Advertisment

ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ: କିଏ ଭାଙ୍ଗିଲା 'ଜଗା'ର ଚୁଲି?

ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ।

author-image
Chandan Shishu
Chula Broken Special Story

Chula Broken Special Story

ଜାତିର ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ। ମହାପ୍ରସାଦ ପ୍ରସ୍ତୁତିରେ ବାଧା ଦେବାର ଦୁର୍ବାର ଅପଚେଷ୍ଟା। ଅବାଧରେ ରୋଷଘରେ ପଶି ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ। କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ମନ୍ଦିର ଶ୍ରୀମନ୍ଦିରର ଇଏ ହେଉଛି ସେଇ ରୋଷଶାଳା, ଯେଉଁଠୁ ଆସିଛି ବିଶ୍ୱାସ ନହେଲା ଭଳି ଖବର। ସୁଆର ମହାସୁଆର ନିଯୋଗର ଅଭିଯୋଗ ଅନୁଯାୟୀ, ଆଜି ସକାଳୁ ସୁଆର ମାନେ ରୋଷ କାର୍ଯ୍ୟ କରିବାକୁ ଯିବାବେଳେ ପ୍ରାୟ ଶତାଧିକ ଚୁଲି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। କୋଠଭୋଗଠୁ ନେଇ ସାତପୁରି, ପିଠାଆଡ଼, ଥାଳିଆଡ଼, ବଡ଼ଆଡ଼ ଭଳି ବିଭିନ୍ନ ରୋଷଚୁଲା ଭଙ୍ଗାଯାଇଥିବା ଅଭିଯୋଗ କରିଛି ନିଯୋଗ।

Advertisment

ଏପରିକି ନିଯୋଗ ଏହା ମଧ୍ୟ କହିଛି ଯେ ଗତରାତିରେ ମହାପ୍ରଭୁଙ୍କ ବଡ଼ସିଂହାର ଭୋଗ ପରେ ରୋଷଶାଳାକୁ ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ବନ୍ଦ କରାଯାଇଥିଲା। ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ। ଖବର ସାମ୍ନାକୁ ଆସିବା ପରେ ଭକ୍ତ ମହଲରେ ଉଦବେଗ ଖେଳିଯାଇଛି। ଶ୍ରୀମନ୍ଦିର ଇତିହାସରେ କେବେ ଘଟି ନଥିବା ଭଳି ଏଘଟଣା ସଂପର୍କରେ ଜଣାପଡ଼ିବା ପରେ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରମୁଖର ଘଟଣାସ୍ଥଳକୁ ଯାଇ ସ୍ଥିତିର ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି- ରୋଷଶାଳାରେ ୨୪୦ଟି ପଞ୍ଜିକୃତ ଥିବା ଚୁଲିରୁ ୪୦ଟି ଚୁଲି ଭଙ୍ଗାଯାଇଛି। ତେବେ ତୁରନ୍ତ ମରାମତି କାର୍ଯ୍ୟ ପରେ ଆଜି ବିଳମ୍ବରେ ମହାପ୍ରସାଦ ବାହାରିଥିବା କୁହାଯାଇଛି।

ହେଲେ ଏଠି ପ୍ରଶ୍ନ ଉଠୁଛି-ରୋଷ ଘରେ ପଶି ଏତେ ସଂଖ୍ୟାରେ ଚୁଲାକୁ କିଏ ଓ କାହିଁକି ଭାଙ୍ଗିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ରୋଷ ଶାଳା କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିଲେ ବି ଏତେ ବଡ଼ କାଣ୍ଡ ଘଟାଇବାରେ କିଏ କେମିତି ସମର୍ଥ ହେଲା ୟା ପଛରେ କାରଣ କଣ ? ମହାପ୍ରଭୁଙ୍କ ଷାଠିଏ ପଉଟି ପ୍ରସ୍ତୁତିରେ ବାଧା ଦେବା ଏବଂ କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳିବାର ଦୁଃସାହସ କାହାର? ସିସିଟିଭି ଫୁଟେଜ୍‌ରୁ ହୁଏତ ଏସବୁର ସୁରାକ୍ ମିଳିବାର ସମ୍ଭାବନା ଥିଲା ବେଳେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଜିଲ୍ଲାପାଳ କହିଛନ୍ତି- ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଅନୁଧ୍ୟାନ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ସୁପକାର ସେବାୟତଙ୍କ ମଧ୍ୟରେ ବିବାଦ ଓ ଦୁର୍ବଳ ସୁରକ୍ଷା ବ୍ୟବସ୍ଥା କାରଣରୁ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଥିଲା ବେଳେ, ଏବେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର।

ରିପୋର୍ଟ: ମଧୁସୂଦନ ମିଶ୍ର

Jagannath Temple Chula Broken
Advertisment
Advertisment