ଭୁବନେଶ୍ୱର: ଅପର୍ଯ୍ୟାପ୍ତ ଖଣିଜ ସମ୍ପଦ, ବିପୁଳ ମାନବସମ୍ବଳ ତା ସହିତ ପୁଳା ପୁଳା ଜନମଙ୍ଗଳ ଯୋଜନା ନେଇ ସରକାରଙ୍କ ପ୍ରଚାର । ଏହାସତ୍ତ୍ୱେ ବି ଓଡ଼ିଶାର ପିଛା ଛାଡୁନି ଗରିବୀ । ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ବହୁମୁଖୀ ଗରିବୀ ତାଲିକା, ଓଡ଼ିଶାରେ ଦାରିଦ୍ର୍ୟର ଉତ୍କଟସ୍ଥିତିକୁ ପୁଣି ସାମ୍ନା ଆଣିଛି । ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଭଳି ପଛୁଆ ଜିଲ୍ଲା ପାଇଁ ଅନେକ ଯୋଜନା କରୁଥିବା ନେଇ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ଏଠାରେ ସ୍ଥିତି ଯଥା ପୂର୍ବଂ, ତଥା ପରଂ । ଅନଟନ ଭିତରେ ପେଶି ହେଉଛନ୍ତି ଜିଲ୍ଲାବାସୀ । ତେବେ କଣ ପାଇଁ ଏ ଦୁର୍ଗତି ? କଣ ପାଇଁ ଏସବୁ ଜିଲ୍ଲାରେ ହୋଇପାରୁନି ଆର୍ଥିକ ବିକାଶ ?
୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି । ସେତେବେଳର କଳାହାଣ୍ଡି ଆଉ ଏବେକାର ନୂଆପଡ଼ା ଜିଲ୍ଲାର ନିପଟ ଗାଁରେ ରହୁଥିବା ଫାନସଙ୍କ ଅବସ୍ଥିତି ଦେଖିଲେ ଲାଗୁଛି ଦୀର୍ଘ ୩ ଦଶନ୍ଧି ପରେ ବଦଳିନି ତାଙ୍କ ଆର୍ଥିକ କି ସାମାଜିକ ସ୍ଥିତି ।
Also Read
ଆଜିକୁ ୧୭ ବର୍ଷ ତଳେ ନବରଙ୍ଗପୁର ଝରିଗାଁ ବ୍ଲକ୍ ଡଙ୍ଗରିଗୁଡ଼ା ଗାଁରେ ଅପପୁଷ୍ଟି ପାଇଁ ୧୩ ଶିଶୁଙ୍କ ଜୀବନ ଯାଇଥିଲା । ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଏହି ଘଟଣାର ପ୍ରାୟ ଦୁଇ ଦଶନ୍ଧି ପରେ ବି ଗାଁକୁ ଯେମିତି ପହଞ୍ଚି ପାରିନି ବିକାଶ । ତେବେ ଖଣିଜ ସମ୍ପଦ ଭରା କେନ୍ଦୁଝର ଉପରେ ଯୋଡ଼ା ଖଣି ଅଞ୍ଚଳବାସୀଙ୍କ ଏପରି ଘର, ଦୁଆର ଓ ଚାଲିଚଳଣୀ ଦେଖିଲେ ଜଳଜଳ ଦିଶୁଛି ଏମାନଙ୍କ ଦାରିଦ୍ର୍ୟ ପଣିଆର ସ୍ୱଚ୍ଛ ଛବି । ଯାହା ପ୍ରତିଫଳିତ ହୋଇଛି ନିତି ଆୟୋଗର ସଦ୍ୟତମ ମଲ୍ଟି ଡାଇମେନ୍ସନାଲ ପଭର୍ଟି ରିପୋର୍ଟ ବା ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରେ ।
ଏହି ରିପୋର୍ଟ କହୁଛି ଦେଶର ୧୦ ଗରିବ ରାଜ୍ୟ ଭିତରୁ ନବମ ସ୍ଥାନରେ ଥିବା ଓଡ଼ିଶାର ପ୍ରତି ୩ ଜଣରେ ଜଣେ ଗରିବ । ନିତି ଆୟୋଗଙ୍କ ରିପୋର୍ଟରେ ସବୁଠୁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି ରାଜ୍ୟର ୩ ପଛୁଆ ଜିଲ୍ଲା ନବରଙ୍ଗପୁର, ମାଲାକାନଗିରି ଓ କୋରାପୁଟ । ନବରଙ୍ଗପୁରରେ ୫୯.୩୨, ମାଲକାନଗିରିରେ ୫୮.୭୧ ଓ କୋରାପୁଟରେ ୫୧.୧୪ ପ୍ରତିଶତ ଲୋକ ଗରିବୀରେ ସଢୁଛନ୍ତି । ଖାଲି ସେତିକି ନୁହେଁ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ ଓ ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ୪୦ ପ୍ରତିଶତରୁ ଅଧିକ ଲୋକେ ଦାରିଦ୍ରତା ଭିତରେ କାଳାତିପାତ କରୁଥିବାରୁ ଏହା ରାଜ୍ୟ ସରକାରଙ୍କ ବିକାଶର ନାରାକୁ ପଦାରେ ପକାଇଛି ।
ଏପଟେ ନିତି ଆୟୋଗଙ୍କ ଏ ରିପୋର୍ଟକୁ ନେଇ ତୀବ୍ର ହୋଇଛି ରାଜ୍ୟ ରାଜନୀତି । ବିରୋଧୀ କଂଗ୍ରେସ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ଗରିବ ଓ ଆଦିବାସୀଙ୍କ ଉନ୍ନତି ପାଇଁ ପୁଳା ପୁଳା ଯୋଜନା ଥିଲେ ବି ଶାସନ ବ୍ୟବସ୍ଥାରେ ତଳୁ ଉପର ଯାଏଁ ଦୁର୍ନୀତି ହିଁ ବିକାଶର ଗୋଡ଼ ଟାଣୁଥିବା କହିଛି କଂଗ୍ରେସ । ତେଣେ ୨୦ରୁ ଅଧିକ ସମୟ ଶାସନରେ ରହି, ରାଜ୍ୟବାସୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ଭେଟି ବୋଲି ତାଛଲ୍ୟ କରିଛି ବିଜେପି । ସେପଟେ କେନ୍ଦୁଝର ଭଳି ଖଣି ସମୃଦ୍ଧ ଜିଲ୍ଲା ଆଜି କାହିଁକି ଗରିବ ? ତାର ଉତ୍ତର କେନ୍ଦ୍ର ସରକାର ରଖନ୍ତୁ ବୋଲି ଜବାବ ଦେଇଛି ବିଜେଡି ।