• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-ଚନ୍ଦ୍ରଭାଗା ମନୋରମ ବେଳାମାର୍ଗ ? ପର୍ଯ୍ୟଟନ ମ୍ୟାପ୍‌ରୁ ହଜିଯିବନି ତ କୋଣାର୍କ-ପୁରୀ-ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୂଜର ଏକ ପ୍ରମୁଖ ଅଂଶ ? କାରଣ ସମୁଦ୍ରର ଭୀମକାୟ ଢେଉ ମା଼ଡରେ ମେରାଇନ୍ ଡ୍ରାଇଭ୍‌ର ଇକୋ-ରିଟ୍ରିଟ୍ ସ୍ଥଳ ପାଖରେ ପ୍ରାୟ ୨୫୦ ମିଟର ପ୍ରାଚୀର ଧୋଇ ଯିବା ପରେ ଏବେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

ଯଦିଓ ଲହଡ଼ି ମାଡ଼ରେ ଘାଇଲା ବେଳାଭୂମିର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପାଇଲିଂ କାମ ଚାଲିଛି, ତେବେ ଏହା କେତେ ଫଳପ୍ରଦ ହେବ ତାକୁ ନେଇ ବି ପ୍ରଶ୍ନ । ଏହାସତ ୧୯୮୦ ମସିହାରେ ଯେତେବେଳେ ଏ ବେଳାମାର୍ଗର ନିର୍ମାଣ କରାଯାଇଥିଲା, ସେତେବେଳେ ଏହାର ସୁରକ୍ଷା ପାଇଁ ପ୍ରାଚୀର ନିର୍ମାଣ କରାଯାଇଥିଲା । ତାସହ ପ୍ରାକୃତିକ ବାଲିବନ୍ତ ଓ ଝାଉଁବଣ ବି ଅନ୍ୟତମ ସୁରକ୍ଷା କବଚ ସାଜିଥିଲା ।

ହେଲେ କାଳକ୍ରମେ ଝାଉଁବଣର ଅବକ୍ଷୟ ଓ ବେଧଡକ୍ ବାଲିବନ୍ତର ଲୁଟ୍ ଯୋଗୁଁ ଆଜି ଏଭଳି ଭୟଙ୍କର ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏମିତିକି ଏଥିପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି । ସେପଟେ ପୁରୀ ଉପଜିଲ୍ଲାପାଳ କହିଛନ୍ତି ବେଳାଭୂମି ରାସ୍ତାରେ ଏନଏଚ୍ ବିଭାଗ ପକ୍ଷରୁ ବାଲିବସ୍ତା ପକାଯିବା ସହ ପାଇଲିଂ କାମ ଚାଲିଛି । ଏହାର ସ୍ଥାୟୀ ସୁରକ୍ଷା ନେଇ ଜିଲ୍ଲାପାଳଙ୍କ ସ୍ତରରେ ସମୀକ୍ଷା ହୋଇଛି ।

ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ଏ ଦୁଃସ୍ଥିତି ପାଇଁ ବାଲିବନ୍ତ ଲୁଟ୍ ବଡ଼ କାରଣ ବୋଲି ସ୍ଥାନୀୟ ଲୋକେ ଯେଉଁ ସାଂଘାତିକ ଅଭିଯୋଗ ଆଣୁଛନ୍ତି ତାହା କେତେ ସତ, ତାହା ଆପଣ ଘଟଣାସ୍ଥଳକୁ ଗଲେ ସ୍ପଷ୍ଟ ଜାଣିପାରିବେ । ଗତ ମାର୍ଚ୍ଚ-ଏପ୍ରିଲ୍ ମାସରେ ରାତି ଅଧରେ କେମିତି ବାଲିବନ୍ତ ଗୁଡ଼ିକରୁ ମାଫିଆ ବେଧଡକ୍ ବାଲି ଚୋରି କରୁଥିଲେ, ତାର ପ୍ରମାଣ ମଧ୍ୟ ରହିଛି । ଯାହାକୁ ନେଇ ସେତେବେଳେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଆଉ ତାପରେ ହଇଚଇ ସୃଷ୍ଟି ହୋଇଥିଲା । ହେଲେ ତାକୁ ରୋକା ନଯିବାରୁ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ଯାହାକୁ ନେଇ ପରିବେଶବିତ୍ ବି ଗଭୀର ଚିନ୍ତା ପ୍ରକଟ କଲେଣି । କହିଛନ୍ତି ସରକାରଙ୍କ ପାଇଁ ଏହା ସତର୍କ ଘଣ୍ଟି ।

ଅଶାନ୍ତ ସମୁଦ୍ର ମାଡ଼ରେ ଘାଇଲା ପୁରୀ-କୋଣାର୍କ ବେଳାଭୂମି ର ଏସ୍ଥିତି ଦେଖି କେବଳ ସ୍ଥାନୀୟ ବାସିନ୍ଦା ଆତଙ୍କିତ ନୁହଁନ୍ତି, ମନୋରମ ମେରାଇନ୍ ଡ୍ରାଇଭର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ବି ନିରାଶ ହୋଇଛନ୍ତି ।