• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଗୋଟିଏ ଅଞ୍ଚଳରେ ଦୁଇଟି ରାଜ୍ୟର ନିର୍ବାଚନ । ଏମିତି ବିଚିତ୍ର ସ୍ଥିତି ଉପୁଜିଛି କୋରାପୁଟର ଚର୍ଚ୍ଚିତ କୋଟିଆରେ । ଯେଉଁଠି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଏଠି ଭୋଟ୍ କରାଇବାକୁ ଚାଲିଛି ସଜବାଜ । ଉଭୟ ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ଦ୍ବନ୍ଦ୍ବ ଆହୁରି ବଢ଼ିଛି । କାରଣ, ଭୋଟଗ୍ରହଣ ପର୍ଯ୍ୟାୟ ଓ ତାରିଖ ଘୋଷଣା ହେଲେ, ସେଠି ଯାହାର ପାଳି ଆଗ ପଡ଼ିବ, ତା’ର ପଲ୍ଲା ଭାରି ରହିବା ଆଶଙ୍କା ଉପୁଜିଛି । ଭୋଟର ବି କେଉଁ ରାଜ୍ୟ ପାଇଁ ଭୋଟ ଦେବେ ତାକୁ ନେଇ ଟଣାଓଟରା ।

କାହାକୁ ଭୋଟ୍ ଦେବ କୋଟିଆ ? କେଉଁ ଦଳ, କି ପ୍ରାର୍ଥୀ ତ ପଛକଥା ଆଗ କେଉଁ ରାଜ୍ୟର ହୋଇ ଦେବ ଭୋଟ୍ ? ଓଡ଼ିଶା ନା ଆନ୍ଧ୍ରପ୍ରଦେଶ ? ନିର୍ବାଚନ ତାରିଖ ଘୋଷଣାକୁ ଆଉ କେଇଟା ଦିନ ବାକି ଥିବା ବେଳେ, ଏବେ ଚଳଚଞ୍ଚଳ କୋଟିଆ ସରଗରମ ନିର୍ବାଚନୀ ପ୍ରସ୍ତୁତି। ସୀମା ବିବାଦର ପଶାପାଲି ଫସିଥିବା କୋରାପୁଟ ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରେ ଭୋଟ୍ ପାଇଁ ସଜବାଜ ହେଉଛନ୍ତି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ । ଉଭୟ ରାଜ୍ୟରେ ଲୋକସଭା ସହ ଏକାଠି ବିଧାନସବା ନିର୍ବାଚନ ହେବ। ତେଣୁ ଦୁଇ ଆଡ଼ୁ ଚାଲିଛି କସରତ। 

ପୂର୍ବରୁ ବି ଏଠି ଭୋଟ୍ କରାଇଥିବା ଆନ୍ଧ୍ର, ଏଥର ବି ଅଧିକାରୀଙ୍କୁ ପଠାଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛି । ପାର୍ବତୀପୁରମ ଜିଲ୍ଲା ପ୍ରଶାସନ ପକ୍ଷରୁ କେଉଁଠି ଗାଁ ଗାଁ ବୁଲି ସଚେତନ କରାଯାଉଛି, ତ ଆଉ କେତେବେଳେ ଖୋଦ୍ SP ଆସି କରୁଛନ୍ତି ଜନସଂପର୍କ ଶିବିର । ୮୦ ପ୍ରତିଶତ ଭୋଟିଂ ଲକ୍ଷ୍ୟରେ ଫଗୁଣ ସିନେରୀ, ଫାଟୁ ସିନେରୀ, ହରମାଣ୍ଡାଙ୍ଗି, ତଳସେମ୍ବି, ଉପରସେମ୍ବି ଆଦି ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାରଙ୍କ ଯୋଜନା ଓ ମତଦାନ ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏପଟେ ଓଡ଼ିଶା ବିକମର କଷିଛି କୋଟିଆରେ ଭୋଟ୍ କରାଇବା ପାଇଁ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବଚ୍ଛ ନିର୍ବାଚନ ପାଇଁ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବା ସହ, ଲୋକମାନଙ୍କୁ ପର୍ଯ୍ୟାୟ କ୍ରମେ ଇଭିଏମ୍ ସଂପର୍କରେ ଅବଗତ କରାଯାଉଛି ।

୧୪୫ ନମ୍ବର ନିର୍ବାଚନ ମଣ୍ଡଳୀ- ପଟ୍ଟାଙ୍ଗି । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି କୋଟିଆ ପଞ୍ଚାୟତ । ଜନସଂଖ୍ୟା ୭ ହଜାର ୭୨୮, ଭୋଟର୍ ୫ ହଜାର ୫୦୨ । ଓଡ଼ିଶା ପକ୍ଷରୁ ଭୋଟ ଗ୍ରହଣ ପାଇଁ ଏଠି ୯ଟି ପୋଲିଂ ବୁଥ୍ ହେବ । ସେପଟେ ଆନ୍ଧ୍ରପ୍ରଦେଶ କେବଳ ନେରେଡ଼ିବାଲସାଠାରେ ଗୋଟିଏ ପୋଲିଂ ବୁଥ୍ କରିବାକୁ  ଚିନ୍ତା କରୁଥିବା ସୂଚନା ମିଳିଛି । ଆନ୍ଧ୍ର ଏହି ଅଞ୍ଚଳକୁ ସାଲୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ କରିଛି। 

ତେବେ ସବୁଠୁ ବଡ଼ ଦ୍ବନ୍ଦ୍ବ ହେଉଛି, ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେଲେ ଭୋଟିଂ ଫେଜ୍ ଅନୁସାରେ, ପଟ୍ଟାଙ୍ଗିରେ ଆଗ ଭୋଟ ହେବ ନା ଆନ୍ଧ୍ରର ସାଲୁରରେ ? ଆଗପଛ ହୋଇ ତାରିଖ ପଡ଼ିଲେ, ଯିଏ ଆଗ ଭୋଟ୍ କରାଇବ, ଏଠାକାର ଭୋଟର ତାକୁ ଭୋଟ୍ ଦେବାର ଅଧିକ ସମ୍ଭାବନା ରହିଛି । କୋଟିଆ ସରପଞ୍ଚ ବି ଆଶଙ୍କା କରିଛନ୍ତି ଯେ, ଓଡ଼ିଶା ତତ୍ପରତା ନଦେଖାଇଲେ ଲୋକେ ଭୋଟ ଦେବାକୁ ଆନ୍ଧ୍ର ମୁହାଁ ହୋଇପାରନ୍ତି । ସେପଟେ ଏହି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ୩ ପ୍ରମୁଖ ଦଳ। ବିଜେପି ଓ କଂଗ୍ରେସ ଆଗୁଆ ପ୍ରସ୍ତୁତି ଉପରେ ଜୋର ଦେଇଥିବା ବେଳେ, ବିଜେଡି କହିଛି ନିର୍ବାଚନରେ ଆନ୍ଧ୍ର ହସ୍ତକ୍ଷେପ କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।

  • Reported by:
  • Surya Narayan Panda