/odishatv-khabar/media/post_attachments/uploadimage/library/16_9/16_9_0/Job_1708353027.jpg)
Job
ବିଦେଶରେ ବଡ଼ ଚାକିରି କରାଇ ଦେବାର ଆଶା ଦେଖାଇ ଶତାଧିକ ଲୋକଙ୍କୁ ଠକେଇ । ଗଞ୍ଜାମ ଜିଲ୍ଲାର ୧୦୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ୩ ଠକ । ବ୍ରହ୍ମପୁର ପୋଲିସ୍ ଏମାନଙ୍କୁ ଗିରଫ କରିବା ପରେ ଧିରେ ଧିରେ ପୂରା ରହସ୍ୟ ଉପରୁ ପରଦା ହଟୁଛି ।
ବିଦେଶରେ ଚାକିରି,,, ବଡ଼ କମ୍ପାନୀ-ବଡ଼ ଦରମା... କମ୍ ସମୟରେ ଅଧିକ ରୋଜଗାରର ଲୋଭ ଦେଖାଇ ନୀରିହଙ୍କୁ ଚୂନ ଲଗାଉଛନ୍ତି ଠକ । ଆଉ ଏପରି ଠକାମୀର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଶହେରୁ ଅଧିକ ଯୁବକ । ଯେତେ ପାସପୋର୍ଟ ସେତେ ପୀଡ଼ିତ ।
ଏହି ମାମଲାରେ ବ୍ରହ୍ମପୁର ପୋଲିସ୍ ୩ ଅଭିଯୁକ୍ତଙ୍କୁ ଧରିଛି । ବିଶାଖାପାଟଣାର ଚିନାପାଣି ମୋହନ ରେଡ୍ଡୀ, ଶ୍ରୀକାକୁଲମର ଦିଲେଶ୍ୱର ଓ ପି.ସୀମାଞ୍ଚଳ । ଏମାନେ ବିଦେଶରେ ଚାକିରି କରାଇ ଦେବାକୁ କହି ଚଳୁ କରିଛନ୍ତି ପ୍ରାୟ ୧୦ ଲକ୍ଷ ଟଙ୍କା । ପ୍ରଥମେ ବଡ଼ ସ୍ୱପ୍ନ ଦେଖାଇ ଜାଲରେ ଫସାଇଲେ, ପରେ କୌଶଳକ୍ରମେ ଟଙ୍କା ଆଦାୟ କଲେ ।
ହେଲେ ସବୁ ଯୋଜନାକୁ ବିଫଳ କରିଦେଇଛି ପୋଲିସ୍ । ବିଶାଖାପାଟଣାରେ ବସି ଗଞ୍ଜାମ ଓ ଆଖପାଖ ଅଞ୍ଚଳରୁ ବେକାର ଯୁବକଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ଏହି ୩ ଜଣ । ଆଫ୍ରିକୀୟ ଦେଶ କେନିଆରେ ମାସକୁ ୫୦ ହଜାର ଟଙ୍କା ଦରମା ମିଳିବ କହି ୯୨ ଜଣଙ୍କଠୁ ପାସପୋର୍ଟ ଓ ପ୍ରାୟ ୧୦ ଲକ୍ଷ ଟଙ୍କା ନେଇଥିଲେ ।
ଚାକିରି ମାଗିବାରୁ ଟୁରିଷ୍ଟ ଭିସା ଓ ଫେକ୍ ନିଯୁକ୍ତିପତ୍ର ଧରାଇଥିଲେ । ବାସ୍ ଉପୁଜିଥିଲା ସନ୍ଦେହ...ବାରମ୍ବାର ଫୋନ୍, ଯୋଗାଯୋଗ କରିବା ପରେ ବି ଧରା ଛୁଆଁ ଦେଇନଥିଲେ ଏମାନେ । ଶେଷରେ କିଛି ବାଟ ନପାଇ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲେ ଠକେଇର ଶିକାର ଯୁବକମାନେ ।
ବ୍ରହ୍ମପୁର ଗୋଷାଣୀ ନୂଆଗାଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବା ପରେ ବିଶାଖାପାଟଣାରୁ ଏମାନଙ୍କୁ ଧରିଛି ଓ ପୂରା ସ୍କାମ୍ ର ପର୍ଦାଫାସ୍ ହୋଇଛି । ତେବେ ଗଞ୍ଜାମରେ ଦାଦନ ଦୁଃଖ କିଛି ନୂଆ କଥା ନୁହେଁ । ପ୍ରତି ବର୍ଷ ଗଦା ଗଦା ମାମଲା ସାମ୍ନାକୁ ଆସେ । କେତେବେଳେ ବିଦେଶକୁ ଚାକିରି ସନ୍ଧାନରେ ଯାଇ ଆଉ ଫେରି ପାରନ୍ତିନି ତ ପୁଣି କେତେବେଳେ ଜୀବନ ହାରନ୍ତି । ଅକଥନୀୟ ନିର୍ଯାତନା ପରେ ବି ନିଜ ରାଜ୍ୟରେ କାମ ନମିଳିବା ଏ ସଂଖ୍ୟାକୁ ଅଧିକ ବଢ଼ାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)