• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଅଗ୍ନିକାଣ୍ଡକୁ ବିତିଲା ୩ ଦିନ । ହେଲେ ନା ଭୁଲିହେଉଛି ସେଦିନର ବିଭୀଷିକାକୁ ନା ଭରଣା କରିହେଉଛି କ୍ଷତିକୁ । ଅନବରତ ଲୁହ ଝରୁଛି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କର । ନିଆଁ ଆଉ ଧୂଆଁ ଭିତରେ ଭାତହାଣ୍ଡି ଉଜୁଡ଼ିଯିବା ପରେ ଚିନ୍ତା ଘାରୁଛି ପରିବାର ପ୍ରତିପୋଷଣର । ଏସବୁ ଭିତରେ କ୍ଷୟକ୍ଷତିକୁ ନେଇ ପ୍ରଶାସନ ଜାରି ରଖିଛି ଆକଳନ ।

ଲିଭିଯାଇଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସର ସେହି ସର୍ବଗିଳା ନିଆଁ, ଆଉ ଧୂଆଁ ନାହିଁ କି ନିଆଁକୁ ନେଇ ଆତଙ୍କ ବି ନାହିଁ । ହେଲେ ଖଣ୍ଡିଏ ଲେଖାଏଁ ଦୋକାନ କରି ଯେଉଁମାନେ ତେଲ ଲୁଣର ସଂସାର ଚଳାଉଥିଲେ, ଲୁହ ଆଉ କୋହରେ ବତୁରି ଯାଉଛି ସେମାନଙ୍କ ମନ ଆଉ ପ୍ରାଣ । କାରଣ ନିଆଁରେ ଜୀବିକା ଆଉ ରୋଜଗାରର ପନ୍ଥା ଜଳିପୋଡ଼ି ଯାଇଛି । ଉଜୁଡ଼ିଯାଇଛି ପ୍ରତ୍ୟେକଙ୍କ ଭାତହାଣ୍ଡି ।

ବ୍ୟୁଟି ପାର୍ଲର କରିଥିବା ଜଣେ ମହିଳା ଅନୁପମା ପଟ୍ଟନାୟକଙ୍କ ସବୁକିଛି ଜଳିପୋଡ଼ି ନଷ୍ଟ ହୋଇଯିବା ପରେ ଧୈର୍ଯ୍ୟ ଭାଙ୍ଗିଯାଇଛି ତାଙ୍କର । ବଳକା ସାମଗ୍ରୀ

ଯାହା କିଛି ଥିଲା ସେସବୁ ଧରି ଫେରିଯାଇଛନ୍ତି ଅନୁପମା । ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ସନ୍ଦୀପ ସାହୁଙ୍କ ଥିଲା ବ୍ୟାଗ୍ ଏବଂ ଆଟାଚ ଦୋକାନ । କିନ୍ତୁ ନିଆଁର ଆଁରେ ଜଳିଯାଇଛି ସବୁ ସାମଗ୍ରୀ । ସର୍ବହରା ହୋଇଯାଇଛନ୍ତି ସନ୍ଦୀପ । କେମିତି ପରିବାର ମୁହଁରେ ଦାନା ଦେବେ ସେହି ଚିନ୍ତା ଘାଣ୍ଟି ହେଉଛନ୍ତି କ୍ଷତିଗ୍ରସ୍ତ ସନ୍ଦୀପ ।

ମାର୍ଚ୍ଚ ୮ ତାରିଖ ସମୟ ରାତି ପ୍ରାୟ ୮ଟା । ମାଡ଼ିଚାଲିଥିଲା ଅଣନିଶ୍ୱାସୀ କଲା ଭଳିକଳା ଧୂଆଁ । ଅଣାୟତ୍ତ ହୋଇ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସକୁ ବ୍ୟାପିବାକୁ ଲାଗିଥିଲା ସର୍ବଗିଳା ନିଆଁ । ସମ୍ରାଟ ହୋଟେଲ ବି ନିଆଁର ଆଁ ଭିତରକୁ ଚାଲିଯିବାକୁ ବସିଥିଲା । ସେହି ବିଭୀଷିକା ଭିତରେ ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଥିଲେ ସମ୍ରାଟ ହୋଟେଲର ମ୍ୟାନେଜର ପ୍ରଫୁଲ୍ଲ ଦାସ । ନିଆଁ ଲାଗିବା ଦେଖି, ପ୍ରଥମେ ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ । ତା’ପରେ ବିଜୁଳି ବେଗରେ ପ୍ରତି ରୁମକୁ ଯାଇ ୧୬୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ।

ଗଞ୍ଜାମ ହିଞ୍ଜିଳିକାଟୁର ହରିହର ପାଢ଼ୀ ଓ ପରିବାର ସେଦିନର ଭୟଙ୍କର ନିଆଁରୁ ବର୍ତ୍ତିଯିବା ପରେ ସୁରୁଖୁରୁରେ ସମାପନ ହୋଇଛି ହରିହରଙ୍କ ନାତି ଅଂଶଙ୍କ ବ୍ରତୋପନୟନ । ବ୍ରହ୍ମଚାରୀ ଅଂଶ ହାତରେ ଛତା ଧରି ମାମୁଙ୍କ ସହ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶିର୍ବାଦରୁ ସମସ୍ତେ ସୁରକ୍ଷିତ ରହିବା ସହ ଗତକାଲି ଭଲରେ ଭଲରେ ବ୍ରତ ସାରି ବାହୁଡ଼ିଯାଇଛନ୍ତି ଘରକୁ । ଇତିମଧ୍ୟରେ ଅଗ୍ନିକାଣ୍ଡକୁ ବିତିଯାଇଛି ୩ ଦିନ । ଚାରିଆଡ଼େ ବିଛିନ୍ନ ହୋଇରହିଛି ପୋଡ଼ା ସାମଗ୍ରୀ ।

କଳାଧୂଆଁର ଦାଗରେ ଅସ୍ତିତ୍ୱ ହରାଇଛି ଲକ୍ଷ୍ମୀ ମାର୍କେଟ । ତାହାରି ଭିତରେ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍ କ୍ଷୟକ୍ଷତି ଆକଳନ କରିଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବେ । ପ୍ରାୟ ୪୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲେ ବି ପ୍ରଥମ ମହଲାରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ ଲକର ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ଏତେବଡ଼ ଅଗ୍ନିକାଣ୍ଡ ପରେ କୁଆଡ଼େ ଗଲେ ଲକ୍ଷ୍ମୀ କମ୍ପ୍ଲେକ୍ସ ମାଲିକ, ସେନେଇ ନାନା ଚର୍ଚ୍ଚା ଲାଗିରହିଥିବାବେଳେ ତାଙ୍କୁ ଠାବ ପାଇଁ ଜାରି ରହିଛି ପ୍ରଶାସନିକ ଉଦ୍ୟମ ।

ପୁରୀରୁ କ୍ୟାମେରାପର୍ସନ ଗୋପାଳ ଓ ସୋମନାଥଙ୍କ ସହ ମଧୁସୂଦନ ମିଶ୍ର ଏବଂ ପ୍ରଦୀପ ମହାନ୍ତିଙ୍କ ରିପୋର୍ଟ, ଓଟିଭି