• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁର ସହରର ସ୍ଥିତି । ତଥାପି ଶାନ୍ତି ଶୃଙ୍ଖଳା ଉଦ୍ଦେଶ୍ୟରେ କର୍ଫ୍ୟୁକୁ ବଳବତ୍ତର ରଖିବା ସହ ହିଂସାରେ ସଂପୃକ୍ତ ଅଭିଯୋଗରେ ପ୍ରାୟ ୭୯ ଜଣଙ୍କୁ ଗିରଫ କରିଛି ପୋଲିସ । ସରକାରୀ ଜମି ଉପରେ ବେଆଇନ ଭାବେ ଘର ନିର୍ମାଣ କରି ହିଂସା ଭିଆଉଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି । ସେପଟେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଜି ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଶାନ୍ତ ହେଉଛି ଅଶାନ୍ତ ସମ୍ବଲପୁର । ଶାନ୍ତି ଫେରୁଛି ଧୀରେ ଧୀରେ । କର୍ଫ୍ୟୁ ଯୋଗୁ ଗୃହବନ୍ଦୀ ଅବସ୍ଥା ସତ୍ତ୍ୱେ ସ୍ୱାଭାବିକ ହେଉଛି ଜୀବନ । କର୍ଫ୍ୟୁ ଲାଗିବାର ୩୬ ଘଣ୍ଟା ପୂରିଥିବା ବେଳେ ଏକପ୍ରକାର ନିୟନ୍ତ୍ରଣାଧିନ ସମ୍ବଲପୁରର ସ୍ଥିତି । ତଥାପି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ରହିଛି ପୋଲିସ ଛାଉଣୀ । ଆଜି ବିଭିନ୍ନ କମ୍ପିଟେଟିଭ୍ ଏକଜାମ ଥିବାରୁ ପରୀକ୍ଷା କେନ୍ଦ୍ରକୁ ଯିବା ଓ ଆସିବା ସମୟରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିଲା । ବସଷ୍ଟାଣ୍ଡ ଓ ରେଳଷ୍ଟେସନରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା ହୋଇଥିଲା ।

ଅପରପକ୍ଷେ କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ । ଦୋକାନ ବଜାର ଭଙ୍ଗାରୁଜା ସହ ପୋଡ଼ା ଜଳା ହୋଇଥିବା ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ମହାନଗର ଡେପୁଟି କମିଶନର । ସମ୍ବଲପୁରରେ ଡେରା ପକାଇଥିବା ପୋଲିସ ଡିଜି ସମୀକ୍ଷା ପରେ କହିଛନ୍ତି, ଗତ ୧୪ ତାରିଖ ପରଠୁ ସହରରେ ଆଉ କୌଣସି ଅପ୍ରୀତିକାର ସ୍ଥିତି ଉପୁଜିନି । ତଥାପି ଶାନ୍ତିଶୃଙ୍ଖଳା ବଜାୟ ପାଇଁ କର୍ଫ୍ୟୁ ବଳବତ୍ତର ରଖାଯାଇଛି ।

ଦିନେ ଦୁଇ ଦିନ ଭିତରେ ସ୍ଥିତିରେ ସୁଧାର ଆସିଲେ ସମ୍ପୂର୍ଣ୍ଣ କର୍ଫ୍ୟୁକୁ ହଟାଇ ଦିଆଯିବ । ସେପଟେ ଏସ୍ପି କହିଛନ୍ତି, ଗତ ବୁଧବାର ଓ ଶୁକ୍ରବାର ଯାହା ଘଟିଯାଇଥିଲା, ତାହା ପୂର୍ବ ଯୋଜନା ଭଳି ଜଣାପଡୁଛି । ଯେଉଁମାନେ ବି ଏଥିରେ ସଂପୃକ୍ତ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏହାଭିତରେ ୧୨ ତାରିଖ ଘଟଣାରେ ୨୬ ଓ ୧୪ ତାରିଖ ଘଟଣାରେ ୫୩ ଜଣଙ୍କୁ ଗିରଫ କରାଯାଇଛି ।

ବାଇକ ରାଲି ଉପରେ ମୋତିଝରଣ ଅଞ୍ଚଳର ଯେଉଁ ସବୁ କୋଠା ଓ ଘର ଉପରୁ ପଥର ମାଡ଼ ହୋଇଥିଲା, ସେଗୁଡ଼ିକ ଚିହ୍ନଟ ସରିଛି । ଏସବୁ ଘର ସରକାରୀ ଜାଗାରେ ଥିଲେ ଓ ସେହି ଘରର ସଦସ୍ୟ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ, ସେ ଘରକୁ ଭଙ୍ଗାଯିବ ବୋଲି କହିଛନ୍ତି ଏସପି ।

ସେପଟେ ସମ୍ବଲପୁରରେ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । RDCଙ୍କ ସମ୍ମିଳନୀ କକ୍ଷରେ ଆରଡିସିଙ୍କ ସମେତ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ଏଡିଏମ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଅଧିକାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ।

କାହିଁକି ଘଟିଗଲା ଏତେବଡ଼ ଅଘଟଣ ? କେଉଁଠି ରହିଲା ତ୍ରୁଟି ? ଏଯାଏଁ ସତ ସାମ୍ନାକୁ ଅଣାଯାଇନଥିବାବେଳେ ଏଭଳି ହିଂସାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଗିରିରାଜ ଅଭିଯୋଗ କରିଛନ୍ତି । ଜବାବରେ ବିଜେଡି କହିଛି, ସମ୍ବେଦନଶୀଳ ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବିବୃତ୍ତି ଦୁର୍ଭାଗ୍ୟଜନକ ।

  • Reported by:
  • SANJAY JENA , PAWAN TIWARI , HARIHARA CHAND