• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି । ଦୁଦୁରୁଚମ୍ପା ନାଳ ନିକଟରୁ ମହାବଳ ବାଘର ମୃତଦେହ ଠାବ କରାଯାଇଛି । ଏନେଇ ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତ ୫ ତାରିଖ ଦିନ ଦୁଦୁରଚମ୍ପା ନାଳ ନିକଟରୁ ମହାବଳ ବାଘର ମୃତଦେହ ମିଳିଥିଲା । ମୃତ ବାଘର ବୟସ ସାଢେ ତିନିବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏନେଇ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗନେନୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ । ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବି ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ । ସେହିପରି ୮୧ ଫରେଷ୍ଟ ଗାର୍ଡ ପଦବୀରୁ ମାତ୍ର ୩୦ଟି ପୂରଣ ହୋଇ ୫୧ଟି ଫାଙ୍କା ପଡ଼ିଛି । ସମାନ ଅବସ୍ଥା ଦକ୍ଷିଣ ଶିମିଳିପାଳ ଡିଭିଜନର ।

ଏଠାରେ ୧୨ ଫରେଷ୍ଟର ପଦବି ଓ ୪୩ ଫରେଷ୍ଟ ଗାର୍ଡ ପଦବି ଫାଙ୍କା ପଡ଼ିଛି । ୨ ହଜାର ୭୫୦ ବର୍ଗକିଲୋମିଟର ବିଶିଷ୍ଟ ଶିମିଳିପାଳରେ ୧୨ଟି ରେଞ୍ଜ, ୨୧୪ଟି ଆଣ୍ଟି ପୋଚିଙ୍ଗ୍ କ୍ୟାମ୍ପ, ୧୬ଟି ୱାଚ୍ ଟାୱାର ଓ ୧୯ଟି ଚେକ୍ ପଏଣ୍ଟ ରହିଛି । ସେହିପରି ଶିମିଳିପାଳରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ମେଲାନିଷ୍ଟିକ ବାଘ ସଫାରୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶିମିଳିପାଳରେ କଳାବାଘ ସଫାରୀ ଲାଗି NTCA ଅନୁମତି ଦେଇଛନ୍ତି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଠାରୁ ୧୫ କିମି ଦୂରରେ ଏହି ସଫାରୀ ହେବ । ଶିମିଳିପାଳର ୨୦୦ ହେକ୍ଟର ଜମିରେ ପ୍ରତିଷ୍ଠା ହେବ କଳା ବାଘ ସଫାରୀ । ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ ।

ସ୍ୱାସ୍ଥ୍ୟ କେନ୍ଦ୍ରଟି ବିଶ୍ୱସ୍ତରୀୟ ବ୍ୟାଘ୍ର ଚିକିତ୍ସା କେନ୍ଦ୍ର ହେବ । ପ୍ରାଥମିକ ଭାବେ ନନ୍ଦନକାନନରେ ଥିବା ୩ଟି କଳା ବାଘ ଓ ଗୋଟିଏ ଧଳା ବାଘଙ୍କୁ ଏହି ସଫାରୀକୁ ଅଣାଯିବ । ଏହାଛଡ଼ା ଯେଉଁ ଚିଡ଼ିଆଖାନାରେ ଥିବେ ଉଦ୍ଧାର ବାଘ ଯେଉଁମାନେ ବଣୁଆ ପ୍ରକୃତି ହରାଇଛନ୍ତି ସେମାନଙ୍କୁ ଏହି ସଫାରୀରେ ଛଡ଼ାଯିବ । ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ।