• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ସମୁଦ୍ର କୂଳରେ ଲାଗିଛି ଶକ୍ତି କୁଣ୍ଡ । ଗତକାଲି ପୁରୀ ଲାଇଟ ହାଉସ ନିକଟ ବେଳା ଭୂମିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଶିବ ଲିଙ୍ଗର ମଧ୍ୟମ ପାର୍ଶ୍ୱ ଶକ୍ତି କୁଣ୍ଡଟି ବହୁ ପୁରୁଣା ହେଇଥିବା ଅନୁମାନ କରାଯାଉଛି । ତେବେ ଏହି ଶକ୍ତି କୁଣ୍ଡଟି ଗଙ୍ଗ ବଂଶରୁ ଆହୁରି ପୁରୁଣା ହୋଇଥିବା କୁହାଯାଉଛି । ଶକ୍ତି କୁଣ୍ଡ ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି । ତେବେ ଏହି ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଉପରେ ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣର ଆବଶ୍ୟକତା ଥିବା ମତ ପ୍ରକାଶ ପାଇଛି । ପୂର୍ବରୁ ବାତ୍ୟା ବେଳେ ଏକ ସ୍ୱର୍ଣ୍ଣ ରଥ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଲାଗିଥିଲା । ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ।

ଅନ୍ୟପଟେ ଗତକାଲି ପୁରୀ ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିରେ ଥିବା ଗଙ୍ଗାମାତା ମଠର ଗୁପ୍ତ ସୁଡ଼ଙ୍ଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଗଙ୍ଗାମାତା ମଠ ଶ୍ୱେତଗଙ୍ଗା କୂଳରେ ଅବସ୍ଥିତ । କାହିଁ କେଉଁ କାଳରୁ ପୂରାଣରେ ବର୍ଣ୍ଣନା ଅଛି ଯେ, ଶ୍ୱେତଗଙ୍ଗା ସହ ଗଙ୍ଗାର ସଂପର୍କ ରହିଛି । ଏହା ପଛରେ ଥିବା ପୌରାଣିକ ଆଖ୍ୟାନକୁ ଲକ୍ଷ୍ୟ କଲେ ଏହି ମଠ ଅନେକ ଗୁରୁତ୍ୱ ବହନ କରେ ।

ଏହି ମଠରେ ବର୍ଷସାରା ବହିରାଗତ ଭକ୍ତଙ୍କ ଭିଡ଼ ଲାଗିଥାଏ । ଏବେ ଏହି ମଠ ଭିତରେ ଥିବା ଏକ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ବର୍ଷ ଏହାର ସନ୍ଧାନ ମିଳିଥିଲେ ମଧ୍ୟ ଏହା ଲୁକ୍କାୟିତ ଅବସ୍ଥାରେ ରହିଯାଇଥିଲା । ଏବେ ଏହି ସୁଡ଼ଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ,ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ଯାଏଁ ଲମ୍ବିଛି । ତେବେ ଅନୁସନ୍ଧାନ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ।