/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700879474.jpg)
Tiger travels across four States seeking a ‘home’
ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି । ୭୫୦ କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ନିହାତି ଆଶ୍ଚର୍ଯ୍ୟଜନକ କଥା । ଏହା ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଛି ।
ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳା ପଟି ପଟି ଦାଗରୁ ଏହା ଜାଣିବାକୁ ପାଇଛି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ବନ୍ୟାପ୍ରାଣୀ ପିସିସିଏଫ୍ ଙ୍କ ସୂଚନା ଅନୁସାରେ, ୨୦୨୧ରେ ଏହି ମହାବଳ ବାଘର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା । ଏବେ ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି ।
ସୁରକ୍ଷିତ ବାସସ୍ଥାନ ଓ ସାଥି ସନ୍ଧାନରେ ଏହା ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମହାବଳ ବାଘଟି ଏତେ ଦୂରକୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି ।
ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିଛି ଦିନ ତଳେ ଗଜପତି ଜିଲ୍ଲା ରାୟଗଡ଼ା ଅଞ୍ଚଳରେ ବାଘଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡ଼ିବା ପରେ ଆତଙ୍କ ଦେଖାଦେଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହେବା ପରେ ବାଘର ସ୍ଥିତି ସ୍ପଷ୍ଟ ହୋଇଥିଲା ।
ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)