• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାୟଗଡ଼ା: ରାଜ୍ୟ ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ସେହି ଟଙ୍କା ପ୍ରକୃତ ହିତାଧିକାରୀ ନିକଟରେ ପହଞ୍ଚୁଛି ନା ନାହିଁ । ତାହା ଦେଖିବାକୁ କେହି ନାହିଁ । ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରୁ ଆସୁଛି ନାନା ଅଭିଯୋଗ । କେଉଁଠି ବିଜୁଳି ନାହିଁ ତ କେଉଁଠି ନିମ୍ନମାନର ଖାଇବା ଦିଆଯାଉଛି । ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ମଧ୍ୟାହ୍ନ ଭୋଜନରେ ବି ନାନା ସମସ୍ୟା ରହିଥିବା ଖବର ସାମ୍ନାକୁ ଆସିଛି । 

ତେବେ ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ? ଏହା ଏବେ ପ୍ରତ୍ୟେକ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ସରକାର କହୁଛନ୍ତି ସ୍ମାର୍ଟ ସ୍କୁଲ କଥା ହେଲେ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଛି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସ୍କୁଲ ଘର । କେତେବେଳେ ଭୁଶୁଡ଼ିବ ତାହା କେହି କହି ପାରିବେ ନାହିଁ ।

ଗୋଟିଏ ପଟେ ସରକାର ସ୍ମାର୍ଟ ସ୍କୁଲ ପାଇଁ ବାହା ବାହା ସାଉଁଟୁଥିବା ବେଳେ ଅନ୍ୟପଟେ ଗାଁରେ ସ୍କୁଲ ଘର ନଥିବାରୁ ବାରଣ୍ଡା ତଥା ଗଛ ମୂଳେ ଚାଲୁଛି ପାଠ ପାଢ଼ା । ଏଭଳି ଅଭିଯୋଗ ଅନେକ ସମୟରେ ସାମ୍ନାକୁ ଆସିଛି । ତଥାପି ଏହାର ସମାଧନ ଦିଗରେ କେହି କର୍ଣ୍ଣପାତ କରୁ ନାହାନ୍ତି ।

ଠିକ୍‌ ଏମିତି ଏକ ଅବ୍ୟବସ୍ଥା କଥା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲାରୁ । ନିଜ ସମସ୍ୟାର ସମାଧାନ ପାଇଁ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଜିଲ୍ଲାପାଳଙ୍କ ନିକଟକୁ ଆସିଲେ ଛାତ୍ରଛାତ୍ରୀ । ଅଭିଯୋଗ ଏହାଥିଲା ଯେ, ଛାତ୍ର ଛାତ୍ରୀଙ୍କୁ ହଷ୍ଟେଲରେ ଭଲ ଖାଇବା ମିଳୁନି । ନିମ୍ନମାନର ଖାଇବା ଦେଉଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । ଯାହାଫଳରେ ବିଭିନ୍ନ ସମୟରେ ଅନେକ ପିଲା ଅସୁସ୍ଥ ହେଉଛନ୍ତି । ଏଥିପାଇଁ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । 

ନିମ୍ନମାନର ଖାଇବା ନେଇ ଛାତ୍ରଛତ୍ରୀ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ତେବେ କେବଳ ଖାଦ୍ୟ ପାନୀୟରେ ନୁହେଁ, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟର ମଦ୍ୟ ସୁବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଏହାସହ ସେମାନଙ୍କୁ ୟୁନିଫର୍ମ ନମିଳିବା କଥା ମଧ୍ୟ ଜିଲ୍ଲାପାଳଙ୍କ କାନରେ ପଡ଼ିଛି । ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ, ହଷ୍ଟେଲରୁ ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।