Advertisment

କେବେ ହଜିଥିଲା ରତ୍ନ ଭଣ୍ଡାର ଚାବି ? RTIରୁ ମିଳିଲା ବଡ଼ ତଥ୍ୟ

ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍‌ରେ ରଖାଯାଇ ନାହିଁ ।

author-image
Satyendu Shekher Mishra
undefined

ratna bhandar

ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ବହୁ ଚର୍ଚ୍ଚିତ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୁଣି ଥରେ ତେଜିଛି । ତେବେ ଏଥର ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ, କାହିଁ କେଉଁ ଅମଳରୁ ହଜିଲାଣି ରତ୍ନ ଭଣ୍ଡାର ଚାବି । ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍‌ରେ ରଖାଯାଇ ନାହିଁ ।

Advertisment

ସୂଚନା ଅଧିକାରକର୍ମୀ ଦିଲ୍ଲିପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ, ଭିତର ରତ୍ନ ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମ୍‌ରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ ସୂଚନା ଉପଲବ୍ଧ ନାହିଁ । ଖାଲି ସେତିକି ନୁହେଁ ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ, ୧୯୭୦ ମସିହାରୁ ଭିତର ଭଣ୍ଡାର ଚାବି କୋଷାଗାରରେ ଜମା ହେବାର କୌଣସି ପ୍ରମାଣ ନାହିଁ ।

ଏନେଇ ୨୦୧୮ ଏପ୍ରିଲ ୪ରେ ଜିଲ୍ଲା କୋଷାଗାର ଅଧିକାରୀ, ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ସେ ଚିଠି ବିଷୟରେ ତତ୍କାଳୀନ ଜିଲ୍ଲାପାଳ, ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଥିଲେ । ତେଣୁ ଏଠି ପ୍ରଶ୍ନ ଚାବି ନଥାଇ କେମିତି ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ । ତାସହ ରେଜିଷ୍ଟରରେ କାହିଁକି ଚାବି ନଥିବା କଥା ଉଲ୍ଲେଖ କଲେ ନାହିଁ ।

Advertisment

ଆର୍‌ଟିଆଇ କର୍ମୀ ଦିଲ୍ଲୀପ କୁମାର ବରାଳଙ୍କ କହିବା କଥା, ଯଦି ଭିତର ରତ୍ନଭଣ୍ଡାରର ଚାବି ନଥିଲା, ତାହାହେଲେ ଖୋଲିବାକୁ ଯାଇଥିଲେ କାହିଁକି ? ଚାବି ନଥିବାରୁ ଏମାନେ ବାହାର ରତ୍ନଭଣ୍ଡାରକୁ ଯାଇ ଭିତର ରତ୍ନଭଣ୍ଡାରକୁ ଦୂରରୁ ଦେଖି ଚାଲି ଆସିଲେ। ଭିତର ରତ୍ନଭଣ୍ଡାର ଚାବି ନଥିବାରୁ ଯାଇପାରିଲେ ନାହିଁ ବୋଲି ସେମାନେ କାହିଁକି ରତ୍ନଭଣ୍ଡାର ରେଜିଷ୍ଟ୍ରାରରେ ଲେଖିଲେ ନାହିଁ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି ।

ଚାବି ହଜିବା ନେଇ ଖୋଳତାଡ଼ ଚାଲିଥିବା ବେଳେ ହଠାତ୍‌ ଜିଲ୍ଲା ରେକର୍ଡ ରୁମ୍‌ରୁ ନକଲି ଚାବି ପାଇଥିଲେ ପୂର୍ବତନ ଜିଲ୍ଲାପାଳ । ସେ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ରେକର୍ଡ ରୁମ୍‌କୁ ଆର୍‌ଟିଆଇ କର୍ମୀ ଦିଲ୍ଲୀପ ତଥ୍ୟ ମାଗିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ତତ୍କାଳୀନ ଜିଲ୍ଲାପାଳ ନକଲି ଚାବି ପାଇଲେ କେଉଁଠୁ ? ଯେଉଁ ଚାବି ୨୦୧୮ ମସିହା ଅଗଷ୍ଟ ୬ ତାରିଖରେ ପାଇ ଜମା କରିଥିଲେ, ସେହି ଚାବିରେ ଭିତର ରତ୍ନଭଣ୍ଡାର ଖୋଲି କାହିଁକି ମରାମତି କରାଯାଉ ନାହିଁ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି । ୧୯୬୦ରୁ ୨୦୧୮ ମସିହା ଅଗଷ୍ଟ ପର୍ଯ୍ୟନ୍ତ ଟ୍ରେଜେରୀରେ ଚାବି ଜମା ହୋଇନାହିଁ ବୋଲି ଜଣାପଡ଼ିଛି ।

Lord Jagannath Ratna Bhandar Shree Mandir
Advertisment
Advertisment