• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଡେଙ୍ଗୁରେ ଲାଗୁନି ବ୍ରେକ୍ । ହୁ ହୁ ହୋଇ ମାଡ଼ିଚାଲିଛି । ପୂର୍ବବର୍ଷ ତୁଳନାରେ ଏବର୍ଷ ୪୫ ପ୍ରତିଶତ ବଢ଼ିଗଲାଣି ଡେଙ୍ଗୁ ପଜିଟିଭଙ୍କ ସଂଖ୍ୟା । ଆଉ ରାଜଧାନୀରେ ସ୍ଥିତି ଏମିତି ହେଲାଣି ଯେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଲୋକଙ୍କୁ ଛିଡ଼ା ହେବାକୁ ପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲିବା ଦିଗରେ ବିଚାର ଚାଲିଛି ।

କ୍ୟାପିଟାଲ ହସ୍ପିଟାଲରେ ନିଜ ୩ ବର୍ଷର ଛୁଆର ଡେଙ୍ଗୁ ଟେଷ୍ଟ କରାଇବାକୁ ଦୁଇ ଘଣ୍ଟା ଛିଡ଼ା ହେଲେଣି ମହିଳା । ତଥାପି ପାଳି ପଡ଼ିନି। କେବଳ ସେ ନୁହନ୍ତି, ଭୁବନେଶ୍ୱର ସମେତ ଖୋର୍ଦ୍ଧା, ପୁରୀରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଥିବା ବହୁ ଲୋକ ପ୍ରତିଦିନ ଏମିତି ହଇରାଣ ହେଉଛନ୍ତି । କାରଣ ସବୁ ପ୍ରକାର ରକ୍ତ ପରୀକ୍ଷା ଲାଗି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଲାଇନ୍ ଲଗାଇବାକୁ ପଡ଼ୁଛି । ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ପ୍ରତିଦିନ ଏଠାକୁ ପାଖାପାଖି ୫ ଶହ ଲୋକ ଡେଙ୍ଗୁ ଟେଷ୍ଟ କରାଇବାକୁ ଆସୁଛନ୍ତି ।

ସେମାନଙ୍କ ଭିତରୁ ପ୍ରାୟ ୫୦-୬୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି । ଏମିତିକି ପ୍ରତିଦିନ ୧୦ରୁ ୧୨ ରୋଗୀ ଆଡମିଶନ ହେଉଛନ୍ତି । ଅପରପକ୍ଷରେ ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ସ୍ଥିତି ସମୀକ୍ଷା ପରେ କୋଭିଡ୍ ଭଳି ଡେଙ୍ଗୁ ରୋଗୀଙ୍କ ଲାଗି ସ୍ବତନ୍ତ୍ର ପରୀକ୍ଷା ବ୍ୟବସ୍ଥା ପାଇଁ ଗୁରୁତ୍ବାରୋପ କରିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଉପଅଧୀକ୍ଷକ । କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।

କେବଳ କ୍ୟାପିଟାଲ କି ବାଲେଶ୍ୱର ହସ୍ପିଟାଲ ନୁହେଁ, ସାରା ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ଗତ ୧୮ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାର ୨୯୪ ଡେଙ୍ଗୁ ପଜିଟିଭ୍ । ଯାହାକି ଗତବର୍ଷ ଏ ସମୟ ସୁଦ୍ଧା ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀ ତୁଳନାରେ ୪୫ ପ୍ରତିଶତ ଅଧିକ । ଉଦବେଗର ବିଷୟ ହେଲା ରାଜ୍ୟରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ ୫୧ ପ୍ରତିଶତ ବା ୧୧ଶହ ୬୭ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ପୁରୀ, ବାଲେଶ୍ୱର, କଟକ, ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ତିନି ଅଙ୍କ ଡେଇଁଛି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସରକାର ସଜାଗ ଅଛନ୍ତି । ଲୋକେ ସଚେତନ ରୁହନ୍ତୁ । ଘରେ ଥିବା ଡେଙ୍ଗୁ ରୋଗୀ ମଶାରୀ ଭିତରେ ରୁହନ୍ତୁ, ନହେଲେ ଘରର ଅନ୍ୟ ସଦସ୍ୟ ବି ହୋଇପାରନ୍ତି ପଜିଟିଭ ।ଏବେ ଅପେକ୍ଷା, ରାଜ୍ୟରେ ମାଡ଼ି ଚାଲିଥିବା ଡେଙ୍ଗୁ ରୋଗର ମୁକାବିଲା ଲାଗି ସ୍ୱାସ୍ଥ୍ୟ ବିଭାଗ ଆଗକୁ କି ପଦକ୍ଷେପ ନେଉଛି ।

 

  • Reported by:
  • RASHMIRANJAN DAS , KAPILENDRA PRADHAN , SOUMYA RANJAN SAHOO