• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପଣଙ୍କ ବିଶ୍ୱସ ଆଉ ଭରସାର ଆପାର୍ଟମେଣ୍ଟରେ କେତେ ସୁରକ୍ଷିତ ଆପଣଙ୍କ ଧନ ଜୀବନ ? ଆପଣ ଟଙ୍କା ଗଣି ଯେଉଁ ସୁରକ୍ଷା ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଦାୟିତ୍ବ ଛାଡ଼ି ଦେଇଛନ୍ତି, ତାହା ବିଶ୍ୱାସଯୋଗ୍ୟ ତ ? ଭୁବନେଶ୍ୱର ଇନଫୋସିଟି ଅଞ୍ଚଳର ଏକ ଆପାର୍ଟମେଣ୍ଟାରୁ ରାତିକ ଭିତରେ ଚାରି ଚାରିଟି ଚୋରି ପରେ ଚିନ୍ତା ବଢ଼ିଛି ଚାରିଆଡ଼େ । ଏଭଳି ସ୍ଥିତିରେ ଆପାର୍ଟମେଣ୍ଟରେ କେମିତି ସୁରକ୍ଷା ବ୍ୟବସ୍ଥା ରହିବା ଦରକାର ? କେମିତି ରହିବେ ସତର୍କ ଆପଣ ? ଦେଖିବା ସ୍ୱତନ୍ତ୍ର ରିପୋର୍ଟ ।

ସୋମବାର ରାତିରେ ଯାହା ଘଟିଯାଇଛି, ସମସ୍ତଙ୍କୁ ଜଣା । ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ରାଜବାଟିକା ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ, ରାତିକ ଭିତରେ ଦୁର୍ବୃତ୍ତ ଯେଭଳି କଳାକନା ବୁଲାଇ ଦେଇଛନ୍ତି, ସାରା ରାଜଧାନୀରେ ହଲଚଲ୍ । କାରଣ ରାଜଧାନୀରୁ ରାଜ୍ୟବ୍ୟାପି, ଆଦୃତ ହୋଇଛି ଆପାର୍ଟମେଣ୍ଟ କଲଚର୍ ।

କାରଣ ଆପାର୍ଟମେଣ୍ଟରେ ରହିଲେ ପଡ଼ୋଶୀ ବି ମିଳିଯିବେ, ଚୋରି ଡକାୟତିର ଆଶଙ୍କା ବି ନାହିଁ । ହେଲେ ସବୁ ଆଶା ଆଉ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରିଛି ରାଜବାଟିକା ଆପାର୍ଟମେଣ୍ଟରୁ ଚୋରି ମାମଲା । ଫଳରେ ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଉଠିଛି ନାନା ପ୍ରଶ୍ନ । ଆପାର୍ଟମେଣ୍ଟରେ ନିଯୁକ୍ତ ସିକ୍ୟୁରିଟି ଗାର୍ଡ ନିଜ ଦାୟିତ୍ୱରେ ଢିଲା ମାରୁଛନ୍ତି କି ? ସିକ୍ୟୁରିଟି ଗାର୍ଡ ଯୋଗାଉଥିବା ଘରୋଇ ସଂସ୍ଥା ଗୁଡ଼ିକ ନିଯୁକ୍ତି ବେଳେ SOP ପାଳନ କରୁଛନ୍ତି ତ ? ନା ରୋଜଗାର ଲୋଭରେ ଦକ୍ଷନଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରୁଛନ୍ତି ଘରୋଇ ସଂସ୍ଥା ?

ଆଉ ଏକ ଚିନ୍ତାଜନକ ବିଷୟ ହେଉଛି, ଚିହ୍ନା, ପରିଚିତ ଲୋକଙ୍କ ଦ୍ୱାରା ହିଁ ସଂଘଟିତ ହୁଏ ଅପରାଧ । ଆଉ ତା ପଛରେ ଥାଏ ସିକ୍ୟୁରିଟି ଗାର୍ଡଙ୍କଠାରୁ ଆରମ୍ଭ କରି ଚାକରାଣୀ, ରୋଷେୟା ଅବା ଡ୍ରାଇଭରର ହାତ । ୨୦୧୨, ଫେବୃଆରୀ ୧୯ । ଖଣ୍ଡଗିରିବାରି ଅଞ୍ଚଳରେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ବଳରାମ ସାହୁଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁଖ୍ୟ କାର୍ପଟଦାର ଥିଲା ଘରେ କାମ କରୁଥିବା ମିସ୍ତ୍ରୀ ଓ ତାର ସହଯୋଗୀ । ୨୦୧୨, ସେପଟେମ୍ୱର ୧୪ । ଆଚାର୍ଯ୍ୟ ବିହାରରେ ପାଣିଗ୍ରାହୀ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା କରିଥିଲା ତାଙ୍କର ଜଣେ ଭଡ଼ାଟିଆ ।

୨୦୧୩, ସେପ୍ଟେମ୍ୱର ୧୧ । ରସୁଲଗଡ଼ରେ ସଂଘଟିତ ବହୁଚର୍ଚ୍ଚିତ ବଚନ ସୁଦ୍ଧାଙ୍କୁ ତାଙ୍କ ନିଜ ଘରେ ନିର୍ମମ ହତ୍ୟା କରିଥିଲା ତାଙ୍କର ନିଜର ସିକ୍ୟୁରିଟି ଗାର୍ଡ । ଏଭଳି ମାଳ ମାଳ ଘଟଣା ଘଟିଛି, ବ୍ୟକ୍ତିଗତ ଘର ଏବଂ ଆପାର୍ଟମେଣ୍ଟ ଗୁଡ଼ିକରେ । ତେବେ ଯେଉଁ ଗତିରେ ଆପାର୍ଟମେଣ୍ଟ କଲଚର ବଢ଼ିଚାଲିଛି, ସେହି ଅନୁପାତରେ ଆଇନଶୃଙ୍ଖଳା ବ୍ୟବସ୍ଥା କରାଯାଇପାରୁନଥିବା ପୋଲିସ୍ ସ୍ୱୀକାର କରିଛି ।

ଏସବୁରୁ ମୁକୁଳିବା ପାଇଁ ହେଲେ ଆପାର୍ଟମେଣ୍ଟବାସୀନ୍ଦାଙ୍କୁ କେତୋଟି ପନ୍ଥା ଆପଣାଇବାକୁ ପଡ଼ିବ । ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ସିସିଟିଭି ବ୍ୟବସ୍ଥା ସହ ପୋଲିସ ଦ୍ୱାରା ପଞ୍ଜିକୃତ ସଂସ୍ଥାର ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରନ୍ତୁ । ସିକ୍ୟୁରିଟି ଗାର୍ଡଙ୍କ ଅପରାଧୀକ ପୃଷ୍ଠଭୂମି ସଂପର୍କିତ ତଥ୍ୟ ଯାଞ୍ଚ କରିବା ଜରୁରୀ । ଦୁର୍ବୃତ୍ତ କିମ୍ବା ଅସାମାଜିକଙ୍କ ସହ ମୁକାବିଲା ପାଇଁ ନିଯୁକ୍ତ ସିକ୍ୟୁରିଟି ଗାର୍ଡ କେତେ ଦକ୍ଷ, ତାକୁ ଭଲ ଭାବେ ବୁଝନ୍ତୁ । ସିକ୍ୟୁରିଟି ଏଜେନସୀ ସଂପର୍କରେ ପୋଲିସ ପାଖରୁ ସବିଶେଷ ତଥ୍ୟ ନିଅନ୍ତୁ । ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନର ସବୁ ବିବରଣୀ ଉପରେ ଧ୍ୟାନ ଦିଅନ୍ତୁ । ଅଚିହ୍ନା ଅଜଣା ଲୋକଙ୍କୁ ଫ୍ଲାଟ ଯାଏଁ ଆସିବା ପାଇଁ ଦିଅନ୍ତୁ ନାହିଁ । ଆପଣ ରହୁଥିବା ଆପାର୍ଟମେଣ୍ଟର ବାସିନ୍ଦାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ବି ଫୋକସ କରନ୍ତୁ ।

  • Reported by:
  • ATULYA BOUT