• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଥମୁନି ଡ୍ରାଇଭର ମହାସଙ୍ଗର ଅସନ୍ତୋଷ । ତମାଣ୍ତୋ ଛକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ଡ୍ରାଇଭର୍‌ । ଭୁବନେଶ୍ୱର ତମାଣ୍ଡୋରେ ପରିସ୍ଥିତି ଏପରି ହୋଇଛି କି, ଏନଏଚ୍ ଉପରେ ଧସ୍ତାଧସ୍ତି ଓ ପାଟିତୁଣ୍ଡ ହୋଇଛି । ପରିସ୍ଥିତି ବିଗିଡ଼ିବା ପରେ ଫୋର୍ସ ମୁତୟନ କରାଯାଇଛି ।

ତମାଣ୍ଡୋ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ହେଉଛି । ଗତକାଲିଠୁ ଚାଲିଥିବା ଏହି ଧାରଣା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ ଅଟକି ରହିଛି । ଆଜି ଏମାନେ ଯିବାକୁ ଚେଷ୍ଟା କରିବା ପରେ ଏଭଳି ଉତ୍ତେଜନା ଦେଖାଦେଇଛି । ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ ଯୋଗୁଁ ରାଜ୍ୟରେ ଅଘୋଷିତ ବନ୍ଦ ଭଳି ସ୍ଥିତି । ଠପ୍ ହୋଇଯାଇଛି ଜୀବନଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ଯାତ୍ରୀ । କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ । ଜରୁରୀ କାମରେ ଘରୁ ବାହାରିଥିବା ଲୋକେ ବି ହଇରାଣ ହରକତ ହୋଇଛନ୍ତି ।

ଷ୍ଟାଣ୍ଡରେ ବସ୍ ଠିଆ ହୋଇଥିଲା, ହେଲେ ଆସିନଥିଲେ ଡ୍ରାଇଭର । ଗଡିନଥିଲା ଗାଡି। ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯେପରି ଅଘୋଷିତ ଓଡ଼ିଶା ବନ୍ଦ କରିଦେଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡ ହେଉ ଅବା ସବୁଠୁ ବ୍ୟସ୍ତବହୁଳ ବାଦାମବାଡି । ପିଲା ଛୁଆଙ୍କୁ ଧରି ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଚାତକ ପରି ଅନାଇ ରହିଥିଲେ ବସ୍‌ର ଗଡିବା ବାଟକୁ । ବସରେ ସେମିତି ବସି ରହିଥିଲେ ଯାତ୍ରୀ । କିଏ ଦି ଘଣ୍ଟା ତ କିଏ ୪ରୁ ୫ ଘଣ୍ଟା । ଅପେକ୍ଷା କରି କରି ବିରକ୍ତି ହୋଇ ଶେଷରେ ଘରକୁ ଫେରିଥିଲେ ।

ତେବେ ଘରୋଇ ବସ୍‌ ଚଳାଚଳ ବନ୍ଦ ନେଇ ଚେତାବନୀ ଦେଇଛି ଘରୋଇ ବସ୍‌ ମାଲିକ ସଙ୍ଘ । ଡ୍ରାଇଭର ସଂଘର ଆନ୍ଦୋଳନ ଦୃଷ୍ଟିରୁ ରଖି ଏଭଳି ଚେତାବନୀ ଦେଇଛି ସଙ୍ଘ । ସନ୍ଧ୍ୟା ସୁଦ୍ଧା ରାସ୍ତା କ୍ଲିଅର ନ ହେଲେ ବସ୍‌ ବନ୍ଦ ଧମକ ଦିଆଯାଇଛି । ପ୍ରେସମିଟ୍‌ କରି ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍‌ ମାଲିକ ସଂଘ । ପୋଲିସ ସୁରକ୍ଷା ଦେଉ ନ ଥିବା ଅଭିଯୋଗ କରିଛନ୍ତି ବସ୍‌ ମାଲିକ ସଂଘ ।