• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାରଙ୍କ ଉପରେ ପୁଣି ବର୍ଷିଲେ ଗୋବର୍ଦ୍ଧନ ପୀଠ ମୁଖ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ ନିଜ କଥା ପୁଣି ଦୋହରାଇଛନ୍ତି । କହିଛନ୍ତି ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ସେ ଆହୁରି କହିଛନ୍ତି, ‘ମୋ ଦାୟିତ୍ୱ ହେଉଛି ବର୍ତ୍ତମାନ, ଭବିଷ୍ୟତ ଓ ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କୁହେ ନିର୍ଭୟରେ କୁହେ । ଏମିତିକି ସ୍ୱୟଂ ଦେବରାଜ ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେ ନାହିଁ । ରାଜ୍ୟ ସରକାର ମୋତେ ଡରନ୍ତି, ସେଥିପାଇଁ ମୁଁ ନଥିଲା ବେଳେ ଯାହା କାମ କରନ୍ତି ।

ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ତାତ୍ସଲ୍ୟ କରି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି, ବିଜେପି ମିଶିକରି ଚାଲୁଛି, କଂଗ୍ରେସ ଆଉ କଣ ଅଛି ? ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶାସନ କରୁଛନ୍ତି । ତେଣୁ ସେ ଏବେ କାହାରି କୌଣସି କଥା ମାନିବେ ନାହିଁ । ଯେବେ ତାଙ୍କୁ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ନିୟମ କାନୁନ ଓ ଲୋକଙ୍କ କଥା ମାନିବେ । ତା’ପୂର୍ବରୁ ଏମାନେ ମାନିବେ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ତେବେ ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଗୋବର୍ଦ୍ଧନ ମଠରେ ପ୍ରାୟ ୧ ଘଣ୍ଟା ଧରି ଉଭୟେ ଆଲୋଚନା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଥିଳେ । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ତାଙ୍କର ସାକ୍ଷାତ ଓ ଆଲୋଚନା ବ୍ୟକ୍ତିଗତ ଥିବା ସେ କହିବା ସହ ସୁପ୍ରିମକୋର୍ଟ ଆଦେଶ ମୁତାବକ ଶ୍ରୀମନ୍ଦିରର ବ୍ୟାପକ ସଂସ୍କାର ହୋଇଥିବା ସେ କହିଛନ୍ତି । ସେପଟେ ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଜଗଦଗୁରୁ । ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ତାଙ୍କ ଠାରୁ ପରାମର୍ଶ ନେବାର ଆବଶ୍ୟକତା ଥିଲା ବୋଲି ସେ ପୁଣି ଦୋହରାଇଛନ୍ତି ।