• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଦିନ ପ୍ରାୟ ୧୧ଟା । ୫୫ ନମ୍ବର ଜାତୀୟ ରାଜପଥ କଟକ ମଙ୍ଗୁଳି ଛକରୁ ଚୌଦ୍ୱାର ଆଡକୁ ବାଇକ୍‌ରେ ଯାଉଥିଲେ ଦୁଇ ଯୁବକ । ଟ୍ରକ୍‌କୁ ଓଭରଟେକ୍ କରିବା ବେଳେ ସ୍ଲିପ୍ ହୋଇଯାଇଥିଲା ବାଇକ୍ ଚକ । ଟ୍ରକ୍ ତଳେ ଚାପି ହୋଇ ଜଣେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଲେ । ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସିସିଟିଭିରେ କଏଦ ହୋଇଛି ଦୁର୍ଘଟଣା ବେଳର କରୁଣ ଦୃଶ୍ୟ । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସେହି ରାସ୍ତାର ଅବସ୍ଥା ଅତି ଶୋଚନୀୟ । ଟିକେ ଅସାବଧାନ ହେଲେ ଜୀବନ ଚାଲିଯିବ । ସେପଟେ ରାସ୍ତାର ସମ୍ପ୍ରସାରଣ କାମ ବିଳମ୍ବ ହେଉଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଯେଉଁ ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଗଲା, ସେହି ୫୫ ନମ୍ବର ଏନ୍ଏଚ୍ ଶୀଘ୍ର ମରାମତି ଦାବିରେ ତେଜିଛି ପ୍ରତିବାଦ । କଟକରୁ ଅନଗୁଳ ଦେଇ ସମ୍ବଲପୁରକୁ ଘରୋଇ ବସ୍ ଚଳାଚଳ ଆଜି ବନ୍ଦ ରହିଛି । ଅନୁଗୁଳ ଓ ଢେଙ୍କାନାଳରେ ବି ଗାଡି ଗଡିନି । ସକାଳ ୬ରୁ ରାତି ୧୨ଟା ଯାଏଁ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଏନ୍ଏଚ୍-୫୫ ଅର୍ଥାତ ମଙ୍ଗୁଳି-ସମ୍ବଲପୁର ଜାତୀୟ ରାଜପଥ ମରାମତି ନେଇ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରାଜ୍ୟ ସରକାରଙ୍କ ଉଦାସୀନତାର ଜୋରଦାର ପ୍ରତିବାଦ କରାଯାଇଛି । ଆସନ୍ତାକାଲି ସମ୍ବଲପୁରରେ ସବୁ ବସ୍‌ରେ କଳାପତାକା ଲଗାଯିବ । ଜାନୁଆରୀ ପହିଲାରୁ ଏନ୍ଏଚ୍ ୫୫କୁ ବୟକଟ୍ କରିବାକୁ ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ । କେବଳ ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୪୯ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ୨୦୨୦ରେ ୫୧୭ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିଲେ ପ୍ରାଣ ହରାଇଥିଲେ ୧୬୨ ଜଣ । NCRB ଏବଂ ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଓଡିଶାରେ ପ୍ରତିଦିନ ୨୭ଟି ସଡ଼କ ଦୁର୍ଘଟଣା ଘଟୁଛି । ଯେଉଁଥିରେ ହାରାହାରି ୧୩ ଜଣଙ୍କ ମୃତ୍ୟୁ ହେଉଛି । ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ଓ଼ଡିଶା, ଦେଶରେ ଦ୍ୱାଦଶ ସ୍ଥାନରେ ରହିଛି ।