲେ । ପରେ ସହକାରୀ ସର୍ଜନ ଭାବେ ପୂରା ଚାକିରି କାଳ କଟାଇଥିଲେ ଜନାର୍ଦ୍ଦନ ପୂଜାରୀ ମାଟର୍ନିଟି ହସପିଟାଲରେ । ଅବସର ପରେ ବି ସେ ବିଭିନ୍ନ ସାମାଜିକ ଓ ଶିକ୍ଷାନୁଷ୍ଠାନ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କମିଟି ଓ ରୋଟାରୀ କ୍ଲବର ସଦସ୍ୟା ଭାବେ କାର୍ଯ୍ୟରତ । ହେଲେ ତାଙ୍କ ଜୀବନର ନିଆରା ଦିଗଟି ହେଉଛି ସମାଜସେବା ।

କିଛି ବର୍ଷ ପୂର୍ବରୁ ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ । ସେହିପରି ପବ୍ଲିକ ଲାଇବ୍ରେରୀକୁ ଦେଇଛନ୍ତି ୧୫ ଲକ୍ଷ ଟଙ୍କା । ଏକ ସିକିଲସେଲ ହସପିଟାଲ ନିର୍ମାଣ ପାଇଁ ନିଜ ନାଁରେ ଥିବା ଏକ ଫାର୍ମହାଉସକୁ ବିକି ଟଙ୍କା ଦେଇଛନ୍ତି । ଗରିବ ଝିଅମାନଙ୍କ ବିବାହ ଖର୍ଚ୍ଚ ବି ବହନ କରନ୍ତି । ସାମ୍ବାଦିକ ସ୍ୱାମୀ ପ୍ରଶାନ୍ତ ମହାନ୍ତିଙ୍କ ଦେହାନ୍ତ ପରେ ନିଜ ଜୀବନକୁ ସମାଜ ସେବାରେ ନିୟୋଜିତ କରିଛନ୍ତି ଡାକ୍ତର ନାରାୟଣୀ ପଣ୍ଡା ।

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ବର୍ଷ ଓଟିଭି ପକ୍ଷରୁ ଡାକ୍ତର ନାରାୟଣୀ ପଣ୍ଡାଙ୍କୁ ଓଡିଶା ସିଟିଜେନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

  • Reported by:
  • SANJAY JENA