/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688309824.jpg)
vegetables price hike
ଲଗାତାର ଭାବେ ବଢିଚାଲିଛି ପରିବା ଦର । ଗତକାଲି ଯାହା ୬୦ ଥିଲା ଆଜି ୮୦ ପାର୍ । ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଏପଟେ ଆମଦାନୀ ସ୍ୱାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ ।
ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି । ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ରାଜଧାନୀ ହାଟକୁ ଦେଖିଲେ ଟମାଟୋ କିଲୋ ୧୨୦ ପାର। ବିନ୍ସ ୧୬୦ ଟଙ୍କା, ପୋଟଳ, ଭେଣ୍ଡି, ବାଇଗଣ ୮୦ ଟଙ୍କା ରେ ବିକ୍ରି ହେଉଛି ।
ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ । ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ । ଏହାକୁ ଦେଖି ନିରାମିଷଠୁ ଆମିଷ ଖାଇବା ଭଲ ବୋଲି ମତ ରଖିଛନ୍ତି ।
କେବଳ ଗୃହିଣୀ କିମ୍ବା ସାଧାରଣ ଲୋକେ ନୁହେଁ ବରଂ ହୋଟେଲ ବ୍ୟବସାୟୀ ବି ଏବେ ଚିନ୍ତାରେ । ହୋଟେଲରେ ସର୍ବାଧିକ ବ୍ୟବହୃତ ଜିନିଷ ଟମାଟୋ, ଲଙ୍କା, ରସୁଣଠୁ ନେଇ ପନିପରିବା ସବୁର ଦର ଦେଖିଲେ ହୋଟେଲ ମାଲିକ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତାରେ । ନିରାମିଷ ଭୋଜନ ପରସୁଥିବା ହୋଟେଲମାନେ ବେଶି ଦହଗଞ୍ଜ ହେଉଛନ୍ତି । ପରିବାର ଦରଦାମ ଦେଖି ହୋଟେଲ ମେନ୍ୟୁକୁ ସୀମିତ କରାଯାଇଥିବା କହିଛନ୍ତି ହୋଟେଲ ମାଲିକ । ବାହାର ରାଜ୍ୟରୁ କମ ଆମଦାନୀ ଦରବୃଦ୍ଧିର ପ୍ରମୁଖ କାରଣ ହୋଇଥିବାବେଳେ ଦର କେବେ ଖସିବ ତାକୁ ଅନାଇ ବସିଛନ୍ତି ଗ୍ରାହକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)