Advertisment

ବାପ୍‌ରେ ବାପ୍‌ ! ଏବେ ବି ଏମିତି ଗାଁକୁ ଏଭଳି ରାସ୍ତା, କେବେ ଆଖି ଖୋଲିବେ ସରକାର..

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Road Problem

Road Problem

ଗୋଟିଏ ପଟେ ରାଜ୍ୟ ସରକାର ଗାଁକୁ ଅଧିକ ଫୋକସ୍‌ କରୁଥିବା ନେଇ ଡେଙ୍ଗୁରା ପିଟୁଥିବା ବେଳେ ସେପଟେ କେନ୍ଦ୍ର ସରକାର ସବୁ ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଡିଣ୍ଡିମ ପିଟୁଛନ୍ତି । ହେଲେ ଗାଁ ଲୋକଙ୍କ ପାଇଁ କିମ୍ବା ଗାଁ ପାଇଁ ବାସ୍ତବରେ କାହାରି ଆନ୍ତରିକତା ନଥିବା ଭଳି ଦେଖାଯାଉଛି । କାରଣ ଏବେ ଆମ ରାଜ୍ୟର ଅଧିକାଂଶ ଗାଁକୁ ରାସ୍ତା ନାହିଁ । ଏହି ସବୁ ଗାଁକୁ ବର୍ଷା ଦିନେ ଯିବା କଥା ଭାବିଲା ବେଳକୁ ବି ଭୟ ଲାଗୁଛି । କାରଣ ରାସ୍ତା ଅବସ୍ଥା ଏମିତି ଯେ, ଏଠାରେ ପ୍ରତି ଦିନ ଦୁର୍ଘଟଣା ଘଟୁଛି ।

Advertisment

ଠିକ୍‌ ଏମିତି ଏକ ରାସ୍ତା କଥା ଆମେ ଆପଣଙ୍କୁ ଆଜି କହିବୁ । ଯାହା ଦେଖି ଆପଣ ମୁଣ୍ଡରେ ହାତ ଦେବେ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ହେବା ଥୟ । ଲୋକେ ତ ଏହି ରାସ୍ତାକୁ ଖରାପ କହିବା ସହ ଏବେ ଏହାକୁ ଅଭିଶପ୍ତ ବୋଲି କହିଲେଣି । କାରଣ ରାସ୍ତା ଅବସ୍ଥା ସୁଧୁରିବାର ନାଁ ଧରୁନି । ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।

ବର୍ଷା ଦିନେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଗଲାଣି । ସ୍କୁଲ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଖୁବ୍ ହଇରାଣ ହେଉଛନ୍ତି । ରାଜ୍ୟ ସରକାର ଗାଁ ଗାଁରେ ପକ୍କା ସଡ଼କର ନାରା ଦେଉଥିଲେ ବି ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କଥା ବର୍ଣ୍ଣନା କରୁଛି । ବରଗଡ଼ର ସଦର ବ୍ଲକ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରର ବିନୋବାଭାବେ ନଗର ରାସ୍ତା ଦେଖିଲେ ମୁଣ୍ଡରେ ହାତ ଦେବେ ।

Advertisment

ବରଗଡ଼ ସଦର ବ୍ଲକର ବରଗାଁ-କଟାପାଲି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏହି ରାସ୍ତାରେ ଯାଆଆସ କରିବା ବଡ଼ କାଠିକର ପାଠ । ଛଅ କିଲୋମିଟର ଲମ୍ବର ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । କଚା ସଡ଼କ ହୋଇଥିବାରୁ ବର୍ଷା ଯୋଗୁଁ ରାସ୍ତାର ଠାଏ ଠାଏ ପାଣି । ଯାହା ଫଳରେ ଯିବା ଆସିବା କରିବାରେ ଲୋକେ ଖାଲରେ କଚି ହୋଇ ପଡ଼ୁଛନ୍ତି । ବରଗଡ଼ରୁ ହୀରାକୁଦ ବନ୍ଧକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ବରଗାଁ, କଟାପାଲି ଓ କମଗାଁ ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଦୁଇ ବର୍ଷ ହେଲା କେନାଲ ଡିଭିଜନରୁ ପୂର୍ତ୍ତ ବିଭାଗକୁ ଆସିଥିବା ରାସ୍ତାର ଉନ୍ନତିକରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ବିନୋବାଭାବେ ନଗର ପଞ୍ଚାୟତର କଣ୍ଟିଆନାଳୀ ଛକରୁ ଲୁଣାବନ୍ଧ ରାସ୍ତା କଥା ନକହିବା ଭଲ । ଏହା ମରଣଯନ୍ତା ପାଲଟିଛି । ଲୁଣାବନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ୩ କିଲୋମିଟରର ରାସ୍ତା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି । ହେଲେ ପ୍ରାଶାସନିକ ଅବହେଳା ଯୋଗୁଁ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଖରା ଦିନରେ ଯାହା ଯେମିତି ଚଳିଯାଏ । ହେଲେ ବର୍ଷା ଆସିଲେ ଦୁର୍ଦଶା ବଢ଼ିଯାଏ । ଘରୁ ପାଦ କାଢ଼ିବା ବି କଷ୍ଟକର । ଗାଡି ମଟର ତ ଦୂରର କଥା, ସାଇକେଲରେ ବି ଯିବା କଷ୍ଟକର ।

ଏମିତି କି ଗାଁ ଭିତରକୁ ଆମ୍ବୁଲାନ୍ସ କି ଦମକଳ ଗାଡ଼ି ବି ଆସି ପାରେନାହିଁ । ତେବେ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି ବୋଲି ଜନପ୍ରତିନିଧି କହିଛନ୍ତି । ଦୀର୍ଘବର୍ଷ ଧରି ଲୋକେ ଅସୁବିଧା ଭୋଗୁଥିଲେ ବି ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି ।

Accident Road Problem
Advertisment
Advertisment