• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ାରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ମୃତ ପାଭେଲ ଆନ୍ଥମ ଥିଲେ ଋଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ । ଋଷ ଯୁକ୍ରେନ ଯୁଦ୍ଧ ସମୟରେ ପୁଟିନ୍‌ଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ । ତେବେ ବର୍ତ୍ତମାନ ପାଭେଲଙ୍କ ମୃତ୍ୟୁ ନେଇ ଦୂତାବାସଠୁ ଖବର ପାଇବା ପରେ ଶୋକବ୍ୟକ୍ତ କରିଛନ୍ତି ଋଷ ସଂସଦର ଉପ ବାଚସ୍ପତି ।

ଗତ ୨୪ ତାରିଖରେ ରାୟଗଡ଼ା ସ୍ଥିତ ଏକ ହୋଟେଲ ଛାତରୁ ଡେଇଁ ପାଭେଲ ଆତ୍ମହତ୍ୟା କରିଥିବା କୁହାଯାଉଥିଲା । ତେବେ ଜଣେ ସାଂସଦ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡଡ଼ା ? ଋଷରୁ ରାୟଗଡ଼ା ଯାଏ ଲିଙ୍କ କଣ ? ପାଭେଲଙ୍କୁ କିଏ ପଠାଇଥିଲା ଓଡ଼ିଶା ? ସାଙ୍ଗ ଭ୍ଲାଦିମିରଙ୍କ ମୃତ୍ୟୁ ପରେ ପାଭେଲଙ୍କ ଅସ୍ୱାଭାବିକ ମୃତ୍ୟୁ ଏବେବି ରହସ୍ୟ ଘେରରେ ।

ସୂଚନା ଅନୁଯାୟୀ ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ । ଟୁରିଷ୍ଟ ଭିସାରେ ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ । ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ । ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ । ଆଉ ଏହି ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭୋଲ । କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ଏହି ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍ । ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଥିଲା ହୃଦଘାତରେ ମୃତ୍ୟୁ ହୋଇଛି ।

ଅଧିକ ପଢ଼ନ୍ତୁ: ରାୟଗଡ଼ାରେ ୨ ଋଷ୍ ଟୁରିଷ୍ଟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ହଇଚଇ

ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭୋଲଙ୍କ ମୃତଦେହ ମିଳିଥିଲା । ସାଙ୍ଗରେ ଆସିଥିବା ଗାଇଡଙ୍କ କହିବା କଥା, ଭ୍ଲାଦିମିର୍ ଓ ପାଭୋଲ୍ ଥିଲେ ବାଲ୍ୟବନ୍ଧୁ । ତେଣୁ ଭ୍ଲାଦିମିରଙ୍କ ମୃତ୍ୟୁ ପରଠୁ ଅଦ୍ଭୁତ ଆଚରଣ କରୁଥିଲେ ପାଭୋଲ୍ । ଆଶଙ୍କା କରାଯାଉଛି, ପାଭୋଲ୍ ଆତ୍ମହତ୍ୟା କରିଛନ୍ତି ।

ଋଷୀୟ ଦୂତାବାସକୁ ଏ ସଂପର୍କରେ ଅବଗତ ପରେ ରାୟଗଡ଼ାରେ ଭ୍ଲାଦିମିରଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ଏବେ ପାଭୋଲଙ୍କ ମୃତଦେହକୁ ସଂରକ୍ଷିତ କରି ରଖିଛି ରାୟଗଡ଼ା ପୋଲିସ । ତାସହ ହୋଟେଲ୍ କର୍ମଚାରୀ ଓ ସାଙ୍ଗରେ ଆସିଥିବା ଋଷୀୟ ଦଂପତି ଓ ଗାଇଡଙ୍କ ଠୁ ତଥ୍ୟ ଆଦାୟ କରି ତଦନ୍ତ ଜାରି ରଖିଛି । ପୁଟିନଙ୍କୁ ବିରୋଧ କରିଥିବାରୁ ପାଭେଲଙ୍କ ମୃତ୍ୟୁ ପଛରେ କିଛି ଷଡ଼ଯନ୍ତ୍ର କି ବୋଲି ପ୍ରଶ୍ନ ଉଠୁଛି ।