• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମେଡିକାଲରେ ମୃତ ଶିଶୁ ଘରେ ହୋଇଗଲା ଜୀବିତ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏମିତି କିଛି ଅଭିଯୋଗ ଆସିଛି । ଗତକାଲି ସକାଳେ ଢେଙ୍କାନାଳ ସହର ଖମାର ସାହିର କୁନା ପ୍ରଧାନଙ୍କ ସ୍ତ୍ରୀ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସମୟ ପୂର୍ବରୁ ପିଲାଟି ଜନ୍ମ ହୋଇଥିବାରୁ ପ୍ରସୃତି ଗୁରୁତର ହୋଇ ପଡ଼ିଥିଲେ ।

ଅନ୍ୟପଟେ ପିଲାଟିର ମୃତ୍ୟୁ ହୋଇଥିବା କହିବା ସହ ମାଆର ଅଧିକ ଚିକିତ୍ସା ପାଇଁ କଟକକୁ ରେଫର୍ କରାଯାଇଥିଲା । ଗୁରୁତର ଅବସ୍ଥାରେ ଶିଶୁର ମା' କଟକ ସ୍ଥାନାନ୍ତର ହୋଇଥିବା ବେଳେ ଶିଶୁଟିକୁ ପରିବାର ଲୋକେ ଘରକୁ ନେଇଯାଇଥିଲେ। ହେଲେ ପ୍ରାୟ ୫ଘଣ୍ଟା ପରେ ଶିଶୁଟି ବଞ୍ଚିଥିବାର ଜାଣିବା ପରେ ତାକୁ ପୁଣି ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକେ । ତା’ପରେ ନବଜାତକକୁ ସ୍ୱତନ୍ତ୍ର ନବଜାତ ଯତ୍ନ ବିଭାଗ ବା SNCU ରେ ଭର୍ତ୍ତି କରାଯାଇଥିଲା ।

ଶିଶୁଟି ବଞ୍ଚିଥିବା ବେଳେ ଡାକ୍ତର କିଭଳି ତା'କୁ ମୃତ ଘୋଷଣା କଲେ ସେ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଦାୟିତ୍ୱରେ ଥିବା ଡାକ୍ତର କହିଛନ୍ତି, ଶିଶୁର ମୃତ୍ୟୁ ନେଇ ପରିବାର ଲୋକଙ୍କୁ କୌଣସି ଖବର ଦିଆଯାଇନି । ଶିଶୁ ଗୁରୁତର ଥିଲା ଏବଂ SNCUକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବିନା କୌଣସି ଖବର ଦେଇ ଶିଶୁକୁ ପରିବାରଲୋକେ ନେଇ ପଲାଇଥିବା ପାଲଟା ଅଭିଯୋଗ କରିଛନ୍ତି ଡାକ୍ତର ।

  • Reported by:
  • RAJASHREE SATAPATHY