• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପର୍ଯ୍ୟଟନ ଋତୁରେ ଓଡ଼ିଶା ବୁଲିବାକୁ ଆସି ୨ ଋଷୀୟ ବନ୍ଧୁଙ୍କ ଅଭାବନୀୟ ମୃତ୍ୟୁକୁ ନେଇ ହଇଚଇ । ୨୨ରେ ଜଣେ ପରେ ୨୪ ତାରିଖରେ ଆଉ ଜଣେ ବନ୍ଧୁଙ୍କ ପ୍ରାଣହାନୀ, ଶକ୍ତଧକ୍କା ଦେଇଛି ସାଙ୍ଗରେ ଆସିଥିବା ଅନ୍ୟ ୨ ସାଥୀଙ୍କୁ । ରାୟଗଡ଼ାର ଏକ ହୋଟେଲରେ ଘଟିଛି ଏହି ଅଘଟଣ । ମୃତକ ଦୁଇ ଜଣ ଥିଲେ ବାଲ୍ୟବନ୍ଧୁ । କୁହାଯାଉଛି, ହୃଦଘାତରେ ଜଣଙ୍କ ଜୀବନ ଯିବା ପରେ ବିଛେଦର ଯନ୍ତ୍ରଣା ସହିନପାରି ଆଉ ଜଣେ ବନ୍ଧୁ ହୋଟେଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ବାସ୍ତବ ଘଟଣା କଣ ସେନେଇ ପୋଲିସ ଋଷୀୟ ଦୂତାବାସକୁ ଅବଗତ କରି ଖୋଳତାଡ଼ କରୁଛି ।

ଦାରିଙ୍ଗବାଡ଼ିର ସବୁଜିମା ଭିତରେ ହଜିବାକୁ ଆସିଥିଲହ ଟୁର୍ଭୋ ଓ ତାଙ୍କ ପତ୍ନୀ ପାନ୍ ସେଙ୍କୋ । ସାଙ୍ଗରେ ଆସିଥିଲେ ଭ୍ଲାଦିମିର୍ ବିଦାନୋଭ୍ ଏବଂ ପାଭୋଲ୍ ଆନ୍ଥମ । କିନ୍ତୁ ଦୁର୍ଭାଗ୍ୟ ରାୟଗଡ଼ା ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲର ରହଣୀ ଭିତରେ ପ୍ରଥମେ ଭ୍ଲାଦିମିର୍ ବିଦାନୋଭ୍ ଏବଂ ତାର ୨ଦିନ ପରେ ଆଖି ବୁଜିଲେ ପାଭୋଲ୍ ଆନ୍ଥମ୍ । ଦୁଇ ଦୁଇ ଜଣଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି ।

ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭ, ପାଭୋଲ ଆନ୍ଥମ୍ । ସମସ୍ତଙ୍କ ବୟସ ୫୦ରୁ ୬୦ ଭିତରେ ହେବ । ଏହି ୪ ଋ଼ଷୀୟ ପର୍ଯ୍ୟଟକ ଟୁରିଷ୍ଟ ଭିସାରେ ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ୨୧ ତାରିଖରେ ପହଞ୍ଚିଥିଲେ ରାୟଗଡ଼ାରେ । ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ । ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ୍ସେଙ୍କୋ ଓ ଟୁର୍ଭୋ । ଆଉ ଏକ ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭୋଲ । କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ଏହି ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍ ।

ବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଥିଲା ହୃଦଘାତରେ ମୃତ୍ୟୁ ହୋଇଛି । ଏହାର ଦୁଇ ଦିନ ପରେ ଅର୍ଥାତ ଗତକାଲି ଅତି ରହସ୍ୟଜନକ ଭାବେ ହୋଟେଲ୍ ତଳୁ ପାଭୋଲଙ୍କ ମୃତଦେହ ମିଳିଥିଲା । ସାଙ୍ଗରେ ଆସିଥିବା ଗାଇଡଙ୍କ କହିବା କଥା, ଭ୍ଲାଦିମିର୍ ଓ ପାଭୋଲ୍ ଥିଲେ ବାଲ୍ୟବନ୍ଧୁ । ତେଣୁ ଭ୍ଲାଦିମିରଙ୍କ ମୃତ୍ୟୁ ପରଠୁ ଅଦ୍ଭୁତ ଆଚରଣ କରୁଥିଲେ ପାଭୋଲ୍ । ଆଶଙ୍କା କରାଯାଉଛି, ପାଭୋଲ୍ ଆତ୍ମହତ୍ୟା କରିଛନ୍ତି ।

୨ ଋଷୀୟ ପର୍ଯ୍ୟଟକଙ୍କ ଏଭଳି ମୃତ୍ୟୁକୁ ନେଇ ହଇଚଇ ରାୟଗଡ଼ାରେ । ଋଷୀୟ ଦୂତାବାସକୁ ଏ ସଂପର୍କରେ ଅବଗତ ପରେ ରାୟଗଡ଼ାରେ ଭ୍ଲାଦିମିର୍ଙ୍କ ଅନ୍ତିମ ସତ୍କାର କରାଯାଇଥିଲା । ଏବେ ପାଭୋଲଙ୍କ ମୃତଦେହକୁ ସଂରକ୍ଷିତ କରି ରଖିଛି ରାୟଗଡ଼ା ପୋଲିସ । ତାସହ ହୋଟେଲ୍ କର୍ମଚାରୀ ଓ ସାଙ୍ଗରେ ଆସିଥିବା ଋଷୀୟ ଦଂପତି ଓ ଗାଇଡଙ୍କଠୁ ତଥ୍ୟ ଆଦାୟ କରି ତଦନ୍ତ ଜାରି ରଖିଛି ।

ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ୨୦୧୨ରେ ଆସିଥିବା ୨ ଇଟାଲୀୟ ନାଗରିକଙ୍କୁ ମାଓବାଦୀଙ୍କ ଅପହରଣ ନେଇ ସେତେବେଳେ ହଇଚଇ ଖେଳିଯାଇଥିଲା ଦେଶବ୍ୟାପି । ଆଉ ଏବେ ରାୟଗଡ଼ାରେ ୨ ଋଷୀୟ ପର୍ଯ୍ୟଟକଙ୍କ ଅଭାବନୀୟ ମୃତ୍ୟୁକୁ ନେଇ ସବୁଠି ଚର୍ଚ୍ଚା ।