• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଗତସିଂହପୁର ଜିଲ୍ଳା ତିର୍ତ୍ତୋଲ ବ୍ଲକ୍ ନାଉସିରାଠାରେ ଅଶୀ ଦଶକରେ ପ୍ରତିଷ୍ଠା ପାଇଥିଲା ଶାରଳା ସମବାୟ ସୂତାକଳ । ହେଲେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ସୂତାକଳ । ଗତ ୧୯୯୯ ମହାବାତ୍ୟା, ସୂତାକଳର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ସଳଖୀ ପାରିନି ଅଣ୍ଟା । ପୁଣି ଠିଆ ହେବାକୁ ହୋଇପାରି ନାହିଁ ସକ୍ଷମ । ପ୍ରାୟ ୧୨ ଶହ ପରିବାର ପାଇଁ ଭାତ ହାଣ୍ଡି ଥିବା ଏହି ପ୍ରତିଷ୍ଠାନ ବନ୍ଦ ହୋଇପଡିଛି । ଏପଟେ ସୂତାକଳ ବନ୍ଦ ଯୋଗୁ ଋଣ ସୁଝିବା ସମ୍ଭବ ନହେବାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଶାଖା ପକ୍ଷରୁ ସୂତାକଳର କିଛି ଅଂଶ ନିଲାମ ପାଇଁ ନୋଟିସ ମରାଯାଇଛି ।

ଜରାଜୀର୍ଣ୍ଣ ହୋଇପଡିଛି ଏହି ସୂତାକଳ । ୧୯୮୨ ମସିହାରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ଜଗତସିଂହପରୁ ତିର୍ତ୍ତୋଲ ନାଉସିରାଠାରେ ହୋଇଥିଲା ଶାରଳା ସମବାୟ ସୂତାକଳ । ୧୯୮୪ରୁ ଏଠାରେ ଉତ୍ପାଦନ ଆରମ୍ଭ ହୋଇଥିଲା । ୩୨ ଏକର ଜମି ଉପରେ ପ୍ରତିଷ୍ଠା କରାଯାଇଥିଲା ଏହି ସୂତାକଳ ।

ବିଭିନ୍ନ ସମୟରେ ବହୁ ବାଧାବିଘ୍ନ ସତ୍ୱେ ବ୍ୟାଙ୍କ ଏବଂ ଅନ୍ୟ ସଂସ୍ଥାରୁ ଋଣ କରାଯାଇ ୧୯୯୯ ମହାବାତ୍ୟା ପର୍ଯ୍ୟନ୍ତ ଚାଲୁ ରହିଥିଲା ସୂତାକଳ । ୧୨ଶହରୁ ଅଧିକ କର୍ମଚାରୀ ଏଥିରେ ନିଯୁକ୍ତି ପାଇ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ମହାବାତ୍ୟା ପରଠୁ ଏହା ବନ୍ଦ ପଡିଛି । ଏବେ ରଣ ଭାର ବଢିଗଲା ପରେ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ନୋଟିସ ମରାଯାଇଛି ।

ଏହି ସୂତାକଳ ଚାଲୁ କରିବାକୁ ବର୍ତ୍ତମାନର ସରକାର ଆନ୍ତରିକତା ନଦେଖାଇବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।  ଅନ୍ୟପକ୍ଷରେ ଏଠାରେ ଆଉ ସୂତାକଳ ଚାଲିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି । ତେବେ ବିକଳ୍ପ ବ୍ୟବସ୍ଥା କଣ କରାଯାଇପାରେ, ସେକଥା ସରକାର ଚିନ୍ତା କରୁଛନ୍ତି, ତାହା ଆଗାମୀ ଦିନରେ ଜଣାପଡିବ ବୋଲି ସେ କହିଛନ୍ତି ।