/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655821864.jpg)
Elephant death
୨ ଦିନ ଧରି ପୋଖରୀ ମଝିରେ ପଡ଼ିରହିଲା ହାତୀଟି। ୩ ଦିନ ତଳେ ଦଉଡ଼ି ସହାୟତାରେ କୂଳରେ ଚାଲିଥିଲା ଚିକିତ୍ସା। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଆଉ ଡାକ୍ତରୀ ଟିମ୍ର ସବୁ ପ୍ରଚେଷ୍ଟା ସତ୍ତ୍ୱେ ଆଜି ଜୀବନ ହାରିଦେଲା ଆଉ ଗୋଟିଏ ଗଜରାଜ। ସମ୍ବଲପୁର ପଡ଼ିଆବାହାଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାପଲହରା ଗାଁରେ ଆଜି ଦେଖିବାକୁ ମିଳିଛି ହାତୀ ମୃତ୍ୟୁର ଏ କରୁଣ ଦୃଶ୍ୟ। ବନ ବିଭାଗ କର୍ମଚାରୀଙ୍କ କହିବା କଥା, ହାତୀପଲ ମଧ୍ୟରେ ଲଢ଼େଇ ଯୋଗୁ ହାତୀଟି ଆହତ ହୋଇଥିଲା। ଜୁନ୍ ୨ ତାରିଖରେ ତାର ଚିକିତ୍ସା କରାଯାଇ କ୍ଷତ ଶୁଖାଇବାକୁ ଔଷଧ ଦିଆଯାଇଥିଲା।
ଏବେ ପ୍ରଶ୍ନ ଉଠୁଛି, ଯଦି ହାତୀଟି ଆହତ ହୋଇଥିଲା ଆଉ ତା ଦେହରେ କ୍ଷତ ଥିଲା, ତାର ଗତିବିଧି ଉପରେ କାହିଁକି ନଜର ରଖି ନ ଥିଲା ବନ ବିଭାଗ ? ପାଣି ଭିତରେ ଜୀବନ ବିକଳରେ ଛଟପଟ ହେଉଥିବା ହାତୀଟିକୁ ବଞ୍ଚାଇବା ଲାଗି ଠିକ୍ ସମୟରେ ପ୍ରୟାସ କରାଯାଇଥିଲା ତ ? ପାଣି ଭିତରୁ ତାକୁ ପୂର୍ବରୁ କଢ଼ାଗଲାନି କାହିଁକି ? ଠିକ୍ ଚିକିତ୍ସା କରାଯାଇଥିଲା ତ ? ନା ବନ ବିଭାଗର ହାଲୁକା ମନୋଭାବ ଓ ଆନ୍ତରିକତା ଅଭାବରୁ ପୁଣି ବଳି ପଡ଼ିଗଲା ଆଉ ଏକ ହାତୀ ?
ସପ୍ତାହକ ପୂର୍ବରୁ ଆଠଗଡ଼ ବନଖଣ୍ଡର ନରସିଂହପୁର ୱେଷ୍ଟ ବନାଞ୍ଚଳରେ ଗୁଳିବିଦ୍ଧ ଅବସ୍ଥାରେ ପ୍ରାଣ ହାରିଥିଲା ଦନ୍ତାହାତୀ। ଚିକିତ୍ସାକାରୀ ଡାକ୍ତରଙ୍କ କହିବା ଅନୁସାରେ, ଗୁଳିବିଦ୍ଧ ହେବାର ୧୫ ଦିନ ପରେ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ସେତେବେଳକୁ ହାତୀଟିକୁ ସେପ୍ଟିସେମିଆ ହୋଇସାରିଥିଲା। ଚିକିତ୍ସାରେ ଅବହେଳା କାରଣରୁ ହାତୀଟିର ମୃତ୍ୟୁ ହୋଇଗଲା।
କେବଳ ସେତିକି ନୁହେଁ, ଗତ ଫେବ୍ରୁଆରୀ ପରଠାରୁ ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଛି ୩ଟି ହାତୀ କଙ୍କାଳ। ଏସବୁ ଘଟଣାରେ ବନ ବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏମିତିକି ନରସିଂହପୁର ଗୁଳିବିଦ୍ଧ ଦନ୍ତା ଓ ହାତୀ କଙ୍କାଳ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ଏସ୍ଆଇଟି। ଆଜି ଭୁବନେଶ୍ୱରସ୍ଥିତ ପ୍ରକୃତି ଭବନରେ ଏସଆଇଟି ପ୍ରଥମ ବୈଠକ ବସିଥିଲା। ଅପରପକ୍ଷରେ ରାଜ୍ୟରେ ହାତୀ ମୃତ୍ୟୁ ବଢ଼ିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଶିକାରୀର ଗୁଳି ହେଉ ବା ହାତୀଦାନ୍ତ ରାକେଟ୍ର କାରସାଦି ଅଥବା ଟ୍ରେନ୍ ଧକ୍କା ରାଜ୍ୟରେ ଅକାରଣରେ ଚାଲିଯାଉଛି ବହୁ ହାତୀଙ୍କ ଜୀବନ। ଏବେ ପ୍ରଶ୍ନ ଉଠିଲାଣି, କେତେ ହାତୀଙ୍କ ଜୀବନ ଗଲେ ଯାଇ ଚେତିବ ବନ ବିଭାଗ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)